ଆଜି ବଜେଟ୍

37

ଭୁବନେଶ୍ୱର, ୨୬ ।୨ (ବୁ୍ୟରୋ): ଆସନ୍ତାକାଲି ୨୦୧୭-୧୮ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ୍ ଉପସ୍ଥାପନ ହେବ । ଗତ ୩ ବର୍ଷ ଭଳି ଏଥର କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ଏକ ପୃଥକ ବଜେଟ୍ ଉପସ୍ଥାପନ କରାଯିବ । ତେବେ ବଜେଟ୍ରେ କୃଷି, ଜଳସେଚନ, ସାମାଜିକ କ୍ଷେତ୍ର, ଗ୍ରାମ୍ୟ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷର ବଜେଟ୍ ଅଟକଳ ୧ ଲକ୍ଷ ୬ ହଜାର ୬ ଶହ କୋଟିରୁ ଅଧିକା ହେବ । ଗତ ବଜେଟ୍ ତୁଳନାରେ ବଜେଟ୍ ଅଟକଳ ୧୦% ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ତେବେ କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ଆସୁଥିବା ରାଜ୍ୟ ବଜେଟ୍ରେ ଯୋଜନା ଓ ଅଣଯୋଜନା ବାବଦ ପାଇଁ ଖର୍ଚ୍ଚ ବରାଦ ହେବ ନାହିଁ । ଯୋଜନା ଓ ଅଣଯୋଜନାକୁ ଉଠାଇ ଦିଆଯାଇ ୪ଟି କ୍ଷେତ୍ର ଯଥା କ୍ୟାପିଟାଲ୍ ଏକ୍ସପେଣ୍ଡିଚର, ପୋଗ୍ରୋସିଭି ଏକ୍ସପେଣ୍ଡିଚର, ଡିଜାଷ୍ଟର ମ୍ୟାନେଜ୍ମେଣ୍ଡ ଏକ୍ସପେଣ୍ଡିଚର୍ ଆଡ୍ମିନିଷ୍ଟ୍ରେଟିଭ୍ ଏକ୍ସପେଣ୍ଡିଚର୍ କ୍ଷେତ୍ରରେ ବ୍ୟୟବରାଦ କରାଯାଇଛି । ଆଗାମୀ ବର୍ଷ ପୌର ପରିଷଦ ନିର୍ବାଚନ ଥିଲାବେଳେ ବର୍ଷକ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳ ଭଲ ପ୍ରଦର୍ଶନ କରିନାହିଁ । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶା ଲାଗି କିଛି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇପାରେ ବୋଲି ସୂଚନା ମିଳୁଛି । ଜଳସେଚନକୁ ଆଗାମୀ ବଜେଟ୍ରେ ସର୍ବାଧିକ ଗୁରୁତ୍ୱ ଦିଆଯିବ । ଏହାଛଡ଼ା କୃଷି ଓ କୃଷକର କଲ୍ୟାଣ ଏବଂ କୃଷିଜାତ ସାମଗ୍ରୀର ବଜାର ପାଇଁ ସରକାର ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି । ତେବେ ବିମୁଦ୍ରୀକରଣ ଯୋଗୁଁ ରାଜସ୍ୱ ଆଦାୟ ହ୍ରାସ ପାଇଛି । ଏହାର ପ୍ରଭାବ ରାଜ୍ୟ ବଜେଟ୍ରେ ଦେଖିବାକୁ ମିଳିବ । କର୍ମଚାରୀଙ୍କୁ ସପ୍ତମ ବେତନ ସୁପାରିସ ଅନୁଯାୟୀ ଦରମା ପ୍ରଦାନ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଚଳିତ ବଜେଟ୍ରେ ଏଥିଲାଗି ଅର୍ଥ ବରାଦ କରାଯିବ । ସପ୍ତମ ବେତନ କମିଶନ ସୁପାରିସ ହେଲେ ରାଜ୍ୟ ସରକାରଙ୍କ ଉପରେ ଅତିରିକ୍ତ ୨ ହଜାର କୋଟି ଟଙ୍କାର ବୋଝ ପଡ଼ିବ ବୋଲି ଜଣାପଡ଼ିଛି । ସରକାର ନିଜସ୍ୱ ଯୋଜନା ଚାଲୁରଖିବା ଓ ନୂଆ ଯୋଜନା ଏବଂ କର୍ମଚାରୀଙ୍କ ବର୍ଦ୍ଧିତ ଦରମା ଓ ବେତନ ପାଇଁ ଋଣ କରିବାର ସମ୍ଭାବନା ରହିଛି ।




Powered by odothemes.com