ସଫେଇ ନେଇ ଭିତ୍ତିଭୂମି ସଜାଡ଼ିଲା ବିଏମ୍ସି

getimage

ଭୁବନେଶ୍ୱର (ବୁ୍ୟରୋ): ମହାନଗର ନିଗମ ଗଡ଼ିକର ସବୁଠୁ ବଡ଼ ସମସ୍ୟା ହେଉଛି କଠିନ ବର୍ଜ୍ୟବସ୍ତୁ ପରିଚାଳନା । ସହରରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ବର୍ଜ୍ୟବସ୍ତୁ ପରିଚାଳନା ଦିଗରେ ଏକ ଆହ୍ୱାନ ସୃଷ୍ଟି କରିଛି । ବର୍ଜ୍ୟବସ୍ତୁକୁ ସଠିକ ପରିଚାଳନା କରିବା ଦ୍ୱାରା ଏହା ଆର୍ଥିକ ପ୍ରଗତତିର ସହାୟକ ହୋଇପାରିବ । ପ୍ରତ୍ୟେକ ଦିନ ସହରରୁ ୬ଶହ ଟନ୍ ଆବର୍ଜନା ବାହାରୁଛି । ସଠିକ୍ ବର୍ଜ୍ୟବସ୍ତୁ ପରିଚାଳନା ସହରକୁ କେବଳ ସ୍ୱଚ୍ଛ ରଖେ ନାହିଁ, ବରଂ ଏହାର ନାଗରିକଙ୍କୁ ସ୍ୱାସ୍ଥ୍ୟ ମଧ୍ୟ ରଖିଥାଏ ।ସଫେଇ କର୍ମଚାରୀ ଠକିଲେ ଧରାପଡ଼ିବେ
ସେହିପରି ସଫେଇ କର୍ମଚାରୀ କାର୍ଯ୍ୟରେ ଠକିଲେ ଧରାପଡ଼ିବେ । ଏଥିପାଇଁ ବିଏମ୍ସି ବାୟୋମ୍ୟାଟ୍ରିକ୍ ମାଧ୍ୟମରେ ଆଙ୍ଗୁଳି ଚିହ୍ନ ନେବ । ଫଳରେ ସେମାନେ ଯେତିକି କାର୍ଯ୍ୟ କରିବେ ସେତିକି ଦରମା ବାବଦ ଟଙ୍କା ପାଇବେ । ଏଥିପାଇଁ ବାଧ୍ୟତାମୂଳକ ହେବ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା । ବିଏମ୍ସିର ସମସ୍ତ ୬୭ଗୋଟି ୱାର୍ଡରେ କାର୍ଯ୍ୟରତ ସଫେଇ କର୍ମଚାରୀ ଏବଂ ଅଧିକାରୀମାନେ ସେମାନଙ୍କ ଉପସ୍ଥାନ ଖାତାରେ ଲେଖାଯିବା ବଦଳରେ ବାୟୋମେଟ୍ରିକ୍ ପଦ୍ଧତିରେ ଅନ୍ଲାଇନ୍ରେ ଦାଖଲ କରିବେ । ଏହାଦ୍ୱାରା କେତେବେଳେ, କେଉଁସ୍ଥାନରେ କେତେ ସମୟ ପାଇଁ କେଉଁ କର୍ମଚାରୀ କାର୍ଯ୍ୟରତ ଥିଲେ ତାହାର ପ୍ରକୃତ ବିବରଣୀ ଜଣାପଡ଼ିବ । ଉଭୟ ଘରୋଇ ଏବଂ ବିଏମ୍ସି କର୍ମଚାରୀଙ୍କ ପାଇଁ ଏହା ଲାଗୁ କରାଯିବ ।
୫୩୪ ଜରିଗୋଟାଳିଙ୍କୁ ପରିଚୟପତ୍ର
ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଜରି ଗୋଟାଳିଙ୍କ ଯୋଗଦାନ ରହିଛି । ସେମାନେ ବିଭିନ୍ନ ବର୍ଜ୍ୟବସ୍ତୁରୁ ପ୍ଲାଷ୍ଟିକ୍, କାଚ ସାମଗ୍ରୀ, ଲୁହା, ପଲିଥିନ୍ ଆଦି ସଂଗ୍ରହ କରିଥାନ୍ତି । ତେବେ ଏହି କଠିନ ବର୍ଜ୍ୟବସ୍ତୁକୁ କବାଡ଼ିବାଲାଙ୍କୁ ରିସାଇକେଲ୍ କରିବା ସହ ପରୋକ୍ଷେରେ ସହରକୁ ସ୍ୱଚ୍ଛ ରଖିବାରେ ସହଯୋଗ କରିଥାନ୍ତି । ପ୍ରାଥମିକ ପର୍ଯ୍ୟାୟରେ ୫୩୪ ଜଣ ଜରିଗୋଟାଳିଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ପାଇଁ ସ୍ଥିର ହୋଇଛି । ଆଗାମୀ ଦିନରେ ଅଧିକ ସଂଖ୍ୟକ ଜରି ଗୋଟାଳିଙ୍କୁ ଏଥିରେ ସାମିଲ କରାଯିବ ।
କଠିନ ବର୍ଜ୍ୟବସ୍ତୁକୁ ପୃଥକୀକରଣ
କଠିନ ବର୍ଜ୍ୟବସ୍ତୁକୁ ପୃଥକୀରଣ କରିବା ପାଇଁ ବିଏମ୍ସି ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ ସହରର ୧୮ଶହ ଟି ସ୍ଥାନରେ ଦୁଇଟି ଲେଖାଏଁ ହିସାବରେ ୩୬ଶହଟି ଡଷ୍ଟବିନ୍ ରଖାଯିବା ଆରମ୍ଭ କରାଯାଇଛି । ପ୍ଲାଷ୍ଟିକ୍ ପଦାର୍ଥ, ଚକ୍ଲେଟ୍ ଜରି, ଗୁଟ୍ଖା ଜରି ଭଳି କଠିନ ପଦାର୍ଥଗୁଡ଼ିକ ସବୁଜ ରଙ୍ଗର ଡଷ୍ଟବିନ୍ରେ ପକାଇବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ନୀଳ ରଙ୍ଗର ଡଷ୍ଟ୍ବିନ୍ରେ ରହିଛି ଖାଦ୍ୟ ପଦାର୍ଥରୁ ନିର୍ଗତ ବର୍ଜ୍ୟବସ୍ତୁ ।
ଡଷ୍ଟବିନ୍ରେ ଆରଏଫ୍ଆଇଡି୍
ରାଜଧାନୀରେ ସବୁ ଡଷ୍ଟବିନ୍ରେ ଲାଗିଛି (ଆରଏଫ୍ଆଇଡି) ରେଡିଓ ଫ୍ରିକୁ୍ୟଏନ୍ସି ଆଇଡେଣ୍ଟିପିକିସନ୍ ଡିଭାଇସ୍ । ଏହାଦ୍ୱାରା ଡଷ୍ଟବିନ୍ର ପ୍ରକୃତ ସ୍ଥାନ ଚିହ୍ନଟ ହୋଇ ପାରିଛି । ଡଷ୍ଟବିନ୍ରେ ଅଳିଆ ପୂର୍ଣ୍ଣ ହୋଇଗଲେ ସ୍ୱୟଂ ଚାଳିତ ଭାବେ ବାଜିବ ଆଲାରାମ । ଏହି ଆଲାରାମ୍ ଉକ୍ତ କଣ୍ଟ୍ରୋଲ୍ ରୁମ୍ରେ ସୂଚନା ଦେବ । ସେଠାରେ ଥିବା ଅଧିକାରୀ ଅଳିଆ ବୋହୁଥିବା ଗାଡ଼ିକୁ ଜଣାଇବେ । ଏହି କଣ୍ଟ୍ରୋଲ୍ ରୁମ୍ରୁ ଡଷ୍ଟ୍ବିନ୍ ଏବଂ ଅଳିଆ ବୋହୁଥିବା ଗାଡ଼ିକୁ ମନିଟରିଂ କରାଯାଇପାରିବ ।