Bikram-Keshari-Arukh.

ପକ୍ଷୀ ଶିକାର ନେଇ ଉଦ୍ବେଗ

54

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାର ସମେତ ଚିଲିକା ଓ ଅନ୍ୟ ସ୍ଥାନରେ ବିଦେଶାଗତ ପକ୍ଷୀଙ୍କର ଶିକାର ନେଇ ଆଜି ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି । ପ୍ରଶ୍ନୋତ୍ତର କାଳରେ ଦଳମତ ନିର୍ବିଶେଷରେ ବିଧାୟକମାନେ ଏହି ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ, ହୀରାକୁଦ ଜଳଭଣ୍ଡାରରେ ଆବଶ୍ୟକୀୟ ପାଟ୍ରୋଲିଂ ବ୍ୟବସ୍ଥା ନଥିବାରୁ ବ୍ୟାପକ ପକ୍ଷୀ ଶିକାର ହେଉଛି । ଛତିଶଗଡ଼ରୁ ଶହ ଶହ ଲୋକ ଆସି ପକ୍ଷୀ ଶିକାର କରୁଛନ୍ତି । ଆବଶ୍ୟକସଂଖ୍ୟକ ପକ୍ଷୀ ବିଶାରଦ ନଥିବାରୁ ଗଣନା ଠିକ୍ ହେଉନାହିଁ । ଏୟାର ଗନ୍ରେ ପକ୍ଷୀ ଶିକାର ହେଉଛି । ବଜାରରେ ଏହା ବିପୁଳ ପରିମାଣରେ ମିଳୁଛି । ଏହାକୁ ରୋକିବା ଆବଶ୍ୟକ ହୋଇପଡ଼ିଛି । ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀଙ୍କ ମୂଳ ପ୍ରଶ୍ନ ଓ ସଭ୍ୟ ଦିବ୍ୟଶଙ୍କର ମିଶ୍ର, କନକ ବର୍ଦ୍ଧନ ସିଂହଦେଓ, ଦେବାଶିଷ ନାୟକ, ଧନେଶ୍ୱର ମାଝି, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଭୂତିଭୂଷଣ ହରିଚନ୍ଦନ, ନବକିଶୋର ଦାସ, ମହେଶ ସାହୁ, ସୁଶାନ୍ତ ବେହେରା ଓ ଡ. ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ, ଛତିଶଗଡ଼ରୁ ଆସି ହୀରାକୁଦରେ ପକ୍ଷୀ ଶିକାର କରାଯାଉଥିବା କଥା ସତ୍ୟ ନୁହେଁ । ଏହାଛଡ଼ା ପକ୍ଷୀ ଶିକାର ରୋକିବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଚିଲିକାରେ ୧୨ଟି ମାମଲା କରାଯାଇ ୨୨ଜଣଙ୍କୁ ଜେଲ୍ ପଠାଯାଇଛି । ଏଥର ଅଧିକ ବର୍ଷା ହେବାରୁ ହୀରାକୁଦ ଓ ରେଙ୍ଗାଲି ଜଳଭଣ୍ଡାରରେ ଅଧିକ ପାଣି ଥିଲା । ତେଣୁ ପକ୍ଷୀ ଆସିବା କମିଛି । ଚିଲିକାକୁ ୯ଲକ୍ଷରୁ ଅଧିକ ପକ୍ଷୀ ଆସିଛନ୍ତି ବୋଲି ସେ କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ୨୦୧୫-୧୬ ବର୍ଷରେ ହୀରାକୁଦ ଓ ରେଙ୍ଗାଲି ଜଳାଶୟରେ ୬୦ ପ୍ରଜାତିର ୧ଲକ୍ଷ ୯୮ ହଜାର ୬୫୫ ପକ୍ଷୀ ଗଣନା କରାଯାଇଥିଲ । ସେଥିମଧ୍ୟରୁ ୨୯ ପ୍ରଜାତିର ୧ଲକ୍ଷ ୨୦ ହଜାର ୬୭୬ଟି ପକ୍ଷୀ ବିଦେଶରୁ ଆସିଥିଲେ । ୨୦୧୬-୧୭ରେ ଏହି ଜଳାଶୟଗୁଡ଼ିକରେ ସମୁଦାୟ ୧ଲକ୍ଷ ୭୩ହଜାର ୯ ପକ୍ଷୀ ଗଣନା ହୋଇଥିଲା । ସେଥିମଧ୍ୟରୁ ୨୪ ପ୍ରଜାତିର ୯୩ହଜାର ୯ଟି ବିଦେଶାଗତ ପକ୍ଷୀ ଥିଲେ । ପକ୍ଷୀମାନଙ୍କ ସୁରକ୍ଷା ଲାଗି ସ୍ଥାନୀୟ ଲୋକ ଏବଂ ବନବିଭାଗ କର୍ମଚାରୀଙ୍କୁ ନେଇ ସୁରକ୍ଷା କାର୍ଯ୍ୟ କରାଯାଇଥାଏ । ପକ୍ଷୀମାନଙ୍କ ସୁରକ୍ଷା କାର୍ଯ୍ୟ ତଦାରଖ କରିବା ପାଇଁ ବିଭିନ୍ନ ସ୍ଥାନରେ ୱାଚ୍ ଟାୱାର ଗଠନ କରାଯାଇ ସେଥିରେ ସୁରକ୍ଷା ଦଳ ନିୟୋଜିତ କରାଯାଇଛି । ବିଭିନ୍ନ ଜଳାଶୟକୁ ଆସିଥିବା ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଏହାର ଚତୁଃପାଶ୍ୱର୍ରେ ଥିବା ବିଭିନ୍ନ ଗ୍ରାମକୁ ନେଇ ବନ ସଂରକ୍ଷଣ ସମିତି ଓ ପରିବେଶ ଉନ୍ନୟନ କମିଟିମାନ ଗଠନ କରାଯାଇଛି । ବେତାର ଯନ୍ତ୍ର ମାଧ୍ୟମରେ ବନ କର୍ମଚାରୀ ଓ ବିଭିନ୍ନ ସ୍ଥାନରେ ଥିବା ସୁରକ୍ଷା ଦଳ ମଧ୍ୟରେ ଯୋଗାଯୋଗ କରାଯାଇ ପକ୍ଷୀମାନଙ୍କ ସୁରକ୍ଷା କାର୍ଯ୍ୟ ତଦାରଖ ହୋଇଥାଏ ।

ସେଆର କରନ୍ତୁ:



Powered by odothemes.com