IMG-20170320-WA0061

ଦୈନିକ ୧୫ହଜାର ଗ୍ରାହକଙ୍କୁ ୧ ହଜାର ଲେଖାଏଁ ପୁରସ୍କାର

27

ଡିଜିଧନ ମେଳା ଉଦ୍ଘାଟିତ
ଭୁବନେଶ୍ୱର,(ବୁ୍ୟରୋ): ଘରୋଇ ଅର୍ଥ ବ୍ୟବସ୍ଥାରେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ଲାଗି ଭୁବନେଶ୍ୱରରେ ଡିଜିଧନ ମେଳା ଅନୁଷ୍ଠିତ ହୋଇଛି । କେନ୍ଦ୍ର ରେଳବାଇ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଡିଜିଧନ ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଭୁବନେଶ୍ୱର ରେଳଷ୍ଟେସନ୍ ନିକଟରେ ଆୟୋଜିତ ଏହି ମେଳାରେ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କମାନେ ଯୋଗଦେଇ ଆଗ୍ରହୀ ଲୋକମାନଙ୍କୁ ଡିଜିଟାଲ ନେଣଦେଣ ବ୍ୟବସ୍ଥା ସମ୍ପର୍କରେ ବୁଝାଉଛନ୍ତି । ଏହାଛଡା ଇ-ୱାଲେଟ, ୟୁପିଆଇ, ୟୁଏସଏସଡି, ନେଟ ବ୍ୟାଙ୍କିଙ୍ଗ, ଏଇପିଏସ, ଭୀମ-ଆପ ଭଳି ସୁବିଧାଜନକ ଓ ସହଜ ଆପ ଗୁଡିକ କିଭଳି ଡାଉନ୍ଲୋଡ୍ କରିହେବ ଏବଂ ଏହାର ବ୍ୟବହାର ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ ଓ ସଚେତନ କରାଯାଉଛି । ଏହାଛଡା ଡେବିଟ୍, କ୍ରେଡିଟ୍ ଓ କ୍ୟାସକାର୍ଡ ତଥା ରୂପେ କାର୍ଡର ବ୍ୟବହାର ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି । ଡିଜିଧନ ମେଳାରେ ଲକି ଗ୍ରାହକ ଯୋଜନା ଓ ବେପାରୀମାନଙ୍କ ପାଇଁ ଥିବା ଡିଜିଧନ ବ୍ୟାପାର ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ଜଣେ ଗ୍ରାହକ ୫୦ ରୁ ୩୦୦୦ ଟଙ୍କା ଅଥବା ତା’ଠାରୁ ଅଧିକ ଡିଜିଟାଲ ନେଣଦେଣ କରି ଲକି ଗ୍ରାହକ ଯୋଜନା ଏବଂ ଡିଜିଧନ ବ୍ୟାପାର ଯୋଜନାରେ ସାମିଲ ହୋଇପାରିବେ ।
ଲକି ଗ୍ରାହକ ଯୋଜନା ଅଧିନରେ ପ୍ରତି ଦିନ ୧୫ ହଜାର ଗ୍ରାହକଙ୍କୁ ୧ହଜାର ଟଙ୍କା ଲେଖାଏଁ ପୁରସ୍କାର ମିଳିଥାଏ । ଡିଜିଧନ ବ୍ୟାପାର ଯୋଜନା ଅଧିନରେ ପ୍ରତି ସପ୍ତାହରେ ୭ ହଜାର ଛୋଟ ବେପାରୀଙ୍କୁ ୫୦ ହଜାର, ୫ ହଜାର, ୨୫୦୦ ଟଙ୍କା ଲେଖାଁଏ ପୁରସ୍କାର ଦିଆଯାଉଛି । ଡିସେମ୍ବର ୨୫, ୨୦୧୬ରୁ ଆରମ୍ଭ ହୋଇଥିବା ଏହି ପୁରସ୍କାର ଯୋଜନା ଏପ୍ରିଲ ୧୪, ୨୦୧୭ ପର୍ଯ୍ୟନ୍ତ ଚାଲିବ । ଏପ୍ରିଲ ୧୪ ତାରିଖରେ ମେଗା ଡ୍ର’ ଅନୁଷ୍ଠିତ ହେବ । ସେହି ଦିନ ଲକି ଗ୍ରାହକ ଯୋଜନାର ବିଜେତାଙ୍କୁ ୧ କୋଟି, ୫୦ ଲକ୍ଷ ଏବଂ ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ । ୟୁଏସଏସଡି ପେମେଣ୍ଟ ବ୍ୟବସ୍ଥା ପାଇଁ ୧୦୦ ବିଜେତା, ୟୁପିଆ, ଏଇପିଏସ ପେମେଣ୍ଟ ବ୍ୟବସ୍ଥା ପାଇଁ ୧୫୦୦ ବିଜେତା ଏବଂ ରୁପେ କାର୍ଡ ପାଇଁ ୧୧,୯୦୦ ବିଜେତାଙ୍କୁ ବଛାଯିବ । ଏହି ଅବସରରେ ରେଳବାଇ ମନ୍ତ୍ରୀ ଶ୍ରୀ ପ୍ରଭୁ କହିଛନ୍ତି, ଦେଶରେ ଏବେ ପ୍ରାୟ ୧୦୦ କୋଟିରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ ଫୋନ୍ ରହିଛି । ଏହି ସଂଖ୍ୟା ପ୍ରତି ମାସରେ ବଢ଼ିବାରେ ଲାଗିଛି । ବିଶେଷକରି ବିମୁଦ୍ରୀକରଣ ପରେ ଡିଜିଟାଲ ନେଣଦେଣ କାରବାର କ୍ରମେ କ୍ରମେ ବୃଦ୍ଧି ପାଉଛି । ଏପରିକି ଗରୀବ ଲୋକମାନେ ମଧ୍ୟ ନିଜର ନୂତନ ରୂପେ କାର୍ଡକୁ ଡେବିଟ୍ ଓ ଏଟିଏମ୍ ଭଳି ବ୍ୟବହାର କରୁଛନ୍ତି । ଓଡ଼ିଶା ଭଳି ଅନଗ୍ରସର ରାଜ୍ୟର ଲୋକଙ୍କ ପାଇଁ ଏହା ବେଶ୍ ସହାୟକ ହେବ । ଜନଧନ ଯୋଜନା ସହ ଆଧାର ନମ୍ବରକୁ ଯୋଡା ଯାଇଥିବାରୁ ବାୟୋମେଟ୍ରିକ ପଦ୍ଧତିରେ ମଧ୍ୟ ନେଣଦେଣ ହୋଇପାରିବ । ଡିଜିଟାଲ କାରବାର ଦ୍ୱାରା ଭ୍ରଷ୍ଟାଚାର କମିବ ଏବଂ ଗରିବ ଲୋକମାନେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ମଧ୍ୟକୁ ଆସିପାରୁଛନ୍ତି ବୋଲି ରେଳ ମନ୍ତ୍ରୀ କହିଥିଲେ । ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ବିମୁଦ୍ରୀକରଣ ବେଳେ ଆମ ଅର୍ଥ ବ୍ୟବସ୍ଥାର ୮୬ ପ୍ରତିଶତ ମୁଦ୍ରାକୁ ଅଚଳ କରାଯାଇ ତା ସ୍ଥାନରେ ନୂତନ ଟଙ୍କାର ପ୍ରଚଳନ କରାଯାଇଛି । ଏବେ ଦେଶରେ ୫୦ ରୁ ୬୦ କୋଟି ଡେବିଟ୍, କ୍ରେଡିଟ୍ ଓ କ୍ୟାସ କାର୍ଡ ପ୍ରଚଳିତ ଅଛି । ଡିଜିଟାଲ ନେଣଦେଣ ବ୍ୟବସ୍ଥା ଉପରେ ଜୋର ଦେବା ପରେ ଅନେକ ଲୋକ ଏଥିପ୍ରତି ଆକୃଷ୍ଟ ହେଉଛନ୍ତି ବୋଲି ସେ କହିଥିଲେ ।




Powered by odothemes.com