dumduma-mahila-nkn-bekakata

ମହିଳାଙ୍କ ତଣ୍ଟି କାଟି ଦୁର୍ବୃତ୍ତ ଫେରାର

31

ଭୁବନେଶ୍ୱର (ବୁ୍ୟରୋ): ବିଚ୍ ରାସ୍ତାରେ ଦୁର୍ବୃତ୍ତ ମହିଳାଙ୍କୁ ଆକ୍ରମଣ କରି ଫେରାର ହେଉଛନ୍ତି । ରାଜ ରାସ୍ତାରେ ୩ ଛାତ୍ରୀଙ୍କୁ ଦୁର୍ବୃତ୍ତ ଅସଦାଚରଣ କରିବା ଘଟଣାର ୨୪ ଘଣ୍ଟା ନପୁରୁଣୁ ଜଣେ ମହିଳାଙ୍କ ତଣ୍ଟି କାଟି ଦୁର୍ବୃତ୍ତ ଫେରାର ହେବା କମିଶନରେଟ୍ ପୁଲିସ୍ର ପାରିବା ପଣିଆକୁ ପଦାରେ ପକାଇଛି । ଛୁରାମାଡରେ ଆହତ ମହିଳା ତନୁଜା କୁମାରୀ ନାୟକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣକାରୀ ମାନସ ଭୋଇକୁ ଫେରାର ରହିଛି । ତାକୁ ଧରିବା ପାଇଁ ଖଣ୍ଡଗିରି ପୁଲିସ୍ ଚଢ଼ାଉ ଜାରି ରଖିଛି । ତେବେ ଛୁରା ମାଡର କାରଣ ଅସ୍ପଷ୍ଟ ରହିଛି । ଅଭିଯୋଗରୁ ପ୍ରକାଶ, ଡୁମୁଡୁମା ଫେଜ୍-୪ ପ୍ଲଟ୍ ନମ୍ବର ୭୪୮ରେ ତନୁଜା ପରିବାର ସହ ରହୁଛନ୍ତି । ଶନିବାର ଭୋରୁ ଭାଇ ଦେବାଶିଷ ନାୟକଙ୍କ ସହ ତନୁଜା କାର୍ରେ ଝାଡଖଣ୍ଡ ଯିବାକୁ ବାହାରିଥିଲେ । ଡୁମୁଡୁମାରୁ ଜାତୀୟ ରାଜପଥ ନିକଟରେ ପହଞ୍ଚିଥିଲେ । ଗାଡିର କାଚ ଖୋଲା ରହିଥିଲା । ଅନ୍ୟ ଗାଡି ଆସୁଥିବାରୁ ରାଜପଥ ଚଢ଼ିବା ପୂର୍ବରୁ ଚାଳକ କାର୍କୁ ବ୍ରେକ୍ କରିଥିଲେ । ଗାଡି ଅଟକିବା ମାତ୍ରେ ପିଛା କରିଥିବା ମାନସ ତନୁଜାଙ୍କ ବେକକୁ ଛୁରାମାଡ କରିଥିଲା । ଏହାପରେ ସେ ଆଖିପିଛୁଳାକେ ସେଠାରୁ ଫେରାର ହୋଇଯାଇଥିଲା । ପରିବାର ଲୋକ ତନୁଜାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଘରୋଇ ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଥିଲା । ଖବରପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଥିଲା । ଘଟଣା ସଂକ୍ରାନ୍ତରେ ଦେବାଶିଷଙ୍କୁ ପଚାରାଉଚରା କରିଥିଲା । ଅଭିଯୁକ୍ତ ମାନସକୁ ଚିହ୍ନିଥିବା ସେ କହିଥିଲେ । ହେଲେ ଆକ୍ରମଣର କାରଣ ସେ ଜାଣିନଥିବା କହିଥିଲେ । ହେଲେ ଏକ ସରକାରୀ ଜମି କିଣାବିକାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍ ଜାଣିବାକୁ ପାଇଛି । ମାନସ ଗିରଫ ପରେ ଆକ୍ରମଣର କାରଣ ଜଣାପଡିବ ବୋଲି ପୁଲିସ୍ କହିଛି ।




Powered by odothemes.com