ନକ୍ସଲ୍‍ ନେଇଗଲେ ୭ ଗ୍ରାମବାସୀଙ୍କୁ

ମାଲକାନଗିରି, ୧୪ ।୪(ଆପ୍ର): ଓଡିଶା ସମେତ ୯ଟି ଉପଦ୍ରୁତ ରାଜ୍ୟର ଗୁଇନ୍ଦା ମୁଖ୍ୟମାନେ ଭୁବନେଶ୍ୱରରେ ନକ୍ସଲ ମୁକାବିଲା ରଣନୀତି ପ୍ରସ୍ତୁତ କରିବାର ସପ୍ତାହେ ନଯାଉଣୁ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ୍‍ର ପୂର୍ବତନ ଅଧ୍ୟକ୍ଷ ତ୍ରିନାଥ ଭୂମିଆଙ୍କ ସମେତ କର୍ତ୍ତନପାଲୀ ଗାଁର ୭ ଜଣ ଲୋକଙ୍କୁ ନକ୍ସଲମାନେ ଅପହରଣ କରିନେଇଛନ୍ତି । ସୀମାନ୍ତବର୍ତ୍ତୀ ଛତିଶଗଡରେ ନକ୍ସଲଙ୍କ ଗୁଳିମାଡରେ କାଲିସୁଦ୍ଧା ୧୩ ଜଣ ଯବାନ ସହିଦ ହେବା ଓ ୧୨ ଜଣ ଯବାନ ଗୁରୁତର ଆହତ ହେବା ଘଟଣା ପରେ ଏହି ଅପହରଣକାଣ୍ଡ ମାଲକାନଗିରି ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି । ତାପିର୍ଯ୍ୟପୂର୍ଣ୍ଣ ଏହି ଯେ ସମ୍ଭାବ୍ୟ ନକ୍ସଲ ଉପଦ୍ରବ ସମ୍ପର୍କରେ କେନ୍ଦ୍ରୀୟ ଗୁଇନ୍ଦା ବୁ୍ୟରୋ (ଆଇବି) ସୂଚନା ପାଇ ପୁଲିସ୍‍ ରାଜ୍ୟର ଉପଦ୍ରୁତ ଅଞ୍ଚଳରେ ହାଇଆଲର୍ଟ ଜାରି କରିଥିବାବେଳେ ନକ୍ସଲମାନେ ତାହାକୁ ଭ୍ରୂକ୍ଷେପ ନକରି ସୀମା ସୁରକ୍ଷା ବାହିନୀ (ବିଏସ୍‍ଏଫ୍‍) ଶିବିର ଥିବା କର୍ତ୍ତନପାଲୀ ଗାଁ ଭିତରୁ ୭ ଜଣ ଲୋକଙ୍କୁ ଉଠାଇନେଇଛନ୍ତି ।
କେଉଁ କାରଣରୁ ନକ୍ସଲମାନେ ଏହି ଅପହରଣ କାଣ୍ଡ ଭିଆଇଛନ୍ତି, ତାହା ଜଣାପଡିନଥିଲେ ମଧ୍ୟ କାଲି ବିଳମ୍ବିତ ରାତିରେ ପ୍ରାୟ ୨୫ ଜଣ ସଶସ୍ତ୍ର ନକ୍ସଲ ଛତିଶଗଡ ସୀମାନ୍ତବର୍ତ୍ତୀ କର୍ତ୍ତନପାଲୀ ଗାଁକୁ ଆସି ପୂର୍ବତନ ବ୍ଲକ୍‍ ଅଧ୍ୟକ୍ଷ ଶ୍ରୀ ଭୂମିଆ ଓ ଅନ୍ୟ ୫ ଜଣ ଲୋକଙ୍କ ଘର କବାଟ ବାଡେଇ ଡାକିଥିଲେ । ସେମାନେ ବାହାରକୁ ଆସିବା ପରେ ବନ୍ଧୁକ ଦେଖାଇ ସାଥିରେ ଯିବାକୁ ନିର୍ଦ୍ଧେଶ ଦେଇଥିଲେ । କର୍ତ୍ତନପାଲୀ ଗାଁରୁ ୬ ଜଣଙ୍କୁ ନେଇଯାଉଥିବାବେଳେ ନକ୍ସଲମାନେ ନିକଟବର୍ତ୍ତୀ ବାରା ଗାଁରୁ ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଅନୁରୂପ ଢଙ୍ଗରେ ନେଇଯାଇଥିଲେ । ଏ ସମ୍ପର୍କରେ ପୁଲିସ୍‍ରେ କେହି ରିପୋର୍ଟ କରିନଥିଲେ ମଧ୍ୟ ସିପିଆଇ (ମାଓବାଦୀ)ର ଦରବା ଡିଭିଜନର ନକ୍ସଲମାନେ ଅପହରଣକାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ, ଛତିଶଗଡର ଦରବା ଅଞ୍ଚଳ କର୍ତ୍ତନପାଲୀ ଗାଁର ସୀମା ସଂଲଗ୍ନ ଓ ସେହି ଅଞ୍ଚଳରେ ଦରବା ଡିଭିଜନର ନକ୍ସଲମାନେ ସକ୍ରିୟ ଅଛନ୍ତି । ଘଟଣା ସମ୍ପର୍କରେ ଖବର ପାଇବା ପରେ ଏସ୍‍ପି ମିତ୍ରଭାନୁ ମହାପାତ୍ର ଏକ ପୁଲିସ୍‍ ଟିମ୍‍କୁ କର୍ତ୍ତନପାଲୀ ଓ ବାରା ଗାଁକୁ ପଠାଇଛନ୍ତି । ଡିଜିପି ସଂଜୀବ ମାରିକ୍‍ କହିଛନ୍ତି ଯେ ଏସ୍‍ପିଙ୍କଠାରୁ ରିପୋର୍ଟ ମଗାଯାଇଛି ।