ଫଳାଫଳକୁ ନେଇ ବୟାନବାଜି ଜୋରଦାର

57

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗ
ଭୁବନେଶ୍ୱର,୧୬ା୨(ବୁ୍ୟରୋ): ତି୍ରସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ଦୁଇଟି ପର୍ଯ୍ୟାୟ ଭୋଟ ଶେଷ ପରେ ଅଘୋଷିତ ଅଣଆନୁଷ୍ଠାନିକ ଫଳାଫଳକୁ ନେଇ ରାଜନୈତିକ ଦଳର ବୟାନ ବାଜି ଜୋରଦାର ହୋଇଛି । କଂଗ୍ରେସ ଓ ବିଜେଡି ମଧ୍ୟରେ ଦୀର୍ଘ ଦିନ ଧରି ଥିବା ଆଭ୍ୟନ୍ତରୀଣ କନ୍ଦଳରୁ ଫାଇଦା ନେଇ ଅଧିକ ଜିଲ୍ଲା ପରିଷଦ ଜୋନ୍ରେ ବିଜୟ ହେବାର ସମ୍ଭାବନା ସୃଷ୍ଟି କରିଥିବା ରାଜ୍ୟ ବିଜେପି ଶାଖା ଏବେ ବେଶ୍ ଉଲ୍ଲସିତ । ବିଜେପି ତା’ର ଅପ୍ରତ୍ୟାଶିତ ସଫଳତା ପାଇଁ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସରକାର ବିରୋଧରେ ସୃଷ୍ଟି ହୋଇଥିବା ଜନଆକ୍ରୋଶ ମୁଖ୍ୟ କାରଣ ବୋଲି ଦର୍ଶାଇ ପରାଜୟକୁ ବିଜେଡି ସ୍ୱୀକାର କରୁ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ତୃତୀୟ ମହଲାର କିଛି ଅମଲାଙ୍କ ଦ୍ୱାରା ସରକାରୀ କଳକୁ ନିୟନ୍ତ୍ରଣ କରାଯାଉଛି । ଦଳ ଓ ସରକାରୀ କଳକୁ ଏବେ ନିଜର ବୋଲି ସ୍ଥାନୀୟ ସରକାର ଭାବୁଛନ୍ତି । ଯାହା ଗଣତନ୍ତ୍ର ପ୍ରତି ବିପଦ । ବିଜେଡି ବନ୍ଧୁମାନେ ୨ୟ ପର୍ଯ୍ୟାୟ ପଞ୍ଚାୟତ ଫଳାଫଳକୁ ନେଇ ଯେଉଁ ବୟାନ ଦେଉଛନ୍ତି ତାହା ବିଭ୍ରାନ୍ତିକର । ପରାଜୟକୁ ସେମାନେ ସ୍ୱୀକାର କରନ୍ତୁ । ରାଜ୍ୟ ବ୍ୟାପୀ ନିର୍ବାଚନୀ ହିଂସା ଦେଖାଦେଇଛି । ଭୋଟରମାନଙ୍କୁ ଭୟଭୀତ କରାଯାଉଛି । ପ୍ରଜାତନ୍ତ୍ରରେ ସାମାନ୍ୟତମ ବିଶ୍ୱାସ ରଖୁଥିବା ଲୋକ ଏଭଳି କରେ ନାହିଁ । ଜନଧନ ଖାତାରେ ଯେଉଁ ୭୫୦କୋଟି ଟଙ୍କା ଜମା ହୋଇଛି ତାର ହିସାବ ନବୀନ ବାବୁ ଦିଅନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଧର୍ମେନ୍ଦଙ୍କ ମନ୍ତବ୍ୟର ଜବାବ ରଖି ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି ଯେ ତୃତୀୟ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଉଠି ବିଜେପି ଏବେ ଗର୍ବ କରୁଛି । ବିଜେପି ଜାଣିବା ଉଚିତ ବିଜେଡି ପୂର୍ବରୁ ଏକ ନମ୍ବର ଥିଲା, ଏବେ ବି ଏକ ନମ୍ବରରେ ଅଛି ଏବଂ ଆଗକୁ ମଧ୍ୟ ଏକ ନମ୍ବରରେ ରହିବ । ସବୁକଥାରେ ତୃତୀୟ ମହଲାକୁ ଯୋଡିବା ଏକ ଆଦତ ହୋଇଗଲାଣି । ଯଦି ସରକାର କରୁଥିବା କୌଣସି ଭଲକାମରେ ତୃତୀୟ ମହଲାକୁ ଯୋଡ଼ାଯାଏ ତା’ହେଲେ ଏକଥା କହୁଥିଲେ ଶୋଭା ପାଉଥାନ୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଜନସାଧାରଣଙ୍କର ଆସ୍ଥା ଓ ବିଶ୍ୱାସ ଅତୁଟ ରହିଛି ଓ ଆଗାମୀ ଦିନରେ ମଧ୍ୟ ରହିବ ବୋଲି ଶ୍ରୀ ବେହେରା କହିଥିଲେ । ଜନଧନ ଖାତାରେ ଜମା ହୋଇଥିôବା ଟଙ୍କା ସଂପର୍କରେ ଧର୍ମେନ୍ତ୍ର ଦେଇଥିବା ମନ୍ତବ୍ୟର ଜବାବରେ ଶ୍ରୀ ବେହେରା କହିଲେ ଧର୍ମେନ୍ଦ୍ର କ’ଣ ଇନ୍ସପେକ୍ଟର? ସିଏ ଯେତେବେଳେ ଯାହା କହିବେ ବିଜେଡି ତାର ଜାବବ ଦେବ ବୋଲି ଶ୍ରୀ ବେହେରା କହିଛନ୍ତି । ପଞ୍ଚାୟତି ନିର୍ବାଚନରେ ହେଉଥିôବା ହିଂସା ସଂପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀ ବେହେରା କହିଛନ୍ତି ଯେ ହିଂସାକାଣ୍ଡ ହେଉଛି । ମାତ୍ର କିଏ କରଉଛି ତାହା ବୁଝିବା ଦରକାର । ନିଆଳିରେ ଜଣେ ବିଜେଡି କର୍ମୀଙ୍କୁ ହତ୍ୟା କରାଗଲା । ତାହା କିଏ କଲା ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଛନ୍ତି । ଅପର ପକ୍ଷରେ ୨ଟି ପର୍ଯ୍ୟାୟରେ କଂଗ୍ରେସର ହୋଇଥିବା ବିପର୍ଯ୍ୟୟକୁ ନେଇ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ମୁହଁ ଖୋଲିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କଂଗ୍ରେସର ବିପର୍ଯ୍ୟୟ ହୋଇଛି । ତାହାକୁ ସ୍ୱୀକାର କରିବାକୁ ପଡିବ । ସତକୁ ଲୁଚାଇ କିଛି ଲାଭ ନାହିଁ । କିଛି ବର୍ଷ ହେବ କଂଗ୍ରେସର ସଂଗଠନ ନଥିଲା । ବିଜେଡି ପ୍ରତି ଲୋକଙ୍କର ବିତୃଷ୍ଣା ଭାବ ଥିବା ପରିଲକ୍ଷିତ ହୋଇଛି । ଯେହେତୁ ଲୋକେ କଂଗ୍ରେସକୁ ଭରସା କଲେ ନାହିଁ ବିଜେପିକୁ ଭୋଟ ଦେଲେ । ସରକାରଙ୍କ ଅପାରଗତା ଓ ବିଶୃଙ୍ଖଳାକୁ ଲୋକଙ୍କୁ ନିକଟରେ ପହଞ୍ଚାଇବାରେ କଂଗ୍ରେସ ବିଫଳ ହୋଇଛି । ବାହାଘର ବେଳେ ବାଇଗଣ ରୋଇଲେ କିଛି ଲାଭ ହୁଏ ନାହିଁ । ପରାଜୟ ପାଇଁ ମଙ୍ଗୁଆଳ ସମେତ ଆମ ଭଳି ବରିଷ୍ଠ ନେତାମାନେ ମଧ୍ୟ ଦାୟୀ । ଦିଲ୍ଲୀ ମଧ୍ୟ ଏଇ ଘଟଣା ଲାଗି ଦାୟୀ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।




Powered by odothemes.com