happy-new-year-2

ସଚିବାଳୟରେ ଶୁଭେଚ୍ଛାର ସୁଅ

40

ଭୁବନେଶ୍ୱର (ବୁ୍ୟରୋ): ନବବର୍ଷ ଉପଲକ୍ଷେ ସୋମବାର ସଚିବାଳୟରେ ଶୁଭେଚ୍ଛାର ସୁଅ ଛୁଟିଥିବାର ଦେଖିବାକୁ ମିଳିଥିଲା । ରବିବାର ଅର୍ଥାତ ନବବର୍ଷର ପ୍ରଥମ ଦିନ ରବିବାର ଥିବାରୁ ସଚିବାଳୟ ବନ୍ଦ ଥିଲା । ତେଣୁ ଶୁଭେଚ୍ଛା ପର୍ବ ଆଜି ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀମାନଙ୍କୁ ଆଜି ବହୁ କର୍ମଚାରୀ ଓ ଅନ୍ୟାନ୍ୟ ସଙ୍ଗଠନ ତଥା ବ୍ୟକ୍ତିବିଶେଷମାନେ ଭେଟି ଶୁଭେଚ୍ଛା ଦେଉଥିବା ଲକ୍ଷ୍ୟ କରାଯାଇଥିଲା । ସଚିବାଳୟ ଏକରକମ ଫୁଲତୋଡ଼ାରେ ସୋମବାର ଭର୍ତ୍ତି ହୋଇଯାଇଥିବା ଲକ୍ଷ୍ୟ କରାଯାଇଥିଲା । ସବୁ ବିଭାଗରେ ଏହି ଶୁଭେଚ୍ଛା ପର୍ବ ଦେଖିବାକୁ ମିଳିଥିଲା । ସଚିବାଳୟର କର୍ମଚାରୀମାନେ ପରସ୍ପରକୁ ମଧ୍ୟ ଭେଟି ଶୁଭେଚ୍ଛା ଜଣାଇବା ସହ ନବବର୍ଷର ଶୁଭକାମନା କରିଥିଲେ ।  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ସଚିବାଳୟ ଆସିବା ପରେ ତାଙ୍କୁ ଶୁଭେଚ୍ଚା ଜଣାଇବାକୁ ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ କର୍ମଚାରୀ ସଙ୍ଗଠନଙ୍କ ସମେତ ବହୁ ଶୁଭେଚ୍ଛୁ ସଚିବାଳୟ ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଯିବା ଲାଗି ଥିବା କଟକଣାକୁ କୋହଳ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଏମାନେ ସାକ୍ଷାତ କରି ନବ ବର୍ଷର ଶୁଭେଚ୍ଛା ଦେବା ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟସଚିବ ଆଦିତ୍ୟ ପ୍ରସାଦ ପାଢୀ ଭେଟି ଶୁଭେଚ୍ଛା ଦେଇଥିଲେ । ଉନ୍ନୟନ କମିଶନର ଆର.ବାଲ୍କ୍ରିଷ୍ଣନ୍, ଜଳସଂପଦ ବିଭାଗ ପ୍ରମୁଖ ସଚିବ ପ୍ରଦୀପ ଜେନା, ଗ୍ରାମ୍ୟ ଉନ୍ନୟନ ସଚିବ ମଧୂୁସୂଦନ ପାଢୀ ପ୍ରମୁଖ ମଧ୍ୟ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ । ବିଭିନ୍ନ ସରକାରୀ ଉଦ୍ୟୋଗ ଓ ଘରୋଇ ଶିଳ୍ପସଂସ୍ଥା ଓ ଅନ୍ୟାନ୍ୟ ଅନୁଷ୍ଠାନର କର୍ମକର୍ତ୍ତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ । ନବବର୍ଷ ମଙ୍ଗଳମୟ ହେଉ ସଭିଁଏ ଏହି କାମନା କରୁଥିଲେ । ତେବେ ପଞ୍ଚାୟତ ନିର୍ବାଚନ ଘୋଷଣା ହୋଇଥିବାରୁ ବହୁ ମନ୍ତ୍ରୀ ସଚିବାଳୟରେ ଅନୁପସ୍ଥିତ ଥିଲେ । ଏହାଛଡ଼ା ଯେଉଁ କେତେଜଣ ମନ୍ତ୍ରୀ ଆସିଥିଲେ ସେମାନଙ୍କୁ ମଧ୍ୟ ସେମାନଙ୍କ ବିଭାଗର ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଉଥିବାର ଲକ୍ଷ୍ୟ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com