ଉପହାର ଦିଅନ୍ତୁ ଓଡ଼ିଆ ପୁସ୍ତକ

17-tama-rajadhani-pustak-mela-re-mantri-dr-arun-sahoo-pustaka-unmochan-karuchanti-8

୧୭ତମ ରାଜଧାନୀ ପୁସ୍ତକ ମେଳା ଆରମ୍ଭ
ଭୁବନେଶ୍ୱର, (ବୁ୍ୟରୋ): ବିବାହ, ବ୍ରତଘର, ଜନ୍ମଦିବସ, ନୂଆବର୍ଷ ଏପରି ଅନେକ ଦିବସରେ ବନ୍ଧୁ ଓ ଶୁଭେଚ୍ଛୁମାନେ ଅଭିନନ୍ଦନ ଜଣାଇବା ଲାଗି ବିଭିନ୍ନ ଉପହାର ପ୍ରଦାନ କରିଥାନ୍ତି । କିନ୍ତୁ କାଁ ଭାଁ ଲୋକେ ପୁସ୍ତକକୁ ଉପହାର ଭାବେ ଦେଇଥାନ୍ତି । ପୁସ୍ତକ ପରି ସାଥି ଟିଏ ପାଇବା ଅସମ୍ଭବ । ପୁସ୍ତକ ସର୍ବଦା ସଠିକ୍ମାର୍ଗ ଦେଖାଇଥାଏ । ତେଣୁ ଉପହାର ଦେବା ବେଳେ ଏଥିପ୍ରତି ଦୃଷ୍ଟି ଦିଆଯିବା ସହ ଯଦି ଓଡ଼ିଆ ଭାଷାରେ ଲିଖିତ ପୁସ୍ତକ ଅଧିକରୁ ଅଧିକ ଉପହାର ଆକାରରେ ଦିଆଯାଏ, ତେବେ ଲେଖକ, ପ୍ରକାଶକ ଓ ପାଠକଙ୍କ ସମେତ ଓଡ଼ିଆ ଭାଷାର ମଧ୍ୟ ଉନ୍ନତି ଘଟିବ ଏବଂ ଭାଷା ବଞ୍ଚିରହିବ ବୋଲି ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ ସାହୁ ମତପ୍ରକାଶ କରିଛନ୍ତି । ବୁଧବାର ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ୧୭ତମ ରାଜଧାନୀ ପୁସ୍ତକ ମେଳା । ମେଳାର ଉଦ୍ଘାଟନୀ ଉତ୍ସବରେ ମନ୍ତ୍ରୀ ଡ. ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି । ସେ କହିଲେ, ବର୍ତ୍ତମାନ ଆମାମାନଙ୍କ ମଧ୍ୟରେ ବୌଦ୍ଧିକ ଦେବାଳିଆ ପରିସ୍ଥିତି ସୃଷ୍ଟି ହୋଇଛି । ବସ୍ତୁବାଦୀ ଚିନ୍ତାଧାରା ଏହାକୁ ଜାବୁଡ଼ି ଧରିଛି । ତେଣୁ ଏଥିରୁ ଦୂରେଇ ରହିବା ଦରକାର ବୋଲି ଡ. ସାହୁ ମତବ୍ୟକ୍ତ କରିଛନ୍ତି । ଏହାସହ ଯିଏ ଭାବନାକୁ ନିଜ ଭାଷା ମଧ୍ୟରେ ସାଇତି ରଖିପାରେ ସେ ଲେଖକ, କବି ତଥା ପ୍ରାବନ୍ଧିକ ହୋଇଥାଏ ବୋଲି ସେ କହିଛନ୍ତି । ଉତ୍ସବରେ କବି ତଥା ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ, ତାଳପତ୍ର ପୋଥିଠାରୁ ଆରମ୍ଭ କରି ଆଜିର ଇଲେକ୍ଟ୍ରୋନିକ୍ ଯୁଗରେ ସାହିତ୍ୟ ବଞ୍ଚିଥିଲେ ମଧ୍ୟ ଏ କ୍ଷେତ୍ରରେ ପାଠକଙ୍କ ସଂଖ୍ୟା କମିଯାଉଛି । ପାଠକମାନଙ୍କ ମଧ୍ୟରେ ବହି ପଢ଼ିବାର ଆଗ୍ରହ ହ୍ରାସ ପାଉଛି । ମଣିଷ କେବଳ ବସ୍ତୁବାଦୀ ଆଡ଼କୁ ମୁହାଁଉଛି । ସେହିଭଳି ବର୍ତ୍ତମାନ କବି ଲେଖକମାନେ ମଧ୍ୟ ଲେଖିବା ଅପେକ୍ଷା ମାନପତ୍ର ପଛରେ ଧାଉଁଥିବା ଡ. ପାଟ୍ଟଶାଣୀ କହିଛନ୍ତି । ସେହିଭଳି ବହି ପଢ଼ିବା ଦ୍ୱାରା ମନରେ ଥିବା ଚିନ୍ତା ଦୂର ହୋଇଥାଏ । ତେଣୁ ବହି ପଢ଼ିବାର