କିଣାଯିବ ସମସ୍ତ ବଳକା ଧାନ

31

ଭୁବନେଶ୍ୱର,୪ା୩ (ବୁ୍ୟରୋ): ଚାଷୀମାନଙ୍କର ସମସ୍ତ ବଳକା ଯୋଗ୍ୟ ଧାନ କିଣାଯିବ । ସରକାର ଏଥିପାଇଁ ପ୍ରତିଶ୍ରୁତିବଦ୍ଧ । ଏହାଛଡା ଧାନ କିଣିବା ପାଇଁ ପଞ୍ଚାୟତକୁ ଲାଇସେନ୍ସ ପ୍ରଦାନ ନେଇ ବିଧାୟକମାନେ ପ୍ରସ୍ତାବ ଦେଲେ ସରକାର ଏହା ଉପରେ ବିଚାର କରିବେ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାଶବର୍ମା କହିଛନ୍ତି । ଆଜି ବିଧାନସଭାରେ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କ ମୂଳ ପ୍ରଶ୍ନ ସହ ବିଭୂତି ଭୂଷଣ ହରିଚନ୍ଦନ, ପଦ୍ମନାଭ ବେହେରା, ତାରାପ୍ରସାଦ ବାହିନୀପତି, ବସନ୍ତ ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ରବି ନାରାୟଣ ନାୟକ, ପ୍ରଦୀପ ପୁରୋହିତ ଓ ଡକ୍ଟର ପ୍ରପୁଲ ମାଝୀଙ୍କର ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଦାଶବର୍ମା କହିଥିଲେ ଯେ ଚଳିତ ଖରିଫ ବର୍ଷରେ ସମୁଦାୟ ୩୧, ୧୪ହଜାର ୭୮୯ଟନ୍ ଧାନ ସଂଗ୍ରହ କରାଯାଇଛି । ଧାନ ସଂଗ୍ରହ ବାବଦରେ ଚାଷୀଙ୍କୁ ୪,୫୭୯କୋଟି ଟଙ୍କା ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ୪୧ଶହ ୫୫କୋଟି ଟଙ୍କା ଅନଲାଇନ୍ରେ ଚାଷୀଙ୍କୁ ଦିଆଯାଇଛି । ବ୍ୟବସ୍ଥାକୁ ସୁସଂଗଠିତ କରିବା ପାଇଁ ୨୯୪ବ୍ଲକ୍ରେ ବି-ପାସ୍ ବ୍ୟବସ୍ଥା କରାଯାଇଛି । ମଣ୍ଡିଗୁଡିକରେ ଅସାଧୁ ବ୍ୟବସାୟୀଙ୍କ ହସ୍ତକ୍ଷେପ ରହିଛି ବୋଲି ବିଧାୟକମାନେ ଯେଉଁ ଅଭିଯୋଗ କରିଛନ୍ତି ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପ୍ରିଲ ୩୦ ତାରିଖ ଯାଏ ଧାନ ସଂଗ୍ରହ କରାଯିବ । ଧାନ ସଂଗ୍ରହ ସମୟ ସୀମା ବଢ଼ାଇବା ଲାଗି ରାଜ୍ୟ ପକ୍ଷରୁ କେନ୍ଦ୍ର ସକରାରଙ୍କୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହା ସେ ଗ୍ରହଣ କରିଛନ୍ତି । ମଣ୍ଡିଗୁଡିକ କେତେ ଦିନ ଖୋଲାଯିବ ସେ ସଂପର୍କରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଥିବା ଜିଲ୍ଲାସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥାଏ । ବିଧାୟକମାନେ ଏହାର ସଦସ୍ୟ ଅଛନ୍ତି । ତେଣୁ ଅଭିଯୋଗ ନ କରି କମିଟି ବୈଠକରେ ଆଲୋଚନା କରି ନିଷ୍ପତ୍ତି ନିଅନ୍ତୁ । ରାଜ୍ୟରେ ଥିବା ୨୪୨୪ଟି ପ୍ରାଥମିକ କୃଷି ସମବାୟ ସମିତି ରହିଛି ଓ ୨୦୦୯ଟି ମଣ୍ଡି ଖୋଲାଯାଇଛି । ରାଜ୍ୟରେ ୯ଲକ୍ଷ ୪ହଜାର ୨୩୧ଜଣ ପଞ୍ଜିକୃତ ଚାଷୀ ଅଛନ୍ତି । ଭାଗଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଧାରକାର୍ଡ ଦେଖାଇ ଧାନ ସଂଗ୍ରହ କରାଯିବ । ଏଫ୍ଏକୁ୍ୟ ନାମରେ ମିଲରମାନେ ୫ରୁ ୧୦କେଜି କାଟି ନେଉଥିବା ଅଭିଯୋଗର ତଦନ୍ତ କରାଯିବ । ଯେଉଁ ମିଲରମାନେ ଗତ ବର୍ଷର ଶତ ପ୍ରତିଶତ ଚାଉଳ ଫେରାଇଛନ୍ତି ସେମାନଙ୍କୁ ଧାନକିଣାରେ ସାମିଲ କରାଯାଇଛି । ଧାନ କିଣା ପ୍ରକ୍ରିୟାରେ ସଂପୂର୍ଣ୍ଣ ସ୍ୱଚ୍ଛତା ଆଣିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଦାନ ସଂଗ୍ରହ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗର ସୂଚନା ଦେବାପାଇଁ ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । କଳାହାଣ୍ଡିରେ ୧୦-୧୫ଦିନ ହେଲା ଧାନ ସଂଗ୍ରହ ସମୟରେ କେହି ମଣ୍ଡିକୁ ଆସିନଥିବା ଅଭିଯୋଗର ତଦନ୍ତ ଦାବିକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଏ ସଂପର୍କରେ ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ ଓ ସାଂସଦମାନେ ବସି ଆଲୋଚନା କରି ଅନୁଧ୍ୟାନ କରିପାରିବେ ।




Powered by odothemes.com