ଆଇଆଇଟି ଭୁବନେଶ୍ୱରର ମୁଖ୍ୟ ହେବେ ସରିତ ଦାସ

101

ନୂଆଦିଲ୍ଲୀ, ୮ ।୪(ଏଜେନ୍ସି): ଇଣ୍ଡିଆନ୍‍ ଇନ୍‍ଷ୍ଟିଚୁ୍ୟଟ୍‍ ଅଫ୍‍ ଟେକ୍ନୋଲୋଜି (ଆଇଆଇଟି), ଭୁବନେଶ୍ୱରର ନୂଆ ମୁଖ୍ୟଭାବେ ନିଯୁକ୍ତ ହେବେ ଆଇଆଇଟି ମାଡ୍ରାସ୍‍ର ମେକାନିକାଲ୍‍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ତଥା ଏକାଡେମିକ୍‍ ରିସର୍ଚ୍ଚର ଡିନ୍‍ ଡ. ସରିତ କୁମାର ଦାସ । ଡ. ଦାସଙ୍କ ବ୍ୟତୀତ ରୋପାର୍‍ ଆଇଆଇଟି ପାଇଁ ପ୍ରଫେସର ରାଜୀବ ଶେଖର ଓ ପାଟ୍‍ନା ଆଇଆଇଟି ପାଇଁ ପ୍ରଫେସର ପୁଷ୍ପକ ଭଟ୍ଟାଚାର୍ଯ୍ୟଙ୍କ ନାମ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ୱାରା ଚୂଡାନ୍ତ ହୋଇଥିବା ଜଣାପଡିଛି । ପୂର୍ବରୁ ଏହି ୩ଟି ଆଇଆଇଟିର ମୁଖ୍ୟ ଚୟନ ପାଇଁ ଅନୁସୃତ ପ୍ରକ୍ରିୟାକୁ ବିରୋଧ କରି କମିଟିର ମୁଖ୍ୟ ତଥା ତକ୍ରାଳୀନ ଆଇଆଇଟି ବମ୍ବେର ବୋର୍ଡ ଅଧ୍ୟକ୍ଷ ଅନୀଲ କାକୋଦକର ବୈଠକରୁ ଉଠି ପଳାଇଥିଲେ । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଶେଷରେ ସେହି ଚୟନ ପ୍ରକ୍ରିୟାକୁ ବାତିଲ କରି ଗତ ମାର୍ଚ୍ଚ ୨୨ରେ ସାନି ସାକ୍ଷାତକାର ଜରିଆରେ ଉପରୋକ୍ତ ୩ଟି ଆଇଆଇଟିର ମୁଖ୍ୟଙ୍କୁ ଚୟନ କରିବା ପାଇଁ ୩୬ ଜଣ ଆଇଆଇଟି ପ୍ରଫେସରଙ୍କ ମଧ୍ୟରୁ ନାମ ଚୂଡାନ୍ତ କରିଥିଲେ ।
୧୯୮୪ରେ ଯାଦବପୁର (ପ.ବଙ୍ଗ) ବିଶ୍ୱବିଦ୍ୟାଳୟରୁ ବିଇ ଡିଗ୍ରୀ, ୧୯୮୭ରେ ସେଠାରୁ ସ୍ନାତକୋତ୍ତର (ଏମ୍‍ଇ) ଡିଗ୍ରୀ ହାସଲ ପରେ ଇଂ. ସରୀତ ଦାସ ସମ୍ବଲପୁରସ୍ଥିତ ବୁର୍ଲା ଇଞ୍ଜିନିୟରିଂ କଲେଜରୁ ୧୯୯୪ରେ ପିଏଚ୍‍ଡି ହାସଲ କରିଥିଲେ । ସେହିବର୍ଷ ସେ ଜର୍ମାନ ଫେଡେରାଲ୍‍ ଆର୍ମଡ୍‍ ଫୋର୍ସେସ୍‍ ବିଶ୍ୱବିଦ୍ୟାଳୟରୁ ପୋଷ୍ଟ ଡକ୍ଟରାଲ୍‍ ଡିଗ୍ରୀ ହାସଲ କରିଥିଲେ । ଇତିମଧ୍ୟରେ ସେ ଆସାମର ସିଲଚରସ୍ଥିତ ରିଜୋନାଲ୍‍ ଇଞ୍ଜିନିୟରିଂ କଲେଜ (ଆର୍‍ଇସି)ରେ ୧୯୮୬ରୁ ୮୮ ପର୍ଯ୍ୟନ୍ତ ଅଧ୍ୟାପନା କରିଥିଲେ । ସେଠାରୁ ଆର୍‍ଇସି, ରାଉରକେଲାକୁ ବରିଷ୍ଠ ଅଧ୍ୟାପକଭାବେ ବଦଳି ହୋଇ ସେଠାରେ ୧୯୯୫ ପର୍ଯ୍ୟନ୍ତ ଅଧ୍ୟାପନା କରିଥିଲେ । ଏହାପରେ ସେ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ମାଡ୍ରାସ୍‍ ଆଇଆଇଟିରେ ସହକାରୀ ପ୍ରଫେସର, ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସହଯୋଗୀ ପ୍ରଫେସରଭାବେ କାର୍ଯ୍ୟ କରି ଶେଷରେ ପ୍ରଫେସର ଓ ବିଭାଗୀୟ ମୁଖ୍ୟଭାବେ କାର୍ଯ୍ୟରତ । ୨୦୧୧ରୁ ସେ ଆମେରିକାର ମାସାଚୁଏଟ୍ସ ଇନ୍‍ଷ୍ଟିଚୁ୍ୟଟ୍‍ ଅଫ୍‍ ଟେକ୍ନୋଲୋଜି (ଏମ୍‍ଆଇଟି)ର ଭିଜିଟିଂ ପ୍ରଫେସରଭାବେ ଚୁକ୍ତିବଦ୍ଧ ।




Powered by odothemes.com