ଅଶୋକ (ସମ୍ରାଟ)

Ashoka

ଅଶୋକ (୩୦୪- ୨୩୨ ଖ୍ରୀ: ପୂ ) ଜଣେ ଭାରତୀୟ ମୌର୍ଯ୍ୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂ ରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନ ଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବ ଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତ୍ରୁତ ଥିଲା । ସେ ବିଧ୍ଵଂସୀ କଳିଙ୍ଗ ଯୁଦ୍ଧ ର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକ ରେ ପରିବର୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ । ଅଶୋକ ପ୍ରେମ, ସାଧୁତା, ଅହିଂସା ଓ ସାତ୍ତ୍ଵିକତାର ପୂଜାରୀ ଥିଲେ ।

ସଂସ୍କୃତ ରେ ଅଶୋକ ର ଅର୍ଥ ହେଉଛି : “ଯନ୍ତ୍ରଣା ହୀନତା” ।

କଳିଙ୍ଗ ଯୁଦ୍ଧ

ଚନ୍ଦ୍ରଗୁପ୍ତ ଓ ବିନ୍ଦୁସାରଙ୍କ ରାଜତ୍ଵ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ଵାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ରୋମାଞ୍ଚକର ବିଭୀଷିକା ବର୍ଣ୍ଣିତ ହୋଇଛି ।

ଧର୍ମ ପ୍ରଚାର

ଅଶୋକ, ବିଶ୍ଵ ଦରବାର ରେ ବୌଦ୍ଧଧର୍ମ କୁ ପରିଚିତ କରାଇବାରେ ଏକ ଉଲ୍ଲେଖନୀୟ ଅବଦାନ ବହନ କରନ୍ତି । ତାଙ୍କ ସାମ୍ରାଜ୍ୟ ର ଚିହ୍ନ “ଅଶୋକ ସ୍ତମ୍ଭ” ଆଜି ଭରତ ର ରାଷ୍ଟ୍ରୀୟ ଚିହ୍ନ ଭାବେ ପରିଚିତ ।

ସାମ୍ରାଜ୍ୟ

ଅଶୋକଙ୍କ ବିଭିନ୍ନ ଶିଳାଲିପିଗୁଡିକରୁ ଜଣାଯାଏ, ତାଙ୍କର ସାମ୍ରାଜ୍ୟ ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ କର୍ଣ୍ଣାଟକ ଏବଂ ପଶ୍ଚିମରେ ଆଫଗାନିସ୍ଥାନ ଓ ବେଲୁଚିସ୍ଥାନଠାରୁ ପୂର୍ବରେ ବ୍ରହ୍ମପୁତ୍ର ନଦୀ ଓ ବଙ୍ଗୋପସାଗର ପର୍ଯ୍ୟନ୍ତ ବିସ୍ତୃତ ଥିଲା ।

ନିଜର ଅସାଧାରଣ ବ୍ୟକ୍ତିତ୍ଵ, ଉଦାର ଧର୍ମନୀତି, ଅହିଂସା ନୀତି, ବୌଦ୍ଧ ଧର୍ମର ପ୍ରଚାର ତଥା ଲୋକହିତକର ରାଜ୍ୟଶାସନ ଯୋଗୁଁ ଅଶୋକ ବିଶ୍ଵ ଇତିହାସରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି ।

ମୌର୍ଯ୍ୟ ଶାସନପଦ୍ଧତି

କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, ମେଘାସ୍ଥିନିସଙ୍କ ଇଣ୍ଡିକା ଏବଂ ଅଶୋକଙ୍କର ଶିଳାନୁଶାସନରୁ ମୌର୍ଯ୍ୟ ଶାସନପଦ୍ଧତି ବିଷୟ ଜଣାଯାଏ । ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟରେ ଚନ୍ଦ୍ରଗୁପ୍ତ ଏକ ସୁଦୃଢ଼ ଓ ସୁପରିକଳ୍ପିତ ଶାସନପଦ୍ଧତିର ପ୍ରଚଳନ୍ କରିଥିଲେ । ତାଙ୍କପରେ ଅଶୋକ ଏହି ଶାସନ ପ୍ରଣାଳୀରେ କେତେକ ସଂସ୍କାର କରିଥିଲେ । ମୌର୍ଯ୍ୟ ଶାସନର ମୂଳଲକ୍ଷ୍ୟ ଥିଲା ଜନକଲ୍ୟାଣ ।