revenshaw univarcityi ra student union annual function (15)

ରେଭେନ୍ସାକୁ ପ୍ୟାକେଜ୍ ୧୨୭ କୋଟି

94

କଟକ, ୮ା୪(ବୁ୍ୟରୋ): ରେଭେନ୍ସା ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ଅର୍ଥ ପ୍ରତିବନ୍ଧକ ହେବ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆଶ୍ୱାସନା ଦେବା ସହିତ ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ ପାଇଁ ୧୨୭କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି । ଏହାଛଡ଼ା ରେଭେନ୍ସା କ୍ୟାମ୍ପସ ପରିସରରେ ୱାଇଫାଇ, ସ୍ମାର୍ଟ କ୍ଲାସ ସୁବିଧା ଉପଲବ୍ଧ ଲାଗି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏଥିମଧ୍ୟରେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ, ଇନଡୋର ଷ୍ଟାଡିୟମ ଉନ୍ନତିକରଣ ପାଇଁ ୪୪ କୋଟି, ଜଳ ନିଷ୍କାସନ ପାଇଁ ଡ୍ରେନେଜ ନିର୍ମାଣ ବାବଦରେ ୧ କୋଟି ଟଙ୍କା ରହିଛି । ଆଜି ଛାତ୍ର ସଂସଦ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହି ବିଶ୍ୱବିଦ୍ୟାଳୟକୁ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ କରିବା ପାଇଁ ସରକାର ସର୍ବଦା ଚେଷ୍ଟିତ । ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ସବୁମତେ ଉଦ୍ୟମ କରାଯିବ । ବିଶ୍ୱବିଦ୍ୟାଳୟର ଖାଲି ପଡିଥିବା ୨୬୭ ଅଧ୍ୟାପକ, ପ୍ରାଧ୍ୟାପକ, ପ୍ରଫେସର ପଦବୀ ଖୁବଶୀଘ୍ର ପୂରଣ ହେବ । ଏହି ଅବସରରେ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ରେଭେନ୍ସା ବିଶ୍ୱବିଦ୍ୟାଳୟର ଶିକ୍ଷାର ମାନର ଉନ୍ନତି ଉପରେ ଗୁରୁତ୍ୱ ଦେଇ କହିଲେ ଯେ ଅତ୍ୟାଧୁନିକ ପାଠାଗାର, ଇ-ଲାଇବ୍ରେରୀ ବ୍ୟବସ୍ଥା ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ରେଭେନ୍ସା ବିଶ୍ୱବିଦ୍ୟାଳୟ ଦେଶ ଓ ବିଦେଶରେ ଖ୍ୟାତି ଅର୍ଜନ କରିଥିବାରୁ ଏଠାକୁ ଅନେକ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟାପନା ପାଇଁ ଆସୁଛନ୍ତି । କଲେଜ ଅତୀତକୁ ମନେପକାଇ ଶ୍ରୀ ମହତାବ କହିଥିଲେ ଯେ ଏଠାରେ ପଡୁଥିବା ଛାତ୍ରଛାତ୍ରୀ ଦେଶ ବିଦେଶରେ ସୁନାମ ଆଣିଛନ୍ତି, ଏହା ଗର୍ବଗୌରବର କଥା । କୁଳପତି ପ୍ରକାଶ ଚନ୍ଦ୍ର ଷଡଙ୍ଗୀ ଅତିଥି ପରିଚୟ ପ୍ରଦାନ କରି ରେଭେନ୍ସାରେ ଥିବା ନାନାବିଧ ସମସ୍ୟା ସଂପର୍କରେ ନିଜ ବକ୍ତବ୍ୟରେ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, କନ୍ଧମାଳ ସାଂସଦ ପ୍ରତୁ୍ୟଷା ରାଜେଶ୍ୱରୀ ସିଂହ, କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଉତ୍ସବ ଅବସରରେ ଛାତ୍ର ସଂସଦ ସଭାପତି ସ୍ଥିତପ୍ରଜ୍ଞ ଦାସ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥିବା ବେଳେ ସମ୍ପାଦକ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଶେଷରେ ଛାତ୍ର ସଂସଦ ସହ ସଂପାଦକ ଅବିନାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।




Powered by odothemes.com