sisir-saras-5

ଶିଶିର ସରସ ଉଦ୍ଘାଟିତ

37

୧୨ କୋଟି ବ୍ୟବସାୟ ଲକ୍ଷ୍ୟ
ଭୁବନେଶ୍ୱର, (ବୁ୍ୟରୋ): କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ସହାୟତାରେ ଓଡ଼ିଶା ରୁରାଲ ଡେଭେଲପ୍ମେଣ୍ଟ ଏଣ୍ଡ ମାର୍କେଟିଂ ସୋସାଇଟି (ଓର୍ମାସ୍), ଓଡ଼ିଶା ଜୀବିକା୍ ମିଶନ୍ ଓ ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଶିଶିର ସରସ ୨୦୧୭ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ, ଏହି ମେଳା ଉଭୟ ସ୍ଥାନୀୟ ଓ ରାଜ୍ୟ ବାହାରର ଶିଳ୍ପୀଙ୍କ ପାଇଁ ଏକ ପ୍ଲାଟଫର୍ମ । ଯାହାଦ୍ୱାରା ସେମାନେ ଗ୍ରାହକଙ୍କ ରୁଚି ବାବଦରେ ସିଧାସଳଖ ଜାଣିବାର ଅବକାଶ ପାଇପାରିବେ । ଏଥିସହ ବିଭିନ୍ନ ରାଜ୍ୟର କଳାକୃତିଗୁଡ଼ିକର ସମ୍ମିଶ୍ରଣ ଘଟିବା ଫଳରେ ହସ୍ତତନ୍ତର ଉନ୍ନତି ଘଟିବ । ଏହି ମେଳାରେ ୨୫ଟି ରାଜ୍ୟର ୬୭୮ ଜଣ ହସ୍ତଶିଳ୍ପୀ ଅଂଶଗ୍ରହଣ କରି ସେମାନଙ୍କ କଳାକୃତୀ ଓ ଉତ୍ପାଦ ପ୍ରଦର୍ଶନ କରିବେ । ଚଳିତ ବର୍ଷ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ୨୯୦ଟି ଷ୍ଟଲ୍ ରହିଛି । ତା ଭିତରୁ ୧୬୦ଟି ଷ୍ଟଲ ଓଡିଶାର । ମେଳାର ମୁଖ୍ୟ ଆକର୍ଷଣ ପାଲଟିଛି ପଣ୍ଡିଚେରୀର ପେପର ମାକେ, ଉତ୍ତରପ୍ରଦେଶର ଲୁହା କାରିଗରୀ, ଛତିଶଗଡର ଟସର, ଆସାମ ଓ ତ୍ରିପୁରାର ବାଉଶ ଓ ବେତ, ମଣିପୁରର ପୋଷାକ, ପଶ୍ଚିମବଙ୍ଗର ଝୋଟ, ବନାରସର ସିଲ୍କ, ମଧ୍ୟ ପ୍ରଦେଶର ଚନେ୍ଦରି ସିଲ୍କ, ମଣିପୁରର କାଗଜ ଫୁଲ, ଗୁଜୁରାଟର ସାଲ, ପଞ୍ଜାବ ଓ ରାଜସ୍ଥାନର ଚମଡା ଜୋତା, ଟେରାକୋଟା, ଟ୍ରାଇବାଲ ଜୁଏଲାରୀ, ଡୋକ୍ରା କାଷ୍ଟିଂ, କଟନ ହ୍ୟାଣ୍ଡଲୁମ୍‌, କେନ୍ଦୁଝରର ଫୁଲବଡି ଓ ଓଡିଶାର ଶୁଖୁଆ । ଏଥିସହ ସବାଇଘାସରେ କଳାକୃତୀ ଓ ଲାଖ ସାମଗ୍ରୀର ସୁନ୍ଦର ଡିଜାଇନ୍ ପ୍ରସ୍ତୁତିର ସିଧାସଳଖ ଦୃଶ୍ୟ ଦେଖିପାରିବେ ଦର୍ଶକ । ଓରମାସ ସହାୟତାରେ ଆାରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୧୫ ତାରିଖ ଯାଏଁ ଚାଲିବ ।
ଗତବର୍ଷ ଶିଶିର ସରସ ପ୍ରଦର୍ଶନୀରେ ୨୯୦ ଟି ଷ୍ଟଲରେ ୭୧୨ ଜଣ ହସ୍ତଶିଳ୍ପୀ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିଥିଲେ । ଗତଥର ୧୧ କୋଟି ୪୪ ଲକ୍ଷ ଟଙ୍କାର ବିକ୍ରି ବଟା ହୋଇଥିବା ବେଳେ ଚଳିତ ଥର ୧୨ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟବସାୟ ହେବ ବୋଲି ଆଶା କରାଯାଉଛି ।




Powered by odothemes.com