ମନ୍ଦିରମାଳିନୀ ସହରରୁ ସ୍ମାର୍ଟ ସହର

ef111-shoppingmall2

ଭୁବନେଶ୍ୱର, (ବୁ୍ୟରୋ) : ମନ୍ଦିରମାଳିନୀ ସହରରୁ ସ୍ମାର୍ଟ ସହର । ଦିନେ କାରୁକାର୍ଯ୍ୟ ସମ୍ପର୍ଣ୍ଣ ମନ୍ଦିର, ଐତିହ୍ୟ, ସ୍ଥାପତ୍ୟ ଓ ଗୌରବମୟ ଇତିହାସର ମୁଖସାକ୍ଷୀ ରୂପେ ଗଢ଼ିଉଠିଥିଲା ଏହି ସହର । ସହସ୍ର ମନ୍ଦିର ଥିଲା ଏକାମ୍ର କ୍ଷେତ୍ରର ଗୌରବ । ୧୯୪୮ ମସିହାରେ ଗଢ଼ି ଉଠିଥିବା ଏହି କ୍ଷୁଦ୍ର ସହର ଆଜି ଦେଶର ଏକ ନମ୍ବର ସ୍ମାର୍ଟ ସିଟି । ଜର୍ମାନର ଜଣେ ଡିଜାଇନରଙ୍କ ଦ୍ୱାରା ଡିଜାଇନ ହୋଇଥିବା ଏହି ସହର ଦେଶର ପ୍ଲାନିଂ ସିଟିଗୁଡ଼ିକ ଭିତରେ ଅନ୍ୟତମ । କିନ୍ତୁ ୬୮ ବର୍ଷ ପରେ ଆଜି ନିଜର ରୂପ ବଦଳାଇସାରିଛି ରାଜଧାନୀ । ଏକାମ୍ର କ୍ଷେତ୍ରରୁ ପାଲଟିଯାଇଛି ସ୍ମାର୍ଟ ଭୁବନେଶ୍ୱର । ସମଗ୍ର ଦେଶରେ ବୈଷୟିକ ଶିକ୍ଷା, ବ୍ୟବସାୟର ପେଣ୍ଠସ୍ଥଳୀ ରୂପେ ଉଭା ହୋଇଛି ଭୁବନେଶ୍ୱର । ଆଉ ସ୍ମାର୍ଟ ସହରର ସ୍ମାର୍ଟ ଅଧିବାସୀଙ୍କ ଜୀବନଶୈଳୀ ମଧ୍ୟ ହୋଇଛିଯାଇଛି ଖୁବ୍ ସ୍ମାର୍ଟ । ଚକାଚକ୍ ରାସ୍ତା, ସୁଉଚ୍ଚ ଅଟ୍ଟାଳିକା, ମଲ୍ଟି ପ୍ଲେକ୍ସ, ମଲ୍, ଅନ୍ତର୍ଜାତୀୟ ବିମାନବନ୍ଦର ଗଢ଼ିଉଠିଛି ଏଠାରେ । ବିକାଶର ରଥରେ ସବାର ହୋଇ ଦୃତ ଗତିରେ ଆଗକୁ ବଢ଼ିଚାଲିଛି । ପୁରାତନ ସଂସ୍କୃତିକୁ ପଛରେ ପକାଇ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣାଇଛନ୍ତି ସହରବାସୀ ।
ମଲ୍ରେ ଟାଇମ୍ ପାସ୍
ଟାଇମ୍ ପାସ୍ ପାଇଁ ଆଗରୁ ପାର୍କ କି ପିକ୍ନିକ୍ ସ୍ପଟ୍ କୁ ଯାଉଥିଲେ ସହରବାସୀ । ହେଲେ ଏବେ ସହର ସାରା ଖୋଲିଛି ବଡ଼ ବଡ଼ ସପିଂ ମଲ୍ । ଯାହାକି ୧୦ ବର୍ଷ ତଳେ ନଥିଲା । ଏଠାରେ କେବଳ ସପିଂ କରି ହେବ ତାହା ନୁହେଁ, ବରଂ ମନୋରଞ୍ଜନ ପାଇଁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ରହିଛି । ଯେଉଁଥିପାଇଁ ଆଜିକାଲିର ଯୁବପିଢ଼ି ଟାଇମ୍ ପାସ୍, ଖଟି ଓ ମଉଜମସ୍ତି କରିବାକୁ ମଲ୍କୁ ବାଛି ନେଇଛନ୍ତି ।
ପବ୍, ଡିସ୍କୋରେ ପାର୍ଟି
ପାଶ୍ଚାତ୍ୟ ସଂସ୍କୃତିର ତାଳେ ତାଳେ ଚାଲୁଥିବା ସହରବାସୀଙ୍କ ମନୋରଞ୍ଜନର ନୂଆ ଠିକଣା ସାଜିଛି ପବ୍ ଆଉ ଡିସ୍କୋ । ଟିକେ ସମୟ ମିଳିଲେ ବ୍ୟସ୍ତବହୁଳ ଜୀବନକୁ ହାଲ୍କା କରିବା ପାଇଁ ଆଜିକାଲିର ଯୁବପିଢ଼ି ପାର୍ଟି କରିବାର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି । ପବ୍, ଡିସ୍କୋ ଯାଇ ଡ୍ରିଙ୍କ୍ କରିବା ସହ ବିଳମ୍ବିତ ରାତିଯାଏ ଡିଜେର ତାଳେ ତାଳେ ଝୁମିବାକୁ ପସନ୍ଦ କରୁଛନ୍ତି ଯୁବପିଢ଼ି । ପୁଅ ହେଉ କି ଝିଅ, ପାର୍ଟି କରିବାର ନିଶା ଏବେ ସମସ୍ତଙ୍କୁ ଘାରିଛି ।