ଅଭ୍ୟାସ ରଖିବା ଉଚିତ୍ ବୋଲି ସେ କହିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୁସ୍ତକମେଳା କମିଟିର ସଭାପତି ଡ. ଉପେନ୍ଦ୍ର କୁମାର ଜେନା, ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ସଭ୍ୟ ବୀରକିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଆବାହକ ରମେଶ ଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଡ. ଉପେନ୍ଦ୍ର କୁମାର ଜେନା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଶେଷରେ ସଂଯୋଜକ କାଳୀ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗୌରହରି ପଣ୍ଡାଙ୍କ ଅନୁବାଦ ପୁସ୍ତକ ‘ଉପସଂହାର’, ଭାନୁମତି ସାହୁଙ୍କ କବିତା ପୁସ୍ତକ ‘ବିଷ କନ୍ୟା’, ନିବେଦିତା ଭଞ୍ଜଙ୍କ ଶ୍ରୀ ଜଗନ୍ନାଥଙ୍କ ତାତ୍ତ୍ୱିକ ପରମ୍ପରା ଉପରେ ଆଧାରିତ ଧର୍ମପୁସ୍ତକ ‘ଭାବ ଭକ୍ତିରେ ଶ୍ରୀ ଜଗନ୍ନାଥ’, ପ୍ରଫେସର ଅରୁଣ ଚନ୍ଦ୍ର ସାହୁଙ୍କ ବିଜ୍ଞାନ ପୁସ୍ତକ ‘ବିଜ୍ଞାନର ଦର୍ପଣରେ ଆଜି’, ଡ. ଇତି ସାମନ୍ତଙ୍କ ‘କୁନି କଥା’, ସତ୍ୟକାନ୍ତ ସାହୁଙ୍କ କବିତା ସଙ୍କଳନ ‘ଆଦ୍ୟପ୍ରେମ’, ପଞ୍ଚାନନ ଦଳାଇଙ୍କ ଇଂରାଜୀ ପୁସ୍ତକ ‘ଦି କେସ୍ ଅଫ୍ ମନୋଜ ଦାସ’ ଏବଂ ନିର୍ମଳ ଚନ୍ଦ୍ର ବିଶ୍ୱାଳଙ୍କ ‘ଦି କିଙ୍ଗ୍ ଅଫ୍ ନନ୍ ଭେଜିଟେରିଆନ୍ ଡାଏଟ୍’ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହାପରେ ଅତିଥିମାନେ ସମସ୍ତ ଷ୍ଟଲ ବୁଲି ଦେଖିଥିଲେ । ପରେପରେ ଭୁବନେଶ୍ୱର ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ପଞ୍ଜାବ, ଗୁଜୁରାଟ, ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡୁ ପ୍ରଭୃତି ବିଭିନ୍ନ ରାଜ୍ୟର ୫୦୦ଟି ଷ୍ଟଲ୍ ଖୋଲାଯାଇଛି । ଏହାସହ ବହୁ ଖ୍ୟାତନାମା ପୁସ୍ତକ ପ୍ରକାଶକ, ବିତରକ ଓ ବିକ୍ରେତା ମଧ୍ୟ ସାମିଲ୍ ହୋଇଛନ୍ତି । ମେଳାରେ ବିଭିନ୍ନ ଭାଷାର ସାହିତ୍ୟ ପୁସ୍ତକ, ଧର୍ମପୁସ୍ତକ, ସୂଚନା ପୁସ୍ତକ, ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ ସହିତ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ବିଭିନ୍ନ ସହାୟକ ପୁସ୍ତକ ଉପଲବ୍ଧ ରହିଛି । ଏହାସହ ଛାତ୍ରଛାତ୍ରୀମାନେ ସେମାନଙ୍କର ଉଜ୍ୱଳ ଭବିଷ୍ୟତ ଗଠନ ନିମନ୍ତେ ମେଳା ପରିସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।