ATHAGADA-HATIA

ହାତୀ ଆକ୍ରମଣରେ ୭ ବନ କର୍ମଚାରୀ ଆହତ

45

ଆଠଗଡ଼ (ଆପ୍ର): ଆଠଗଡ଼ ବନାଞ୍ଚଳରେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ବନ କର୍ମଚାରୀ । ଏକ ଆହତ ହାତୀକୁ ଚିକିତ୍ସା ପାଇଁ ଟ୍ରାଙ୍କୁଲାଇଜର୍ ଦେବା ସମୟରେ ସଂକୃକ୍ତ ହାତୀ ହିଂସ୍ର ହୋଇ ଆକ୍ରମଣ କରିଥିଲା । ଯାହା ଫଳରେ ରେଞ୍ଜର ଗୌର ଗୋପାଳ ସିଂଙ୍କ ସମେତ ୭ କର୍ମଚାରୀ ଆହତ ହୋଇଛନ୍ତି । ବନରକ୍ଷୀ ପ୍ରମୋଦ କୁମାର ନାୟକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । କିଛିଦିନ ତଳେ ଏକ ଦନ୍ତା ହାତୀ ଗୋଡ଼ରେ ମଟର ଟାୟାର ପଶି ଯିବାରୁ କ୍ଷତ ସୃଷ୍ଟି ହୋଇଥିଲା । ଏହାକୁ ନେଇ ସେ ଦଳରୁ ଅଲଗା ହୋଇଯାଇଥିଲା । ହାତୀର ଉପଚାର ନିମନ୍ତେ ଓୟୁଏଟିର ସହାୟତା ନିଆଯାଇଥିଲା । ମଙ୍ଗଳବାର ଓୟୁଏଟି ପ୍ରାଣି ବିଜ୍ଞାନ ପ୍ରଫେସର ଇନ୍ଦ୍ରମଣି ନାଥ ଓ ତାଙ୍କ ଟିମ୍ ଏବଂ ରେଞ୍ଜର ଶ୍ରୀ ସିଂ ଏବଂ ତାଙ୍କ ଦଳ ଅସୁସ୍ଥ ହାତୀଟି ରହୁଥିବା ସୁକାସନ ଜଙ୍ଗଲକୁ ଯାଇ ଚିକିତ୍ସା ନିମନ୍ତେ ନିଶ୍ଚେତକ ଦେବାକୁ ଉଦ୍ୟମ କରି ବିଫଳ ହେବାରୁ ଏହା ଅଧିକ ହିଂସ୍ର ହେବା ସହିତ କର୍ମଚାରୀମାନଙ୍କୁଆକ୍ରମଣ କରିଥିଲା । ହିଂସ୍ର ହାତୀ ବନରକ୍ଷୀ ଶ୍ରୀ ନାୟକଙ୍କ ଗୋଡ଼କୁ କୁଦି ଦେବା ସହିତ ମୁଣ୍ଡ ଓ ଛାତିରେ ଆଘାତ କରିଥିଲା । ହାତୀଟି ପୁନର୍ବାର ରେଞ୍ଜର ଶ୍ରୀ ସିଂ ଓ ଅନ୍ୟମାନଙ୍କ ଉପରେ ଆକ୍ରମଣ କରିଥିଲା । କର୍ମଚାରୀମାନେ ବନ୍ଧୁକ ଫୁଟାଇ ହାତୀକୁ ତଡ଼ିଥିଲେ । ଆହତ କର୍ମଚାରୀମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହାତୀର କ୍ଷତ ମଧ୍ୟ ଗୁରୁତର ଥିବାରୁ ତାକୁ ପୁନର୍ବାର ନିଶ୍ଚେତକ ଦିଆଯିବ ବୋଲି କୁହାଯାଇଛି ।

ସେଆର କରନ୍ତୁ:



Powered by odothemes.com