ମନ୍ତ୍ରିମଣ୍ଡଳ ଅଦଳବଦଳ ଏବେ ନୁହେଁ

naveen

ଭୁବନେଶ୍ୱର,୧୫ା୪(ବୁ୍ୟରୋ): ରାଜ୍ୟ ମନ୍ତ୍ରିମଣ୍ଡଳରେ ସମ୍ଭାବ୍ୟ ଅଦଳବଦଳକୁ କେନ୍ଦ୍ର କରି ଲାଗି ରହିଥିବା କଳ୍ପନାଜଳ୍ପନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପାତତଃ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ଦିଲ୍ଲୀଗସ୍ତରୁ ଫେରିଥିବା ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ମନ୍ତ୍ରିମଣ୍ଡଳରେ କୌଣସି ଅଦଳବଦଳ ଯୋଜନା ଏବେ ନାହିଁ । ଉଲ୍ଲେଖଯୋଗ୍ୟ, ମନ୍ତ୍ରିମଣ୍ଡଳରେ କିଛି ଅଯୋଗ୍ୟ ବ୍ୟକ୍ତି ଅଛନ୍ତି ବୋଲି ବିଜେଡି ମୁଖପାତ୍ର ଅମର ପ୍ରସାଦ ଶତପଥୀ କିଛିଦିନ ତଳେ ମନ୍ତବ୍ୟ ଦେଇଥିଲେ । ଏହାକୁ କେନ୍ଦ୍ର କରି ନବକଳେବର ପୂର୍ବରୁ ମନ୍ତ୍ରିମଣ୍ଡଳରେ ସମ୍ଭାବ୍ୟ ଅଦଳବଦଳ ସଂକ୍ରାନ୍ତ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ତେବେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଲେ, ତାଙ୍କ ମନ୍ତ୍ରିମଣ୍ଡଳରେ କୌଣସି ଅଯୋଗ୍ୟ ନେତା ନାହାନ୍ତି । ଦିଲ୍ଲୀଗସ୍ତ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କ ସହ ତାଙ୍କ ସାକ୍ଷାତ ଆଲୋଚନା ସନ୍ତୋଷଜନକ । ସେ ଉପସ୍ଥାପିତ କରିଥିବା ରାଜ୍ୟ ସ୍ୱାର୍ଥ ସମ୍ବଳିତ ଦାବି ପ୍ରତି କେନ୍ଦ୍ର ସରକାର ଗୁରୁତ୍ୱ ଦେଇ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମାଲକାନାଗିରି ଜିଲ୍ଲାରେ ନକ୍ସଲଙ୍କ ଦ୍ୱାରା ଅପହୃତ ୭ଜଣ ଗ୍ରାମବାସୀଙ୍କ ନିରାପଦ ଉଦ୍ଧାର ପାଇଁ ପୁଲିସ୍‍ ପଦକ୍ଷେପ ନେଉଛି । ଖୁବଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ ।