UDALA

ବିଜେଡିର ଷ୍ଟାର୍ ପ୍ରଚାର: ସିନେ ତାରକାଙ୍କ ସହ ମନ୍ତ୍ରୀ ସୁଦାମଙ୍କ ରୋଡ୍ ଶୋ’

65

ଉଦଳା ୪ ।୨(ଆପ୍ର): ଉଦଳା ନିର୍ବାଚନମଣ୍ଡଳୀ ଅଧିନରେ ଥିବା ୧ ନଂ ଏବଂ ୨ ନଂ ଜୋନରେ ଦଳୀୟ ଏବଂ ନିର୍ଦ୍ଦଳୀୟ ନେତା ଓ କର୍ମୀ ସ୍ଥାନୀୟ ଇଲାକାର ସରପଞ୍ଚ ତଥା ସମିତି ସଭ୍ୟଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜିଲ୍ଲା ପରିଷଦ ନିମନ୍ତେ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର ଚାଲିଥିବା ବେଳେ ଶନିବାର ଦିନ ରାଜ୍ୟ ସରକାରଙ୍କର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁଦାମ ମାରାଣ୍ଡି, ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ, ସିନେ ତାରକା କୁନା ତ୍ରିପାଠୀ, ପର୍ଯ୍ୟବେକ୍ଷିକା ଭାରତୀ ସିଂ, ଉଦଳା ବ୍ଲକ ବିଜେଡି ସଭାପତି ସରୋଜ କୁମାର ସାମଲ, ରାଜ୍ୟ ସଂପାଦକ ତଥା ଜୀବନବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ଦେବାଶିଷ ମହାନ୍ତି, ଯୁବ ନେତା ଅମୀୟ କୁମାର ବଳ ପ୍ରମୁଖ ବିଜେଡିର ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାର କରିଛନ୍ତି । ଏହି ଅବସରରେ ମନ୍ତ୍ରୀ, ବିଧାୟକ ଏବଂ ସିନେ ତାରକା ଏକ ବାଇକର୍ୟାଲି କରିଥିଲେ । ୧ ନଂ ଜୋନ ଅଧିନରେ ଥିବା ଶ୍ରୀଦାମଚନ୍ଦ୍ରପୁର, ପାଟଶାଣୀପୁର, ନୂଆ ଗାଁ, କୁଣ୍ଡାବାଇ ଅଞ୍ଚଳରେ ରୋଡ ଶୋରେ ଯୋଗ ଦେଇଥିଲେ । ଏହା ସହିତ ବିଭିନ୍ନ ସ୍ଥାନରେ ଆୟୋଜିତ ପଥପ୍ରାନ୍ତ ସଭାରେ ବିଜେଡିର ୧ ନଂ ଜୋନର ଦଳୀୟ ପ୍ରାର୍ଥୀ ଠୁ୍ମ୍ପୁ ମୁର୍ମୁଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ନିମନ୍ତେ ଭୋଟର ଭାଇଭଉଣୀମାନଙ୍କୁ ନିବେଦନ କରିଥିଲେ । ତାଛଡା ରାଜ୍ୟର ନବୀନ ସରକାରଙ୍କର ବିଭିନ୍ନ ଜନାଭିମୁଖୀ ଯୋଜନା ଏବଂ ଗ୍ରାମାଞ୍ଚଳର ଉନ୍ନତି ନେଇ ଭୋଟରମାନଙ୍କୁ ଭୋଟ ଦେବା ନିମନ୍ତେ ନିବେଦନ କରିଥିଲେ । କେବଳ ସେତିକି ନୁହେଁ ଏହି ଅବସରରେ ମନ୍ତ୍ରୀ ଏବଂ ବିଧାୟକ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳକୁ ସମାଲୋଚନା କରିଥିଲେ । ଏହି ରୋଡ ଶୋରେ ଦଳୀୟ କର୍ମୀଙ୍କ ଦ୍ୱାରା ଏକ ବାଇକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com