ଲୋକଙ୍କ ରାୟକୁ ସକାରାତ୍ମକ ଦୃଷ୍ଟିରେ ଗ୍ରହଣ କରିଛୁ

ରାଜ୍ୟବାସୀଙ୍କୁ ନବୀନଙ୍କ ଧନ୍ୟବାଦ
ଭୁବନେଶ୍ୱର,୨୭ ।୨(ବୁ୍ୟରୋ): ବିଜୁ ଜନତା ଦଳ (ବିଜେଡି) ଉପରେ ସାଧାରଣ ଓଡ଼ିଶାବାସୀ ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନରେ ପୁନଃର୍ବାର ଆସ୍ଥା ପ୍ରକଟ କରି ରାଜ୍ୟର ଏକ ନମ୍ବର ଦଳ ଭାବେ ଉଭା କରିଛନ୍ତି । ବିଜେଡି ୫୬% ଆସନରେ ବିଜୟ ଲାଭ କରିଛି । ଲୋକମାନଙ୍କର ବିଜେଡି ଅତୁଟ ଥିôବାରୁ ସେ ତାଙ୍କୁ ଧନ୍ୟବାଦ ଦେଉଛନ୍ତି ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ପଞ୍ଚାୟତ ନିର୍ବାଚନରେ ଫଳାଫଳ ଘୋଷଣା ପରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ଓଡ଼ିଶାବାସୀ ତୃଣମୂଳସ୍ତରରେ ହୋଇଥିବା ନିର୍ବାଚନରେ ବିପୁଳ ସଂଖ୍ୟାରେ ଅଂଶଗ୍ରହଣ କରିବା ସହ ସେମାନଙ୍କ ଅଧିକାରକୁ ମୁକ୍ତ ଓ ଭୟ ଶୂନ୍ୟ ଭାବେ ସାବ୍ୟସ୍ତ କରିଥିବାରୁ ତାଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି । ଏହା ହେଉଛି ଗଣତାନ୍ତ୍ରିକ ବ୍ୟବସ୍ଥାର ବିଜୟ । ଯେଉଁଥିପାଇଁ ତାଙ୍କ ସରକାର ସର୍ବଦା ସଂକଳ୍ପବଦ୍ଧ । ବିଜେଡି ଅନେକ ଜିଲ୍ଲାରେ ଭଲ ପ୍ରଦର୍ଶନ କରିଛି । କେତେକ ଜିଲ୍ଲାରେ ଏହାର ପ୍ରଦର୍ଶନ ଯାହା ହୋଇଛି ତାହା ଆଶା କରାଯାଇନଥିଲା । ତେବେ ଜନସାଧାରଣଙ୍କର ଏହି ରାୟକୁ ବିଜେଡି ନମ୍ରତା ଓ ସକାରାତ୍ମକ ଦୃଷ୍ଟିଭଙ୍ଗୀରେ ଗ୍ରହଣ କରିଛି । ଆମ୍ଭେ ଆମର ପ୍ରଦର୍ଶନ ଉପରେ ଖୁସୀ ଅଛୁ । ମାତ୍ର କେତେକ ସ୍ଥାନରେ ତ୍ରୁଟି ସୁଧାରିବାର ଅବକାଶ ରହିଛି । ଲୋକମାନେ ଆମକୁ ଏ ବାବଦରେ ଗମ୍ଭୀରତାର ସହ ଚିନ୍ତା କରିବାକୁ ଏକ ସୁବର୍ଣ୍ଣସୁଯୋଗ ଦେଇଛନ୍ତି ଓ ଭଲ ଭାବରେ କାର୍ଯ୍ୟ କରିବା ସହ ଉତ୍ତମ ପ୍ରଦର୍ଶନ କରିବାକୁ ଚେତାଇ ଦେଇଛନ୍ତି, ଯେଉଁଥିରେ ଆମେ ପଛେଇ ଯାଇଛୁ । ବିଜେଡି ସବୁ ଜିଲ୍ଲାର ପ୍ରଦର୍ଶନକୁ ଗମ୍ଭୀରତାର ସହ ସମୀକ୍ଷା କରିବ ଏବଂ ଯେଉଁଠି ଆବଶ୍ୟକ ପଡ଼ିବ ସେଠାରେ ପ୍ରଶାସନିକ ଓ ସାଙ୍ଗଠନିକ କ୍ଷେତ୍ରରେ ଥିବା ତ୍ରୁଟିକୁ ସୁଧାରିବାକୁ ହେବ । ଆମେ କଠିନ୍ ପରିଶ୍ରମ କରି ଲୋକଙ୍କ ସହ ନିଜକୁ ଯୋଡିବୁ ଏବଂ ସେମାନଙ୍କ ଆଶା ପୂରଣ ପାଇଁ ଚେଷ୍ଟା କରିବୁ । ୨୦୧୯ରେ ଓଡ଼ିଶା ଲୋକଙ୍କ ଆଶୀର୍ବାଦ ଓ ସରକାରର ଭଲ କାର୍ଯ୍ୟ ଯୋଗୁଁ ବିଜେଡି ପୁନର୍ବାର କ୍ଷମତାସୀନ ହେବ ବୋଲି ସେ ଦୃଢ଼ ନିଶ୍ଚିତ । ସମସ୍ତ ନବନିର୍ବାଚିତ ପଞ୍ଚାୟତିରାଜର ପ୍ରତିନିଧିମାନଙ୍କୁ ସେ ଅଭିନନ୍ଦନ ଜଣାଉଛନ୍ତି ଓ ଲୋକମାନଙ୍କ ପାଇଁ କଠିନ ପରିଶ୍ରମ କରିବାକୁ ସେମାନଙ୍କଠାରୁ ଆଶା ରଖୁଛନ୍ତି । ପ୍ରଶାସନିକ ବ୍ୟବସ୍ଥାକୁ ଉନ୍ନତି କରି ପଞ୍ଚାୟତିରାଜ ବ୍ୟବସ୍ଥାକୁ ସେମାନେ ସୁଦୃଢ଼ କରିନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।