ଶୃଙ୍ଖଳିତ ଓ ଦୁର୍ଘଟଣାମୁକ୍ତ ଯାତ୍ରୀ ପରିବହନ ପାଇଁ ଆହ୍ୱାନ

bus-owner

ବସ୍ ମାଲିକ ସଂଘ ସମ୍ମଳିନୀ ଉଦ୍ଘାଟିତ
ପୁରୀ (ଆପ୍ର): ଘରୋଇ ବସ୍ ମାଲିକ ସଂଘ ସଦସ୍ୟ ଗୋଟିଏ ପରିବାର ଭଳି । ଏକମନ ହୋଇ ଓଡ଼ିଶା ବାସୀଙ୍କୁ ସଡ଼କ ପରିବହନ ସେବା ଯୋଗାଇ ଦେଉଛନ୍ତି । ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ସରକାର ଓ ଘରୋଇ ବସ୍ ମାଲିକ ସଂଘ କର୍ମକର୍ତ୍ତାଙ୍କ ସହିତ ସବିଶେଷ ଆଲୋଚନା କରାଯାଇ ସମସ୍ୟା ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ଶନିବାର ପୁରୀରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଘରୋଇ ବସ୍ ମାଲିକ ସଂଘର ଦୁଇଦିନିଆ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ମତବ୍ୟକ୍ତ କରିଛନ୍ତି । ସମାରୋହରେ ଉଦ୍ଘାଟକ ରୂପେ ଯୋଗ ଦେଇ ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଯାତ୍ରୀ ପରିବହନ ସେବାକୁ ଶୃଙ୍ଖଳିତ ଓ ଦୁର୍ଘଟଣାମୁକ୍ତ ଭାବେ ପରିଚାଳନା କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଦାୟିତ୍ୱସମ୍ପନ୍ନ ଓ ଉପଯୁକ୍ତ ତାଲିମପ୍ରାପ୍ତ ଚାଳକଙ୍କ ନିଯୁକ୍ତି ଉପରେ ବସ୍ ମାଲିକ ଯଥେଷ୍ଟ ଗୁରୁତ୍ୱ ଦିଅନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ଦାସବର୍ମା ଓ ଶ୍ରୀ ମାଝୀ ପରାମର୍ଶ ଦେଇଥିଲେ । ଏଥିସହ ବସ୍ରେ ଯାତ୍ରୀଙ୍କ ସର୍ବନିମ୍ନ ସୁବିଧା ଯଥା ଫାଷ୍ଟଏଡ୍ ଓ ପାନୀୟ ଜଳ ବ୍ୟବସ୍ଥା ଉପରେ ମନ୍ତ୍ରୀ ଦ୍ୱୟ ଗୁୁରୁତ୍ୱାରୋପ କରିଥିଲେ । ସମାରୋହରେ ବିଧାୟକ ମହେଶ୍ୱର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଅନ୍ୟାନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସବୁଠାରୁ ଅଧିକ ଘରୋଇ ବସ୍ ପରିବହନ ସେବା କରାଯାଏ ବୋଲି ଉଲ୍ଲେଖ କରିଥିଲେ । ତେବେ ଟୋଲ୍ଗେଟ୍ ସମସ୍ୟାକୁ ସମାଧାନ କରାଯାଉ ବୋଲି ବିଧାୟକ ଶ୍ରୀ ମହାନ୍ତି ଦାବି କରିଥିଲେ । ସମାଜସେବା ଓ ଜନହିତକର କାର୍ଯ୍ୟ ବସ୍ ମାଲିକ କରିଚାଲନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ । ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ବଡ଼ଦାଣ୍ଡସ୍ଥିତ ସ୍ୱସ୍ତିକ ମଣ୍ଡପରେ ଆୟୋଜିତ ଏହି ସମାରୋହରେ ସଂଘ ମୁଖପାତ୍ର ଦେବାଶିଷ ନାୟକ, ସହକୋଷାଧ୍ୟକ୍ଷ ବରଦାପ୍ରସନ୍ନ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ, ପୁରୀ ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣି, ଅନ୍ୟତମ କର୍ମକର୍ତ୍ତା ନିତ୍ୟକିଶୋର ପଟ୍ଟନାୟକ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଉଦ୍ଘାଟନୀ ଉତ୍ସବରେ ସମସ୍ତ ଆଞ୍ଚଳିକ ସଂଘ ସେମାନଙ୍କ ଅଞ୍ଚଳରେ ଯାତ୍ରୀ ଆଶ୍ରୟସ୍ଥଳ ନିର୍ମାଣ, ସମୟ ସରଣୀ, ପାନୀୟ ଜଳର ବ୍ୟବସ୍ଥା ସମେତ ବସ୍ଷ୍ଟାଣ୍ଡଗୁଡିକର ଉନ୍ନତି କରିବାପାଇଁ ପରାମର୍ଶ ଦିଆଯାଇଥିଲା । ଓଡ଼ିଶା ଯାତ୍ରୀ ପରିବହନ ସେବାକୁ ଶିଳ୍ପର ମାନ୍ୟତା, ଯାତ୍ରୀବାହୀ ବସ୍ଗୁଡିକୁ ରିହାତି ଦରରେ ଡିଜେଲ ଯୋଗାଣ, ବସ୍ଷ୍ଟାଣ୍ଡଗୁଡିକରେ ରାତି୍ରକାଳୀନ ସୁରକ୍ଷା ବ୍ୟବସ୍ଥା, ବେଆଇନ୍ ଚାନ୍ଦା ଆଦାୟ ସହିତ ବିନା ଟିକେଟରେ ଯାତ୍ରାକୁ ସଂପୂର୍ଣ୍ଣ ନିଷେଧକରାଯାଇଛି ବୋଲି ସଂଘ ଘୋଷଣା କରିଛି । ଉଦ୍ଘାଟନୀ ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ଶତାଧିକ ଘରୋଇ ବସ୍ ମାଲିକ ଯୋଗ ଦେଇଛନ୍ତି ।