ଜଙ୍ଗଲ ପୋଡ଼ି ରୋକିବାକୁ ସିଏମ୍‌ପି

34

ଭୁବନେଶ୍ୱର, ୭ା୨ (ତଥ୍ୟ): ଜଙ୍ଗଲ ପୋଡ଼ି ରୋକିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଗୁଆ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ଏଥିଲାଗି ‘କ୍ରାଇସିସ୍‌ ମ୍ୟାନେଜ୍‌ମେଣ୍ଟ ପ୍ଲାନ୍‌’ (ସିଏମ୍‌ପି) ନାମରେ ଜଙ୍ଗଲ ଓ ପରିବେଶ ବିଭାଗ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଥିବା ଜଣାପଡ଼ିଛି । ସାଧାରଣତଃ ଏପ୍ରିଲ୍‌ରୁ ଜୁନ୍‌ ପର୍ଯ୍ୟନ୍ତ ଖରାଦିନର ତିନିମାସରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଜଙ୍ଗଲରେ ନିଅାଁ ଲାଗି ବିପୁଳ ପରିମାଣର ଜଙ୍ଗଲ ସମ୍ପଦ ସହିତ ପଶୁ ପକ୍ଷୀ ନଷ୍ଟ ହେଉଛନ୍ତି । ଅବଶ୍ୟ ଗତ କିଛି ବର୍ଷ ଧରି ଏହି କ୍ଷତି କମିବାରେ ଲାଗିଛି । ଅତୀତର ଅଭିଜ୍ଞତାକୁ ଆଖି ଆଗରେ ରଖି ଏବେଠାରୁ ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷ ଅନ୍ୟ ବିଭାଗମାନଙ୍କ ସହଯୋଗରେ ଆଗାମୀ ଖରାଦିନରେ କିପରି ଜଙ୍ଗଲ ପୋଡ଼ିକୁ ରୋକିହେବ ସେଥିଘେନି ବିଚାର ବିମର୍ଶ ଚଳାଇଛନ୍ତି ।  ଗତବର୍ଷ ଏପ୍ରିଲ୍‌ରୁ ଜୁନ୍‌ ମଧ୍ୟରେ ଶିମିଳିପାଳ, କୁଲଡିହା, ରାଇବଣିଆ, ଦୈତାରୀ, କେରାଣ୍ଡିମାଳ, ରୁଖି ଆଦି ଜଙ୍ଗଲରେ ନିଅାଁ ଲାଗିଥିଲା । ଅନ୍ୟ ବର୍ଷମାନଙ୍କରେ ବି ଅନେକ ଜଙ୍ଗଲରେ ବିଭିନ୍ନ କାରଣରୁ ନିଅାଁ ଲାଗିବାର ନଜିର ରହିଛି । ଆଗକୁ ଜଙ୍ଗଲ ପୋଡ଼ିବା ପରେ ବାହାରୁଥିବା ଜମିରେ ପୋଡ଼ୁ ଚାଷ କରାଯାଉଥିଲା । ଏବେ ପୋଡ଼ୁ ଚାଷକୁ ବହୁ ପରିମାଣରେ ବନ୍ଦ କରିବାରେ କର୍ତ୍ତୃପକ୍ଷ ସଫଳ ହୋଇଛନ୍ତି । ତେବେ ଜଙ୍ଗଲରେ ଜମି ରହୁଥିବା ଶୁଖିଲା ଘାସ, ପତ୍ର, ଡାଳ ଆଦି ନିଅାଁ ସଂସ୍ପର୍ଶରେ ଆସିବା ଫଳରେ ବହୁ ସମୟରେ ଶହ ଶହ ଏକର ଜଙ୍ଗଲ ନଷ୍ଟ ହୋଇଛି । ଏହା ରୋକିବା ପାଇଁ ଗତ କିଛିବର୍ଷ ଧରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସହିତ ପ୍ରତିଷେଧମୂଳକ ପଦକ୍ଷେପମାନ ମଧ୍ୟ ନିଆଯାଉଛି । ୨୦୧୨ ମସିହାରୁ ଏଥିଲାଗି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ନିଜସ୍ୱ ସିଏମ୍‌ପି ପ୍ରସ୍ତୁତ କରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେଶର ବିଭିନ୍ନ ଅଞ୍ଚଳରେ ଜଙ୍ଗଲରେ ନିଅାଁ ଲାଗୁଥିବା ଘେନି ନିକଟ ଅତୀତରେ ଜାତୀୟ ସବୁଜ ଟି୍ରବୁ୍ୟନାଲ (ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ କରିବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଏହାର ନିରାକରଣ ପାଇଁ ସିଏମ୍‌ପି ପ୍ରସ୍ତୁତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏନ୍‌ଜିଟିର ନିଦେ୍ର୍ଦଶ ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ବିଭିନ୍ନ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଏହି ଗୁରୁତର ସମସ୍ୟାର ମୁକାବିଲା ପାଇଁ ସେମାନେ କି ପ୍ରକାରର ସିଏମ୍‌ପି ପ୍ରସ୍ତୁତ କରିଛନ୍ତି ତାହା ଜାଣିବାକୁ ଚାହିଁଛନ୍ତି । ଏହାଛଡ଼ା ବିଭିନ୍ନ ରାଜ୍ୟ ସରକାରଙ୍କ ପଦସ୍ଥ ଅଧିକାରୀମାନଙ୍କ ସହିତ ଏ ସଂକ୍ରାନ୍ତରେ ମଧ୍ୟ କେନ୍ଦ୍ର କର୍ତ୍ତୃପକ୍ଷ ଆଲୋଚନା ଆରମ୍ଭ କରିଛନ୍ତି ।
ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି ଯେ ସିଏମ୍‌ପି ପ୍ରସ୍ତୁତ କରିବାରେ ଓଡ଼ିଶା ଆଗରେ ରହିଛି । ବନ ସୁରକ୍ଷା ସମିତିର ସ୍ୱେଚ୍ଛାସେବୀମାନଙ୍କୁ ଜଙ୍ଗଲ ନିଅାଁ ରୋକିବା ଘେନି ତାଲିମ ଦେବା ସଙ୍ଗେ ସଙ୍ଗେ ଜଙ୍ଗଲ ବିଭାଗର କ୍ଷେତ୍ର କର୍ମଚାରୀମାନେ କିଭଳି ତୁରନ୍ତ ନିଅାଁ ଲିଭାଇପାରିବେ ଓ ଜଙ୍ଗଲରେ ନିଅାଁ ନ ଲାଗିବା ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିପାରିବେ ସେ ସଂକ୍ରାନ୍ତରେ ବି ମାର୍ଗଦର୍ଶିକା ଜାରି କରାଯାଇଛି । ନିଅାଁକୁ ଆୟତ୍ତ କରିବା ପାଇଁ ଅଗ୍ନିରେଖା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଫାୟାର ବ୍ଲୋୟର୍‌ ମେସିନ୍‌ର ତ୍ୱରିତ ଉପଯୋଗ ଲାଗି ମଧ୍ୟ ବ୍ୟବସ୍ଥା ହୋଇଛି । ଏଥିଲାଗି ଅଧିକ ସଂଖ୍ୟକ ଚାରିଚକିଆ ଓ ଦୁଇଚକିଆ ଯାନ ମଧ୍ୟ ବ୍ୟବସ୍ଥା କରାଯିବା ସଙ୍ଗେ ସଙ୍ଗେ ସ୍ୱତନ୍ତ୍ର ଅଗ୍ନି ନିରୋଧକ ସ୍କ୍ୱାଡ୍‌ ଗଠନ କରାଯାଇଛି ଓ ଅଗ୍ନିଶମ ସଂସ୍ଥାଗୁଡ଼ିକ ସହିତ ଜଙ୍ଗଲ ବିଭାଗର କ୍ଷେତ୍ର କର୍ମଚାରୀମାନେ ସମ୍ପର୍କରେ ଅଛନ୍ତି ।




Powered by odothemes.com