dg

ନକ୍ସଲ୍ ଦମନ ପାଇଁ ସମନ୍ୱିତ ରଣନୀତି

89

୯ଟି ଉପଦ୍ରୁତ ରାଜ୍ୟର ଗୁଇନ୍ଦା ମୁଖ୍ୟଙ୍କ ବୈଠକ
ଭୁବନେଶ୍ୱର,୮ ।୪(ବୁ୍ୟରୋ): ସମନ୍ୱୟଭିତ୍ତିରେ ନକ୍ସଲ ବିରୋଧୀ ଅଭିଯାନ ଜାରି ରଖିବାକୁ ଓଡିଶା ସମେତ ୯ଟି ଉପଦ୍ରୁତ ରାଜ୍ୟର ବରିଷ୍ଠ ପୁଲିସ୍‍ ଅଫିସରମାନେ ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରସ୍ତୁତ ରଣନୀତି ଅନୁଯାୟୀ ନକ୍ସଲମାନେ ହିଂସାକାଣ୍ଡ ଘଟାଇବା ପୂର୍ବରୁ ଧରାପଡିବେ କିମ୍ବା ସେମାନଙ୍କ ଷଡଯନ୍ତ୍ରକୁ ପୁଲିସ୍‍ ପଣ୍ଡ କରିବେ । ଅନ୍ୟପକ୍ଷରେ ଗୋଟିଏ ରାଜ୍ୟରେ ହିଂସାକାଣ୍ଡ ସୃଷ୍ଟି କରି ପଡୋଶୀ ରାଜ୍ୟକୁ ଚମ୍ପଟ ମାରୁଥିବା ସଶସ୍ତ୍ର ନକ୍ସଲମାନେ ଆଉ ସେଥିରେ ସକ୍ଷମ ହେବେନାହିଁ । କାରଣ ପକ୍କା ଗୁଇନ୍ଦା ସୂଚନାକୁ ଆଧାର କରି ଉପଦ୍ରୁତ ରାଜ୍ୟଗୁଡିକ ନକ୍ସଲଙ୍କୁ ନିୟନ୍ତ୍ରଣ କରିବେ । ଏଥିସକାଶେ ଉପଦ୍ରୁତ ରାଜ୍ୟଗୁଡିକର ଗୁଇନ୍ଦା ଶାଖାଗୁଡିକ ପରସ୍ପର ମଧ୍ୟରେ ଗୁଇନ୍ଦା ସୂଚନାର ଆଦାନପ୍ରଦାନ ଜାରି ରଖିବେ । ଆଜି ଏଭଳି କିଛି ଠୋସ୍‍ ରଣନୀତି ପ୍ରସ୍ତୁତ କରିଛନ୍ତି ଉପଦ୍ରୁତ ୯ଟି ରାଜ୍ୟର ବରିଷ୍ଠ ପୁଲିସ୍‍ ଅଧିକାରୀମାନେ ।
ରାଜଧାନୀ ଭୁବନେଶ୍ୱରସ୍ଥିତ କମିଶନରେଟ୍ ପୁଲିସ୍ ସଭା କକ୍ଷ୍ୟରେ ଅନୁଷ୍ଠିତ ଏହି ବୈଠକରେ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ ନିୟନ୍ତ୍ରଣ ଦାୟିତ୍ୱରେ ଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ଦିଲୀପ କୁମାର, ନିରାପତ୍ତା ପରାମର୍ଶଦାତା ସଂଜୟ ଅଗ୍ରୱାଲ, ନିର୍ଦ୍ଧେଶକ ଆନନ୍ଦ ଜୈନ, ଓଡିଶା ଡିଜିପି ସଂଜୀବ ମାରିକ, ଗୁଇନ୍ଦା ନିର୍ଦ୍ଧେଶକ ଅରୁଣ କୁମାର ଷଡଙ୍ଗୀ, ଗୁଇନ୍ଦା ଏଡିଜି ସୁନୀଲ ରାୟଙ୍କ ସମେତ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବିହାର, ଝାଡଖଣ୍ଡ, ଛତିଶଗଡ, କର୍ଣ୍ଣାଟକ, କେରଳ ଓ ତାମିଲ୍ନାଡୁର ବରିଷ୍ଠ ପୁଲିସ୍‍ ଅଫିସରମାନେ ଯୋଗଦେଇଥିଲେ । ବୈଠକ ପରେ ଡିଜିପି ସଂଜୀବ ମାରିକ୍‍ କହିଲେ, ଓଡିଶାରେ ନକ୍ସଲ ନିୟନ୍ତ୍ରଣକୁ ଅନ୍ୟ ରାଜ୍ୟମାନେ ଅନୁସରଣ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ବରିଷ୍ଠ ଅଫିସରମାନେ ପରାମର୍ଶ ଦେଇଛନ୍ତି । ବିଶେଷକରି ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ଜରିଆରେ ନକ୍ସଲ ଉପଦ୍ରବ ନିୟନ୍ତ୍ରଣ କରିବାକୁ ସମ୍ଭାବ୍ୟ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଅବସରରେ ଓଡିଶା, ଆନ୍ଧ୍ର ଓ ତେଲେଙ୍ଗାନାର ବରିଷ୍ଠ ପୁଲିସ୍‍ ଅଫିସରମାନେ ନିଜ ନିଜ ରଣନୀତି ସମ୍ପର୍କରେ ଭିଡିଓ ଚିତ୍ର ଦେଖାଇଥିଲେ । ଓଡିଶାରେ ନକ୍ସଲ ଉପଦ୍ରବ ହ୍ରାସ ପାଇବା ପଛରେ ଥିବା ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା ।




Powered by odothemes.com