kuhudi-re-b-p

ଘନ କୁହୁଡ଼ି ଯୋଗୁ ସ୍ୱାଭାବିକ ଜୀବନଯାତ୍ରା ବ୍ୟାହତ

51

ବିମାନ ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ – ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର, ୨ା୧(ବୁ୍ୟରୋ): ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସୋମବାର ଦିନ ଘନ କୁହୁଡ଼ି ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୧୦ରୁୂ ଅଧିକ ବିମାନ ଅବତରଣ ଓ ଉଡ଼ାଣରେ ବିଳମ୍ବ ହୋଇଥିଲା । ଅଧିକାଁଶ ବିମାନ ଦେଢ଼ରୁ ଦୁଇ ଘଣ୍ଟା ବିଳମ୍ବରେ ଚାଲିଥିଲା । ବିମାନ ଚଳାଚଳରେ ବିଳମ୍ବ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସେହିପରି ଟ୍ରେନ୍ ଚଳାଚଳରେ ମଧ୍ୟ ବିଳମ୍ବ ହୋଇଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଆଉ ଦିନେ ଦୁଇଦିନ ଘନ କୁହୁଡି ଆଚ୍ଛନ୍ନ କରି ରଖିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଅନେକ ବିମାନ ନିଜର ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ଢ଼େର ବିଳମ୍ବରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ସହ ବିଳମ୍ବରେ ଅନ୍ୟ ସ୍ଥାନକୁ ଯାତ୍ରା କରିଥିଲା । ସୂଚନା ଅନୁଯାୟୀ, ମଧ୍ୟାହ୍ନ ପୂର୍ବରୁ ଯାତାୟାତ କରୁଥିବା ପ୍ରାୟ ସମସ୍ତ ବିମାନର ଉଡ଼ାଣ ଏବଂ ଆଗମନ ବିଳମ୍ବିତ ହୋଇଥିଲା । କୋଲକାତା-ଭୁବନେଶ୍ୱର ଇଣ୍ଡିଗୋ ୬ଇ-୩୭୫ ସେଠାରୁ ସକାଳ ୭.୧୦ ଟା ବେଳେ ଉଡ଼ାଣ ଆରମ୍ଭ କରି ଭୁବନେଶ୍ୱରରେ ସକାଳ ୮ଟା୨୦ରେ ପହଞ୍ଚିବାର ଥିଲା । ତେବେ ସମାନ ସମୟ ଯୋଗୁଁ ଏହା କୋଲକାତାରୁ ୮ଟା୨୧ରେ ଉଡ଼ାଣ ଆରମ୍ଭ କରି ଏଠାରେ ୧୦ଟା ବେଳେ ଅବତରଣ କରିଥିଲା । ଅନ୍ୟଏକ ବିମାନ କୋଲକାତା-ଭୁବନେଶ୍ୱର ୬ଇ୫୧୨ ଅପରାହ୍ନ ୧.୦୫ ସମୟରେ ଅବତରଣ କରିବାର ଥିଲେ ମଧ୍ୟ ତାହା ଦେଢ଼ଘଣ୍ଟା ବିଳମ୍ବରେ ଅବତରଣ କରିଥିଲା । ସେହିପରି ବେଙ୍ଗାଲୁରୁ-ଭୁବନେଶ୍ୱର ଇଣ୍ଡିଗୋ ୬ଇ-୬୭୨୪ ଆଜି ସକାଳ ୭.୪୦ ସମୟରେ ଆସି ଭୁବନେଶ୍ୱରରେ ଅବତରଣ କରିବାର ଥିଲା । କିନ୍ତୁ କୁହୁଡି ଯୋଗୁଁ ଏହି ବିମାନ ପ୍ରାୟ ତିନିଘଣ୍ଟା ବିଳମ୍ବରେ ଅର୍ଥାତ୍ ସକାଳ ୧୦.୪୫ ସମୟରେ ଆସି ପହଞ୍ଚି ଥିଲା । ନୂଆଦିଲ୍ଲୀ-ଭୁବନେଶ୍ୱର ଇଣ୍ଡିଗୋ ୬ଇ-୭୦୧ ନୂଆଦିଲ୍ଲୀରୁ ଡେରିରେ ଉଡ଼ାଣ ଆରମ୍ଭ କରିଥିବା ବେଳେ ଭୁବନେଶ୍ୱରରେ ସକାଳ ୯.୧୫ ବଦଳରେ ସକାଳ ୯.୫୦ରେ ପହଞ୍ଚି ଥିଲା । ହାଇଦ୍ରାବାଦ-ଭୁବନେଶ୍ୱର ୬ଇ-୨୬୬ ଭୁବନେଶ୍ୱରରେ ପୂର୍ବନିର୍ଦ୍ଧାରିତ ୯.୪୦ ପରିବର୍ତ୍ତେ ସକାଳ ୧୦.୦୫ ଏବଂ ବିଶାଖାପାଟଣା-ଭୁବନେଶ୍ୱର ୬ଇ-୫୫୭ ସକାଳ ୯.