badrinarayan-patra

ସେପ୍ଟେମ୍ବରରେ ସରିବ ଗୁରୁପ୍ରିୟା ସେତୁ: ମନ୍ତ୍ରୀ

27

ଭୁବନେଶ୍ୱର (ବୁ୍ୟରୋ): ଆସନ୍ତା ସେପ୍ଟେମ୍ବରରେ ଗୁରୁପ୍ରିୟା ସେତୁର କାର୍ଯ୍ୟ ଶେଷ କରାଯିବ । ଏହାଛଡା ବିଜୁ ଏକ୍ସପ୍ରେସ୍ ୱେ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏଥିଲାଗି ୨୦୧୭-୧୮ ଆର୍ଥିକ ବର୍ଷ ବଜେଟ୍ରେ ୧୮୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ପୂର୍ତ୍ତ ବିଭାଗ ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଗ୍ରାମ୍ୟ ଉନ୍ନୟନମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ବିଧାନସଭାରେ ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ପାତ୍ର ୨୦୧୭-୧୮ ଆର୍ଥିକ ବର୍ଷ ଲାଗି ପୂର୍ତ୍ତ ବିଭାଗର ୪୯୫୭ କୋଟି ୪୭ଲକ୍ଷ ୮୭ହଜାର ଟଙ୍କାର ଖର୍ଚ୍ଚ ଦାବି ଆଗତ କରିଥିଲେ । ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖି ମନ୍ତ୍ରୀ କହିଥିଲେ ଯେ ୨୦୧୬-୧୭ ଆର୍ଥିକ ବର୍ଷରେ ମୋଟ ଯୋଜନା ଅନୁଦାନର ୬୨.୭୩ ପ୍ରତିଶତ ଡିସେମ୍ବର ସୁଦ୍ଧା ଖର୍ଚ୍ଚ ହୋଇଛି । ଚଳିତ ବର୍ଷ ଝାରସୁଗୁଡା ଜିଲ୍ଲାର ଇବ୍ ନଦୀ ଉପରେ ସେତୁ ନିର୍ମାଣ, ସମ୍ବଲପୁର ସହର ନେଲ୍ସନ୍ ମାଣ୍ଡେଲ୍ରେ ମହାନଦୀ ଉପରେ ସେତୁ, କଟକ ମହାନଦୀ ଉପରେ ଚହଟା ଘାଟରେ ସେତୁ ଓ କଟକ କାଠଯୋଡି ନଦୀରେ ସେତୁ ନିର୍ମାଣ କାର୍ଯ୍ୟ କରାଯିବ । ସମସ୍ତ ପ୍ରକଳ୍ପର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଗ୍ରଗତି ଓ ଖର୍ଚ୍ଚ ଉପରେ ନଜର ରଖିବା ନିମନ୍ତେ ଇ ନିର୍ମାଣ ପ୍ରକଳ୍ପ ପରିଚାଳନା ପଦ୍ଧତି ଅନୁସରଣ କରାଯାଉଛି । ଓଡିଶାର ସମସ୍ତ ରାସ୍ତାକୁ ଏକ ସାମଗ୍ରୀକ ଯୋଜନା କରାଯାଇଛି । ୨୦୧୭-୧୮ଆର୍ଥିକ ବର୍ଷରେ ୫୦୦କୋଟି ଟଙ୍କା ବ୍ୟୟବରାଦ କରାଯାଇ ୫ଟି ସେତୁ ନିର୍ମାଣ ସମ୍ପୂର୍ଣ୍ଣ ଓ ୨୩୬କିଲୋମିଟର ରାସ୍ତାର ଉନ୍ନତିକରଣ ଲାଗି ଯୋଜନା କରାଯାଇଛି । ବିଶ୍ୱବ୍ୟାଙ୍କ ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ପାଇଁ ୧୬୩ ନିୟୁତ ଆମେରିକୀୟ ଡଲାର ଋଣ ସହାୟତା ପ୍ରଦାନ ପାଇଁ ଚୁକ୍ତି କରିଛନ୍ତି । ଏଥିରେ ସହମତି ପ୍ରଦାନ କରାଯାଇ ୧୩୮୯.