କେତେ ସାକାର ହୋଇଛି ବିଜୁଙ୍କ ସ୍ୱପ୍ନ

40

ଭୁବନେଶ୍ୱର, ୪ା୩(ବୁ୍ୟରୋ): ବିଜୁ ପଟ୍ଟନାୟକଙ୍କ ଅଧୂରା ସ୍ୱପ୍ନ ପୂରା କରିବା ପାଇଁ ବିଜୁଙ୍କ ଅବର୍ତ୍ତମାନରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ । ବିଜୁଙ୍କ ସ୍ୱପ୍ନ ଓ ଆଦର୍ଶକୁ ଆଧାର କରି ଗଠିତ ହୋଇଥିବା ଏହି ଦଳକୁ ରାଜ୍ୟବାସୀ ଗତ ସତର ବର୍ଷ ଧରି କ୍ଷମତାସୀନ କରିଛନ୍ତି । ବିଜୁଙ୍କ ସୁପୁତ୍ର ନବୀନ ପଟନାୟକ ବି ଲୋକଙ୍କ ଆଶା ଓ ବିଶ୍ୱାସକୁ ତଳେ ପକାଇ ଦେଇନାହାନ୍ତି । ଓଡିଶାର ପ୍ରବାଦ ପୁରୁଷଙ୍କ ସ୍ୱପ୍ନକୁ ଚରିତାର୍ଥ କରିବା ପାଇଁ ଗତ ସତର ବର୍ଷ ଭିତରେ ସେ ଅନେକ ଉଦ୍ୟମ କରିଛନ୍ତି । ଚାଷୀର କ୍ଷେତକୁ ସବୁଜ କରିବା ପାଇଁ ବିଜୁ କୃଷକ ବିକାଶ ଯୋଜନା, ଗରିବଙ୍କୁ ଘର ଯୋଗାଇ ଦେବା ପାଇଁ ବିଜୁ ପକ୍କା ଘର ଯୋଜନା, ଯୁବକ-ଯୁବତୀଙ୍କ ପାଇଁ ବିଜୁ ଯୁବ ସଶକ୍ତିକରଣ ଯୋଜନା, ବେକାରୀ ସମସ୍ୟା ଦୂର ପାଇଁ ବିଜୁ ଆତ୍ମନିଯୁକ୍ତି ଯୋଜନା, ଶିଶୁଙ୍କ ପାଇଁ ବିଜୁ ଶିଶୁ ସୁରକ୍ଷା ଯୋଜନା, ଝିଅମାନଙ୍କ ବିକାଶ ପାଇଁ ବିଜୁ କନ୍ୟାରତ୍ନ ଯୋଜନା, ଗ୍ରାମାଞ୍ଚଳକୁ ଗମନାଗମନ ପାଇଁ ବିଜୁ ଗାଁ ଗାଡି ଯୋଜନା, ବିଜୁ ସେତୁ ଯୋଜନା, ଗ୍ରାମାଞ୍ଚଳକୁ ବିଦୁ୍ୟତ ସେବା ପହଞ୍ଚାଇବା ପାଇଁ ବିଜୁ ଗ୍ରାମଜ୍ୟୋତି ଯୋଜନା, କେବିକେ ଅଞ୍ଚଳର ବିକାଶ ପାଇଁ ବିଜୁ କେବିକେ ଯୋଜନା, ଏମିତି ଅନେକ ଯୋଜନା ହୋଇଛି ଗତ ସତର ବର୍ଷ ଭିତରେ । କେବଳ ବିଜୁଙ୍କ ନାଁରେ ଯୋଜନାର ନାମକରଣ କରି ନୁହେଁ, ସବୁ ଯୋଜନାର ସୁଫଳ କିପରି ଗ୍ରାମାଞ୍ଚଳରେ ତଥା ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି ସରକାର ।
ବିଜୁ ପଟ୍ଟନାୟକ ସବୁବେଳେ ରାଜ୍ୟର ଚାଷୀ ଓ ଚାଷର ବିକାଶ କଥା କହୁଥିଲେ, ଯେଉଁଥିପାଇଁ ନବୀନଙ୍କ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କ ପାଖରୁ ହାସଲ କରିଛନ୍ତି କୃଷି କର୍ମଣ ପୁରସ୍କାର । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଓ ପୁରୁଷଙ୍କ ସମକକ୍ଷ କରିବା ଉପରେ ଗୁରୁତ୍ୱ ଦେଉଥିଲେ ବିଜୁ । କ୍ଷୁଧାମୁକ୍ତ ଓଡିଶାର ସ୍ୱପ୍ନ ଦେଖୁଥିଲେ ସେ । ଗରିବ ଓ ଅସହାୟ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତାର ହାତ ବଢାଇଥିବା ନବୀନ କ୍ଷୁଧାମୁକ୍ତ ଓଡିଶା ପାଇଁ ବି ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ଆହାର ଯୋଜନା ତାର ଏ ଅଂଶ । ଏକବିଂଶ ଶତାବ୍ଦୀ ପାଇଁ ବିଜୁ ପଟନାୟକଙ୍କ ସବୁ ସ୍ୱପ୍ନକୁ ସାକାର କରିବା ପାଇଁ ନବୀନ ଗତ ସତରବର୍ଷ ଭିତରେ ଯେତିକି ପଦକ୍ଷେପ ନେଇଛନ୍ତି, ସେଥିରେ ଓଡିଶା ଯେ ବିକାଶ ମୁହାଁ ହୋଇଛି, ଏଥିରେ ଦ୍ୱିମତ ନାହିଁ । ନବୀନଙ୍କ କାର୍ଯ୍ୟଶୈଳୀକୁ ଲୋକେ ଗ୍ରହଣ କରିଛନ୍ତି ଏବଂ ପ୍ରତି ନିର୍ବାଚନରେ ନିରଙ୍କୁଶ ସମର୍ଥନ ଅଜାଡି ଦେଇଛନ୍ତି । ନବୀନ ବି ବିଜୁଙ୍କ ସ୍ୱପ୍ନର ଓଡିଶା ଗଠନ ପାଇଁ ରାଜ୍ୟବାସୀଙ୍କ ସହଯୋଗ ଲୋଡି ଆସିଛନ୍ତି । ନିଷ୍ଠାପର ଓ ନିରନ୍ତର ଉଦ୍ୟମ ଅବ୍ୟାହତ ରହିଲେ ସମଗ୍ର ଦେଶରେ ସ୍ୱାଭିମାନୀ ତଥା ବିକଶିତ ରାଜ୍ୟ ଭାବେ ପରିଗଣିତ ହେବାକୁ ଓଡିଶାକୁ ଆଉ ବେଶୀ ଦିନ ଲାଗିବ ନାହିଁ ।

ସେଆର କରନ୍ତୁ:



Powered by odothemes.com