ଜେଏନ୍ୟୁରେ ସାରଳା ଦାସ ଓଡ଼ିଆ ଚେୟାର

ଭୁବନେଶ୍ୱର, ୨୨ା୨(ବୁ୍ୟରୋ): ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର, ପ୍ରସାର ଓ ଗବେଷଣାକୁ ସୁଦୂରପ୍ରସାରୀ କରିବା ଉଦେ୍ଦଶ୍ୟରେ ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଏକ ଚେୟାର ପ୍ରତିଷ୍ଠା କରାଯିବ । ଏହି ଚେୟାର ପ୍ରତିଷ୍ଠା ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଜେଏନ୍ୟୁର ଡାଇରେକ୍ଟର ପ୍ରଫେସର ଚିନ୍ତାମଣି ମହାପାତ୍ର ଓ ସଂସ୍କୃତି ବିଭାଗ ଶାସନ ସଚିବ ତଥା କମିଶନର ମନୋରଞ୍ଜନ ପାଣିଗ୍ରାହୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଆଦିକବି ସାରଳା ଦାସଙ୍କ ନାମରେ ଏହି ଚେୟାର ପ୍ରତିଷ୍ଠା କରାଯାଇଛି । ଜେଏନ୍ୟୁସ୍ଥିତ ଭାରତୀୟ ଭାଷା କେନ୍ଦ୍ର, ଭାଷା-ସାହିତ୍ୟ-ସାଂସ୍କୃତିକ ଅଧ୍ୟୟନ ପ୍ରତିଷ୍ଠାନ ଅଧୀନରେ ଏହି ଚେୟାର କାର୍ଯ୍ୟ କରିବ । ଦେଶର ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠାନ ମଧ୍ୟରେ ଓଡ଼ିଆ ଭାଷାର ଶିକ୍ଷା, ଗବେଷଣା ଓ ସାଂସ୍କୃତିକ ପରମ୍ପରା ଉପରେ ସଂଯୋଗ ସ୍ଥାପନ, ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ଓଡ଼ିଆ ଭାଷା ଶିକ୍ଷା ନିମନ୍ତେ ସୁଯୋଗ ପ୍ରଦାନ, ଓଡ଼ିଆ ଭାଷା, ସାହିତ୍ୟ, ଲୋକପରମ୍ପରା ଓ ପ୍ରତ୍ନତାତ୍ତ୍ୱିକ ଐତିହ୍ୟ ଉପରେ ଗବେଷଣାତ୍ମକ ପ୍ରକଳ୍ପ ଆୟୋଜନ, ଅଣଓଡ଼ିଆ ଭାଷାଭାଷୀଙ୍କ ମଧ୍ୟରେ ଇତିହାସ-ଭାଷା-ପରମ୍ପରା ସମ୍ପର୍କିତ ସଚେତନତା ପ୍ରସାର ଓ ଅନ୍ୟ ଭାଷାଗୁଡ଼ିକ ସହିତ ଓଡ଼ିଆ ଭାଷାର ତୁଳନାତ୍ମକ ଗବେଷଣା ଦିଗରେ ଏହି ଚେୟାର କାର୍ଯ୍ୟ କରିବ ବୋଲି କୁହାଯାଇଛି । ଜଣେ ପ୍ରଫେସର, ଜଣେ ସହକାରୀ ପ୍ରଫେସର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଆରମ୍ଭ କରାଯିବ । ଜେଏନ୍ୟୁ କର୍ତ୍ତୃପକ୍ଷ ଏଥିନିମନ୍ତେ ୫ କୋଟି ଟଙ୍କାର ପାଣ୍ଠି ଯୋଗାଇଦେବାକୁ କହିଥିଲେ । ରାଜ୍ୟ ସରକାର ଗତ ବଜେଟ୍ରେ ଏ ବାବଦରେ ୨ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।
ଜେଏନ୍ୟୁସ୍ଥିତ ଭାଷାକେନ୍ଦ୍ରର ୨୧୨ ନମ୍ବର କମିଟି ରୁମ୍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଦିଲ୍ଲୀସ୍ଥିତ ଆବାସିକ କମିଶନର ସଂଜୀବ କୁମାର ମିଶ୍ର, ଅତିରିକ୍ତ କମିଶନର ଡ. ତ୍ରିବିକ୍ରମ ପ୍ରଧାନ, ଜେଏନ୍ୟୁର ରେକ୍ଟର ଡ. ସତୀଶ ଗାର୍କୋଟିଙ୍କ ସମେତ ଅନ୍ୟାନ୍ୟ ପ୍ରଫେସର, ବରିଷ୍ଠ ପଦାଧିକାରୀ ଓ ଦିଲ୍ଲୀସ୍ଥିତ ବିଭିନ୍ନ ଓଡ଼ିଆ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।