୦୮କୋଟି ଟଙ୍କା ଅଟକଳରେ ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ଯୋଜନା ଅଧୀନରେ ୩୦୩କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଅଧିକ ଯାନବାହନ ଚଳାଚଳ କରୁଥିବା ରାସ୍ତାଗୁଡିକର ଉନ୍ନତିକରଣ କାର୍ଯ୍ୟ କରାଯାଉଛି । ସରକାରୀ ଓ ବେସରକାରୀ ଭାଗିଦାରୀରେ ଆସନ୍ତା ଆର୍ଥିକ ବର୍ଷରେ ୧୨୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ଯୋଜନାରେ କ୍ୟାପିଟାଲ୍ ରିଜିନ୍ ରିଂରୋଡ୍ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି । ୫ଟି ନକ୍ସଲପ୍ରବଣ ଜିଲ୍ଲା ମାଲକାନାଗିରି, ରାୟଗଡା, ଦେଓଗଡ, ସମ୍ବଲପୁର, ଗଜପତି ଜିଲ୍ଲାରେ ଲୋକଙ୍କ ଗମନାଗମନ ସୁବିଧା ପାଇଁ ରାଜ୍ୟସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସରକାର ୨୦୧୨ ଡିସେମ୍ବର ସୁଦ୍ଧା ଗଜପତି ଜିଲ୍ଲାରେ ୨ଟି, ରାୟଗଡାରେ ୨ଟି, ସମ୍ବଲପୁରରେ ଗୋଟିଏ, ମାଲକାନାଗିରି ଜିଲ୍ଲାରେ ୮ଟି ମୋଟ ୬୧୪.୧୨କିଲୋମିଟର ଦୈର୍ଘ୍ୟ ୧୩ଟି ରାସ୍ତା ପ୍ରକଳ୍ପର ଉନ୍ନତିକରଣ ଓ ମାଲାକାନାଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ ପାଇଁ ୯୭୭.୨୬କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିମଧ୍ୟରେ ମାଲକାନାଗିରି ଜିଲ୍ଲାର ୩ଟି ପ୍ରକଳ୍ପକୁ ଛାଡି ଦେଇ ଅବଶିଷ୍ଟ ୧୦ଟି ରାସ୍ତା ପ୍ରକଳ୍ପ ଶେଷ ହୋଇଛି । କେବିକେ ଜିଲ୍ଲାର ବିକାଶ ପାଇଁ ୨୦୦୧-୦୨ରୁ ୨୦୧୫-୧୬ ବର୍ଷ ଶେଷ ସୁଦ୍ଧା ୭୭୨.୦୯ କିଲୋମିଟର ରାସ୍ତାର ଉନ୍ନତିକରଣ ଓ ୨୯ଟି ସେତୁର ନିର୍ମାଣ ୨୬୦.୪୩ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି । ୨୦୧୭-୧୮ଆର୍ଥିକ ବର୍ଷରେ ପୁରୀରେ ମୌଳିକ ସୁଖସୁବିଧା ପାଇଁ ସରକାର ଅଭଡା ନାମରେ ଏକ ନୂଆ ଯୋଜନା କରିଛନ୍ତି । ଏଥିପାଇଁ ୧୦୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆଗାମୀ ଆର୍ଥିକ ବର୍ଷରେ ରାଜଧାନୀର ବିଭିନ୍ନ ରାସ୍ତାର ଉନ୍ନତିକରଣ ନିମନ୍ତେ ୪୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ । ବିଧାୟକ ଭୁଜବଳ ମାଝି, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମୀର ଦାସ, ପ୍ରତାପ ଜେନା, ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ତାରାପ୍ରସାଦ ବାହିନୀପତି ଓ ପ୍ରଦୀପ ପୁରୋହିତ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।




Powered by odothemes.com