arun-sahoo

ପଞ୍ଚାୟତ ସମିତି ସଦସ୍ୟଙ୍କୁ କ୍ଷମତା ଦେବାପାଇଁ ବିଧାୟକ ପ୍ରସ୍ତାବ ଦିଅନ୍ତୁ

38

ଭୁବନେଶ୍ୱର: ସମ୍ବିଧାନର ବ୍ୟବସ୍ଥା ଅନୁସାରେ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ କ୍ଷମତା ଦିଆଯାଇଛି । ପଞ୍ଚାୟତ ସମିତି ସଦସ୍ୟଙ୍କୁ କ୍ଷମତା ଦେବାନେଇ ବିଧାୟକମାନେ ପ୍ରସ୍ତାବ ଦିଅନ୍ତୁ । ସରକାର ଏହାର ବିଚାର କରି ପଦକ୍ଷେପ ନେବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।  ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳଙ୍କ ମୂଳ ପ୍ରଶ୍ନ ଓ ସଭ୍ୟ ପ୍ରମୋଦ ମଲ୍ଲିକ, ପଦ୍ମନାଭ ବେହେରା, ପ୍ରଶାନ୍ତ ମୁଦୁଲି, ସୁଶାନ୍ତ ସିଂ, ପ୍ରଦୀପ ପୁରୋହିତ ପ୍ରମୁଖଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ଯେ, ପଞ୍ଚାୟତ ପୁନର୍ଗଠନରେ ଯେତେ ନୂତନ ପଞ୍ଚାୟତ କରାଯାଇଛି, ସେଠାରେ ଆସନ୍ତା ବର୍ଷକ ମଧ୍ୟରେ ନୂତନ କାର୍ଯ୍ୟାଳୟ ନିର୍ମାଣ କରାଯିବ । ଖୁବ୍ଶୀଘ୍ର ୩୦ଟି ଜିଲ୍ଲାରେ ପଞ୍ଚାୟତଗୁଡ଼ିକର ସମ୍ପତ୍ତି ଆକଳନ କରାଯାଇ ଡାଟା ବେସ୍ ପ୍ରସ୍ତୁତ ହେବ । ପଞ୍ଚାୟତିରାଜ ସଂସ୍ଥା ନିଜସ୍ୱ ସମ୍ବଳ ସୃଷ୍ଟି ପାଇଁ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ଚତୁର୍ଥ ରାଜ୍ୟ ଅର୍ଥ କମିଶନ୍ଙ୍କ ସୁପାରିଶ ଅନୁସାରେ ତି୍ରସ୍ତରୀୟ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ ଉତ୍ତରାଧିକାରୀ ସୂତ୍ରରେ ପ୍ରବର୍ତ୍ତନ ପାଣ୍ଠି ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତକୁ ଯଥାକ୍ରମେ ୫:୨୦:୭୫ ଆନୁପାତିକ ହାରରେ ପ୍ରଦାନ କରାଯାଉଛି । କମିଶନ୍ଙ୍କ ସୁପାରିଶ ଅନୁସାରେ ପ୍ରବେଶ ଶୁଳ୍କ, ଆମେଦ ଶୁଳ୍କ ଓ ମୋଟର ଯାନ ଶୁଳ୍କ ସିଧାସଳଖ ଅଲଗା ଅଲଗା ଭାବରେ ସରକାର ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ ଜିଲ୍ଲାପରିଷଦ ମାଧ୍ୟମରେ ପ୍ରଦାନ କରୁଛନ୍ତି । ଗ୍ରାମପଞ୍ଚାୟତଗୁଡ଼ିକରେ ନିଜସ୍ୱ ସମ୍ବଳ ବୃଦ୍ଧି ପାଇଁ ସ୍ୱତନ୍ତ୍ର ଭାବେ ପ୍ରତି ପଞ୍ଚାୟତକୁ ରାଜସ୍ୱ ସଂଗ୍ରହ ପାଇଁ ୧୦ଲକ୍ଷ ଟଙ୍କାର ଅନୁଦାନ ଦିଆଯାଉଛି । ଏଥିରେ ଆୟ ବୃଦ୍ଧି ନିମନ୍ତେ କଲ୍ୟାଣମଣ୍ଡପ, ମାର୍କେଟ୍ କମ୍ପ୍ଲେକ୍ସ, ପୋଖରୀ ତଥା ଫଳବଗିଚା ଇତ୍ୟାଦି ପ୍ରକଳ୍ପ ସୃଷ୍ଟି କରାଯାଇଛି । ୨୦୧୫-୧୬ ଆର୍ଥିକ ବର୍ଷରେ ୧୩୭.୮୦ କୋଟି ଟଙ୍କା ବିନିଯୋଗ କରାଯାଇ ୧୦୭୪ଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ୨୦୧୬-୧୭ରେ ୧୩୯.୪୦ କୋଟି ଟଙ୍କା ବିନିଯୋଗରେ ୯୫୮ଟି ପ୍ରକଳ୍ପ ମଞ୍ଜୁର୍ ହୋଇଛି । ପଞ୍ଚାୟତଗୁଡ଼ିକର ଆଭ୍ୟନ୍ତରୀଣ ନିଜସ୍ୱ ଆୟ ବୃଦ୍ଧି ପାଇଁ ଆଇନ୍ରେ ଥିବା ବ୍ୟବସ୍ଥା ଅନୁଯାୟୀ ସେମାନେ ଉପଯୋଗ କରି ବିଭିନ୍ନ ସୂତ୍ରରୁ ଆୟ କରିପାରିବେ । ଉକ୍ତ ଆୟକୁ ପଞ୍ଚାୟତଗୁଡ଼ିକ ନିଜ ନିଜର କଣ୍ଟିଜେନ୍ସି ଖର୍ଚ୍ଚ, ସମ୍ପଦ ସୃଷ୍ଟି ତଥା ସ୍ଥାୟୀ ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ କରିପାରିବେ ବୋଲି ଶ୍ରୀ ସାହୁ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com