ବନ୍ଦ ଚିନିକଳ ଖୋଲ, ଚାଷୀଙ୍କ ବକେୟା ଦିଅ

Narasingha-mishra

ଭୁବନେଶ୍ୱର (ବୁ୍ୟରୋ): ଆଖୁଚାଷୀଙ୍କୁ ବକେୟା ପ୍ରଦାନ, ବନ୍ଦ ହୋଇଥିବା ଚିନିକଳ ଖୋଲିବା ଓ କର୍ମଚାରୀଙ୍କ ବକେୟା ପ୍ରଦାନ ପାଇଁ ବିରୋଧୀ ସଭ୍ୟମାନେ ଦାବି କରିଛନ୍ତି । ଚିନିକଳ ବନ୍ଦ ହୋଇପଡ଼ିଥିବାରୁ ଚାଷୀମାନେ ନିରୁତ୍ସାହିତ ହୋଇପଡ଼ିଛନ୍ତି ବୋଲି ବିରୋଧୀ ସଭ୍ୟମାନେ ମତ ଦେଇଛନ୍ତି । ଶାସକ ଦଳ ସଭ୍ୟମାନେ ମଧ୍ୟ ରାଜ୍ୟରେ ଚିନିକଳ ବିକାଶ ଆଶାନୁରୂପ ନହେବା ଓ ନିୟମ ଉଲ୍ଲଂଘନ କରୁଥିବା କମ୍ପାନିଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ବିରୋଧୀ ଦଳ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବରେ ଆଲୋଚନା କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ ଯେ, ରାଜ୍ୟରେ ଚିନିକଳଗୁଡ଼ିକ ଏବେ ବନ୍ଦ ହୋଇଯାଇଛି । ଚାଷୀ ଯେତିକି ଲାଭବାନ୍ ହେବା କଥା, ହୋଇପାରୁନାହିଁ । ଏହାକୁ ଚଳାଇବାରେ ସରକାର ସମ୍ପୂର୍ଣ୍ଣ ବ୍ୟର୍ଥ ହୋଇଛନ୍ତି । ବିଜୟାନନ୍ଦ ସମବାୟ ଚିନିକଳ ବଲାଙ୍ଗୀର ଜିଲ୍ଲା ଦେଓଗାଁର ସାଗରପଲ୍ଲୀରେ ଥିଲା । ଏହା ସମବାୟ ସମିତି ଦ୍ୱାରା ପରିଚାଳିତ ହେଉଥିଲା । ମାତ୍ର ରାଜ୍ୟ ସରକାର ଏହାର ଦାୟିତ୍ୱ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ । ଯାହା ସମବାୟ ଆଇନ୍ର ବିରୋଧାଚରଣ କରୁଛନ୍ତି । ଚିନିକଳ ଯୋଗୁଁ ୧୦ହଜାର ଚାଷୀ ଉପକୃତ ହେଉଥିଲେ । ଏବେ ସେମାନେ ପ୍ରଭାବିତ । ଆଖୁଚାଷ ପାଇଁ ଓଡ଼ିଶାରେ ଅନୁକୂଳ ପରିବେଶ ରହିଛି । ମାତ୍ର ସରକାରଙ୍କ ଆନ୍ତରିକତା ଅଭାବରୁ ତାହା ଚାଲିପାରୁନାହିଁ । ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଲେ ଯେ, ରାଜ୍ୟର ଚାଷୀ ଏବେ ହତାଶ । ସରକାର ଅସହାୟ । ଚାଷୀ ତା’ ବକେୟା ପାଉନି । ଶ୍ରମିକ ମଜୁରୀ ମିଳୁନି । ରାଜନୀତି ଚକ୍ରବୁ୍ୟହରେ ପଡ଼ି ବିଜୟାନନ୍ଦ ଚିନିକଳ ବନ୍ଦ ହୋଇଯାଇଛି । ନୟାଗଡ଼ ଚିନିକଳକୁ ନେଇଥିବା ବେସରକାରୀ କମ୍ପାନି ସହ ବିଜେଡି ନେତାଙ୍କ ଭିତ୍ତିରି ବୁଝାମଣା ରହିଛି ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ତାରାପ୍ରସାଦ ବାହିନୀପତି, ନବକିଶୋର ଦାସ, ବିଭୂତିଭୂଷଣ ହରିଚନ୍ଦନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶାସକ ଦଳ ପକ୍ଷରୁ ଧ୍ୟାନଆକର୍ଷଣକାରୀ ପ୍ରସ୍ତାବରେ ଆଲୋଚନା କରି ବିଧାୟକ ପ୍ରଫୁଲ୍ଲ ସାମଲ କହିଲେ ଯେ, ଚିନିକଳଗୁଡ଼ିକ ପରିଚାଳନାଗତ ତ୍ରୁଟିଯୋଗୁଁ ବନ୍ଦ ହୋଇଯାଇଛି । ଚିନିକଳ ମାଲିକମାନେ ନିଜକୁ ଆଇନ୍କାନୁନ୍ ଊଦ୍ଧ୍ୱର୍ରେ ବୋଲି ଭାବୁଛନ୍ତି । ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ନୃସିଂହ ସାହୁ, ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।