congress-corpretarnka-pakhyaru-RDC-nku-dabipatra-(4)

ଆର୍‌ଡିସି କାର୍ଯ୍ୟାଳୟ ଘେରିଲେ କଂଗ୍ରେସ କର୍ପୋରେଟର

37

କଟକ,୧୮ା୩(ବୁ୍ୟରୋ): କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳର ସମସ୍ତ ୱାର୍ଡକୁ ଉନ୍ନୟନ କାର୍ଯ୍ୟ ପାଇଁ ସମାନ ଆର୍ଥିକ ସହାୟତା ଦାବିରେ ସିଏମ୍‌ସି କଂଗ୍ରେସ କର୍ପୋରେଟରଙ୍କ ପକ୍ଷରୁ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଘେରାଉ କରାଯାଇଥିଲା । ଗତ ମାସ ୧୦ ତାରିଖରେ ସିଏମ୍‌ସି କାଉନସିଲ୍‌ ବୈଠକରେ ୨୦୧୭-୧୮ ଆର୍ଥିକ ବର୍ଷର ବାର୍ଷିକ ବଜେଟ୍‌ ପାରିତ ହୋଇଛି । ଗତ ୩ ବର୍ଷ ହେଲା ଏହି ଭଳି ବଜେଟ୍‌ ପାରିତ ହେଉଥିବା ବେଳେ କଟକ ସହରରେ କୌଣସି ଉଲ୍ଲେଖନୀୟ କାର୍ଯ୍ୟ ହେଉନାହିଁ । ପ୍ରତିବର୍ଷ ଶହ ଶହ କୋଟି ଟଙ୍କାର ବ୍ୟୟ ବରାଦ ପାଇଁ ବଜେଟରେ ବ୍ୟବସ୍ଥା ରହୁଥିଲେ ମଧ୍ୟ କଟକ ସହରରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମର ୨୦୧୭-୧୮ ଆର୍ଥିକ ବର୍ଷରେ ପ୍ରତି ୱାର୍ଡର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସରକାରଙ୍କ ତରଫରୁ ଦେଢ କୋଟି ଟଙ୍କା ବ୍ୟୟ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ସହିତ ଗୋଟିଏ ଲେଖାଏଁ ପାର୍କ ନିର୍ମାଣ ପାଇଁ ପ୍ରସ୍ତାବ ଥିବା ବେଳେ ସିଏମ୍‌ସି ଅନ୍ତର୍ଗତ ବିଭିନ୍ନ ୱାର୍ଡ ଗୁଡିକରେ ବିକାଶ ନିମନ୍ତେ ବଜେଟରେ ବ୍ୟୟ ବରାଦ ପାଇଁ ଅନୁରୂପ ବ୍ୟବସ୍ଥା ନ ରହିବା ଅତ୍ୟନ୍ତ ଦୁଃଖର ବିଷୟ । ଗୋଟିଏ ପଟେ ଭୁବନେଶ୍ୱର-କଟକକୁ ଯମଜ ସହରର ମାନ୍ୟତା ଦେଇଥିବା ବେଳେ ଅନ୍ୟ ପକ୍ଷରେ କଟକ ସହର ପ୍ରତି ବୈମାତୃକ ମନଭାବ ପୋଷଣ କରାଯାଇଥିବା କଂଗ୍ରେସ କର୍ପୋରେଟର ପକ୍ଷରୁ ନିନ୍ଦା କରାଯାଇଥିଲା । ଭୁବନେଶ୍ୱର ମହାନଗର ନିଗମର ପ୍ରତି ୱାର୍ଡ ପାଇଁ ଦେଢ କୋଟି ଟଙ୍କା ବ୍ୟୟ ମଞ୍ଜୁର ଭଳି କଟକ ମହାନଗର ନିଗମରେ ସହି ବ୍ୟବସ୍ଥା ପ୍ରଚଳନ ପାଇଁ ବିରୋଧୀ କର୍ପୋରେଟରଙ୍କ ପକ୍ଷରୁ ଦାବି କରାଯାଇଥିଲା । ଉପରୋକ୍ତ ଦାବି ଉପରେ ଆରଡିସିଙ୍କ ଜରିଆରେ ନଗର ଉନ୍ନୟନ ସଚିବଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । କର୍ପୋରେଟର ଗିରିବାଳା ବେହରାଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭରେ ଅରୁଣ କୁମାର ସେଠୀ, ଗୌରି ଦାସ, ନମିତା ମଞ୍ଜରୀ ସାହୁ, ପାରୁଲ ଜେସୱାଲ, ସେକ ସମ୍ମିଉଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com