ଇଟାଭାଟିରେ ନାବାଳିକାଙ୍କୁ ଯୌନ ନିର୍ଯାତନା

134

ପୁଲିସ ଓ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ, ଉଦ୍ଧାର ନାବାଳିକା ଫେରାର୍
କଟକ, ୯ା୪(ବୁ୍ୟରୋ): ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀଠାରେ ଥିବା ଏକ ଇଟାଭାଟିରେ କିଛିଦିନ ହେବ ୬ ଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯିବା ଘଟଣାରେ ଆଜି ପୁଲିସ ଓ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସଦର ପୁଲିସ ନାବାଳିକାଙ୍କ ଅଭିଭାବକଙ୍କୁ ପଚରାଉଚରା କରୁଥିବାବେଳେ ଜିଲ୍ଲା ଶ୍ରମ ଅଧିକାରୀ ବନମାଳି ମହାପାତ୍ର ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ଇଟାଭାଟିରେ ନିର୍ଯାତନାର ଶିକାର ହୋଇଥିବା ନାବାଳିକାଙ୍କ ମଧ୍ୟରୁ ଦୁଇଜଣ କୌଶଳକ୍ରମେ ଖସିଆସିଛନ୍ତି । ଚାଇଲ୍ଡ ହେଲ୍ପଲାଇନ୍ ସଂସ୍ଥାର କର୍ମକର୍ତ୍ତା ନାବାଳିକାଙ୍କୁ ଗତକାଲି ବିଳମ୍ବିତ ରାତିରେ ଉଦ୍ଧାର କରି ସେମାନଙ୍କ ବୟାନ ନେବାପରେ ଘଟଣାଟି ପଦାକୁ ଆସିଥିଲା । ଇଟାଭାଟି ମାଲିକ ଓ ତାଙ୍କ ସହଯୋଗୀମାନେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବୋଲି ନାବାଳିକା ପ୍ରକାଶ କରିଛନ୍ତି । ସେଠାରେ ଆହୁରି ୪ ଜଣ ନାବାଳିକା ମଧ୍ୟ ଥିବା ସୂଚନା ମିଳିଛି । କେବଳ ଯୌନ ନିର୍ଯାତନା ନୁହେଁ, ଇଟାଭାଟିରେ ସେମାନଙ୍କୁ ଗୋତିଶ୍ରମିକ ଭାବେ ଖଟାଯାଉଥିଲା । ଖସି ଆସିଥିବା ନାବାଳିକାଙ୍କ ମଧ୍ୟରେ ଜଣଙ୍କର ବୟସ ୧୧ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କର ବୟସ ୧୪ ବର୍ଷ ପାଖାପାଖି ହେବ । ଚାଇଲ୍ଡ ହେଲ୍ପଲାଇନ୍ ସଂସ୍ଥାର କର୍ମକର୍ତ୍ତା ଏ ନେଇ ସଦର ଥାନାରେ ଏକ ମାମଲା ରୁଜୁ କରି ସ୍ଥାନୀୟ ବସୁନ୍ଧରାରେ ଉଦ୍ଧାର ନାବାଳିକାକୁ ଛାଡିଥିଲେ । ଆଜି ପୁଲିସ୍ ସେମାନଙ୍କୁ ମେଡ଼ିକାଲ ନେଇ ଡାକ୍ତରୀ ମାଇନା କରିବାର ଥିବାବେଳେ ଦୁଇ ନାବାଳିକା ସେଠାରୁ ଫେରାର ହୋଇଯାଇଛନ୍ତି । ଫଳରେ ପୁଲିସ୍ ମୁଣ୍ଡରେ ଚଡ଼କ ପଡ଼ିଛି । ସେମାନଙ୍କୁ ଖୋଜି ବାହାର କରିବାପାଇଁ ପୁଲିସ୍ ଟିମ୍ ବିଭିନ୍ନ ସ୍ଥାନକୁ ଗସ୍ତ କରିଛି ।




Powered by odothemes.com