୫୫ ପରିବର୍ତ୍ତେ ସକାଳ ୧୦.୩୨ରେ ଅବତରଣ କରିଛି । ନୂଆଦିଲ୍ଲୀ-ଭୁବନେଶ୍ୱର ଇଣ୍ଡିଗୋ ୬ଇ-୬୬୯ ଆଜି ସକାଳେ ନୂଆଦିଲ୍ଲୀରୁ ୨୦ ମିନିଟ୍ ବିଳମ୍ବରେ ଉଡ଼ାଣ ଆରମ୍ଭ କରି ଭୁବନେଶ୍ୱରରେ ଅଧଘଣ୍ଟା ବିଳମ୍ବରେ ଆସି ପହଞ୍ଚିଥିଲା । ଅନ୍ୟପକ୍ଷରେ ଇଣ୍ଡିଗୋ ହାଇଦ୍ରାବାଦ-ଭୁବନେଶ୍ୱର ୬ଇ-୭୫୪, ହାଇଦ୍ରାବାଦ-ଭୁବନେଶ୍ୱର ୬ଇ-୬୪୫, ନୂଆଦିଲ୍ଲୀ-ଭୁବନେଶ୍ୱର ୬ଇ-୨୨୧ ଆଦି ବିମାନ ମଧ୍ୟ ବିଳମ୍ବରେ ଆସି ଅବତରଣ କରିଥିଲା । ଏହାସହିତ ଏୟାର ବିସ୍ତାର ନୂଆଦିଲ୍ଲୀ-ଭୁବନେଶ୍ୱର ୟୁକେ-୭୦୯, ହାଇଦ୍ରାବାଦ-ଭୁବନେଶ୍ୱର ୟୁକେ-୨୬୧, ଏୟାର ଇଣ୍ଡିଆ ଆଦି ବିମାନ ଅନୁରୂପ ଭାବେ ବିଳମ୍ବରେ ଉଡ଼ାଣ ଏବଂ ଅବତରଣ କରିଥିବା ଜଣା ପଡିଛି । ତେବେ ବିମାନ ଗୁଡିକରେ ବିଳମ୍ବରେ ଆସିଥିବାରୁ ଏଠାରୁ ବିଳମ୍ବରେ ନିଜ ଗନ୍ତବ୍ୟସ୍ଥଳକୁ ଡେରିରେ ଉଡ଼ାଣ ଆରମ୍ଭ କରିଥିଲା । ତେବେ ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଉଛି । ୟୁରୋପିୟ ଦେଶରେ ଅତ୍ୟାଧୁନିକ ଜ୍ଞାନ କୌଷଳ ବ୍ୟବହାର କରି ଏହି ସମସ୍ୟାର ପ୍ରତିକାର କରାଯାଇ ପାରୁଛି । ନିଜ ଗନ୍ତବ୍ୟସ୍ଥଳରେ ଠିକ୍ ସମୟରେ ପହଞ୍ଚିବା ଲାଗି ଢ଼େର ଅଧିକ ଅର୍ଥ ବ୍ୟୟ କରି ବିମାନରେ ଯାତ୍ରା କରୁଛନ୍ତି । କିନ୍ତୁ ଦୁଇ ତିନିଘଣ୍ଟା ବିଳମ୍ବ ହେବା ଯୋଗୁ ଏହା ସମ୍ପୂର୍ଣ୍ଣ ନିରର୍ଥକ ହୋଇ ପଡିଛି ।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସାରା ରାଜ୍ୟରେ ଶୀତ ହ୍ରାସ ପାଇବାରେ ଲାଗିଛି । ତେବେ ଗତ୨୪ ଘଣ୍ଟା ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ବଢ଼ିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସୋମବାର ଘନ କୁହୁଡ଼ି ଆଚ୍ଛାଦିତ କରିଥିବାରୁ ଦିନ ୧୦ଟା ପର୍ଯ୍ୟନ୍ତ ଲୋକେ ଘରୁ ବାହାରି ପାରିନଥିଲେ । ଏହା ସହିତ ଗାଡ଼ି ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା । ସ୍କୁଲ କଲେଜ, ଅଫିସକୁ ଯିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଛାତ୍ରଛାତ୍ରୀ ଏବଂ ଲୋକେ । ସେହିପରି ଟ୍ରାଫିକ ନିୟନ୍ତ୍ରଣରେ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି । ତେବେ ଦକ୍ଷିଣ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଉତ୍ତର ଓଡ଼ିଶାର ମୟୁରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର, ବାଲେଶ୍ୱର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ଦୁଇଦିନ ଧରି ଘନ କୁହୁଡ଼ି ଆଚ୍ଛନ୍ନ କରିବ ।




Powered by odothemes.com