newborn-theft-sambalpur-324x235

ସମ୍ବଲପୁର ହସ୍ପିଟାଲ୍ରେ ଶିଶୁ ଚୋରି

33

ସମ୍ବଲପୁର (ଆପ୍ର): କଟକ ବଡ ମେଡିକାଲରେ ଶିଶୁ ଚୋରି ଘଟଣାର ୧୫ଦିନ ନବିତୁଣୁ ସମ୍ବଲପୁର ସଦର ହସ୍ପିଟାଲ୍ରେ ଶିଶୁ ଚୋରି ଅଭିଯୋଗ ହସ୍ପିଟାଲ୍ର ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିଦେ୍ର୍ଦଶ କରିଛି । ସୂଚନାନୁଯାୟୀ ଯୁଯୁମରା ଥାନା ଅମଲାପଲ୍ଲୀ ଗାଁର ଗୀତାଞ୍ଜଳି ମାଝି ସଦର ହସ୍ପିଟାଲ୍ର ପ୍ରସୂତି ୱାର୍ଡରେ ଭର୍ତ୍ତି ହୋଇଥିଲେ । ଗୁରୁବାର ଅପରାହ୍ନରେ ତାଙ୍କର ପୁତ୍ର ସନ୍ତାନ ଜାତ ହୋଇଥିଲା । ରାତି ପ୍ରାୟ ୩ଟାବେଳେ ଜଣେ ଅଜ୍ଞାତ ମହିଳା ତାଙ୍କ ନିକଟକୁ ଆସି ଶିଶୁଟିକୁ ଦେଖିବା ପାଇଁ କହିଥିଲା । କିନ୍ତୁ ଗୀତାଞ୍ଜଳିଙ୍କ ପିଲାକୁ ନଛୁଇଁବା ପାଇଁ କହିବା ପରେ ମହିଳା ପଳାଇଥିଲା । ଶୁକ୍ରବାର ପ୍ରତୁ୍ୟଷରେ ଗୀତାଞ୍ଜଳି ପୁଅକୁ ନପାଇ ନିକଟରେ ଥିବା ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଏବଂ ନିକଟସ୍ଥ ବେଡ୍ର ଆଟେଣ୍ଡାଣ୍ଟମାନେ ବହୁ ଖୋଜାଖୋଜି ପରେ ଶିଶୁର ସୁରାକ୍ ପାଇନଥିଲେ । ଗୀତାଞ୍ଜଳି ଶୋଇଥିବା ଅବସ୍ଥାରେ ତାଙ୍କ କୋଳରୁ ନବଜାତକକୁ ଏହି ରହସ୍ୟମୟୀ ମହିଳା ଚୋରି କରି ନେଇଥିବା ସୂଚନା ମିଳିଛି । ସଦର ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି । ୱାର୍ଡରେ ନିୟୋଜିତ ମହିଳା ସୁରକ୍ଷାକର୍ମୀ ପ୍ରତୁ୍ୟଷରେ ଜଣେ ମହିଳା ରୋଗୀଙ୍କୁ ଦେଖା କରିବାକୁ କହି ୱାର୍ଡରେ ପ୍ରବେଶ କରିଥିବା ସୂଚନା ଦେଇଛନ୍ତି । ସଦର ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଚଳାଇଥିବାବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପିଲାଚୋରକୁ ଧରିପାରି ନାହିଁ । ସିସିଟିଭି ଫୁଟେଜ୍ରେ ଜଣେ ମହିଳା ଶିଶୁଟିକୁ ଘୋଡାଇ ନେଇଯାଉଥିବା ଦେଖିବାକୁ ମିଳିଛି ।
ଚଳିତ ମାସ ଦ୍ୱିତୀୟ ସପ୍ତାହରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ହସ୍ପିଟାଲ୍ରୁ ଅନୁରୂପ ଢାଞ୍ଚାରେ ଏକ ନବଜାତକକୁ ଜଣେ ମହିଳା ଚୋରି କରିନେଇଥିବା ଜଣାପଡିଥିଲା । ମଙ୍ଗଳାବାଗ ପୁଲିସ ପିଲା ଚୋରଣୀକୁ ଗିରଫ କରିଥିଲା । ଗତବର୍ଷ ବୁର୍ଲା ମେଡିକାଲ୍ କଲେଜରୁ ମଧ୍ୟ ଏକ ନବଜାତକକୁ ଚୋରି କରି ନିଆଯାଇଥିବା ଅଭିଯୋଗ ହୋଇଥିଲା । କଟକ ଶିଶୁ ଚୋରି ଘଟଣା ସହିତ ସମ୍ବଲପୁର ସଦର ହସ୍ପିଟାଲ୍ରୁ ହୋଇଥିବା ଶିଶୁ ଚୋରିର ମେଳ ଥିବାରୁ ଉଭୟ ଘଟଣା ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ ଦ୍ୱାରା ହୋଇଥାଇପାରେ ବୋଲି ଆଲୋଚନା ହେଉଛି । ଇତି ମଧ୍ୟରେ ସମ୍ବଲପୁର ସିଡିଏମ୍ଓ କୋଦଣ୍ଡଧର ରାଓ ଅଭିଯୋଗର ସତ୍ୟତା ଥିବା ସ୍ୱୀକାର କରିଛନ୍ତି ।




Powered by odothemes.com