ଷ୍ଟ୍ରିଟ୍ ଫୁଡ୍ର ମଜା
ରାଜଧାନୀବାସୀଙ୍କ ପସନ୍ଦ ଟିକେ ଭିନ୍ନ । ଖାଦ୍ୟପ୍ରେମୀ ଭୁବନେଶ୍ୱରବାସୀ ବିଭିନ୍ନ ପ୍ରକାରର ଖାଦ୍ୟର ମଜାକୁ ବେଶ୍ ପସନ୍ଦ କରନ୍ତି । କେତେବେଳେ ପଞ୍ଚ ତାରକା ହୋଟେଲ, ରେସ୍ତୁରାଷ୍ଟରେ ବସି କ୍ୟାଣ୍ଡଲ ନାଇଟ୍ ଡିନର ତ ଆଉ କେତେବେଳେ ରାସ୍ତାକଡ଼ରେ ଚଟ୍ପଟି ଷ୍ଟି୍ରଟ୍ ଫୁଡ୍ ଖାଇ ଖଟି କରିବାକୁ ଚାହାନ୍ତି ସେମାନେ । ଯେଉଁଥିପାଇଁ ଏବେ ସହର ସାରା ଖୋଲିଛି ଷ୍ଟ୍ରିଟ୍ ଫୁଡ୍ ସେଣ୍ଟର । ଚାଟ୍, ଚିକେନ୍ ଗୁପ୍ଚୁପ୍ଠାରୁ ଆରମ୍ଭ କରି ଚିକେନ୍ କବାବ, ଚିକେନ୍ ଡ୍ରମ୍ ଷ୍ଟିକ୍ ପରି ଚାଇନିଜ୍ ଫୁଡ୍ ରହିଛି । ରାମମନ୍ଦିର ଛକ, ସହିଦ୍ ନଗର, ଏୟାର ପୋର୍ଟ ପଛ ରୋଡ୍ ପାଲଟିଛି ଏବେ ଷ୍ଟ୍ରିଟ୍ ଫଡ୍ ହବ୍ ।
ମୁହଁରେ କପଡ଼ା ଟ୍ରେଣ୍ଡ
କିଛି ବର୍ଷ ପୂର୍ବେ ମଥାରେ ହାତେ ଓଢ଼ଣା ଟାଣି ଘରୁ ବାହାରୁଥିଲେ ଝିଅ ବୋହୁମାନେ । ଯେପରି କାହାକୁ ମୁହଁ ନ ଦିଶିବ । ସେ ଦିନ ଏବେ ନାହିଁ । ଅବଶ୍ୟ ମୁଣ୍ଡରେ ହାତେ ଓଢ଼ଣା ନାହିଁ । କିନ୍ତୁ ଏକ ନୂଆ ଟ୍ରେଣ୍ଡରେ ମୁହଁକୁ ଢ଼ାଙ୍କୁଛନ୍ତି ରାଜଧାନୀର ଆଜିକାଲିର ଯୁବତୀ । ଓଢ଼ଣା ବଦଳରେ ଓଢ଼ଣୀ ବାନ୍ଧି ଘରୁ ବାହାରୁଛନ୍ତିି । ତେବେ ଓଢ଼ଣୀ ବଦଳରେ ମୁହଁରେ ବାନ୍ଧିବା ପାଇଁ ମିଳୁଛି ସ୍ୱତନ୍ତ୍ର ଷ୍ଟୋଲ । ଯାହାକୁ ବାନ୍ଧି ଯୁବତୀମାନେ ଘରୁ ବାହାରୁଛନ୍ତି । କିଏ ଧୂଳିରୁ ରକ୍ଷା ପାଇବାକୁ ତ କିଏ ଖରାରୁ ତ୍ୱଚାକୁ ସୁରକ୍ଷିତ ରଖିବାକୁ ବାନ୍ଧୁଥିବା କହୁଛନ୍ତି । ହେଲେ ଏହି ଷ୍ଟୋଲ ପଛର କାରଣ କଣ ହୋଇପାରେ ତାହା ରାଜଧାନୀବାସୀଙ୍କୁ ବୋଧେ ବେଶ୍ ଜଣା । ହେଲେ ସେ ଯାହା ହେଉ, ରାଜଧାନୀ ସୁନ୍ଦରୀଙ୍କ ସେହି ଖୋଲା ଜହ୍ନମୁହୀ ଚେହେରା ଦେଖିବା ଏବେ କଷ୍ଟ ।
ସ୍ମାର୍ଟ ସିଟିର ସ୍ମାର୍ଟ ପ୍ରେମ
ପ୍ରେମର ସଂଜ୍ଞା ଭୁବନେଶ୍ୱରରେ ପୁରା ଅଲଗା କହିଲେ ଭୁଲ ହେବ ନାହିଁ । ଏଠାରେ ଗୋଟିଏ ମିଠା ହସ ପରେ ଆଖିରେ ଆଖିରେ ହୋଇଯାଏ ପ୍ରେମ । ପୁଣି କଥା ପଦରେ ପ୍ରେମରେ ବିଚ୍ଛେଦ ହୋଇଯାଏ । ତଥାପି ସ୍ମାର୍ଟ ସିଟିର ସ୍ମାର୍ଟ ପ୍ରେମ ପଛରେ ବାଇଆ ଯୁବପିଢ଼ି । ରାଜଧାନୀରେ ପ୍ରେମ କରିବାକୁ ସ୍ଥାନର ଅଭାବ ନାହିଁ । ସବୁ ସ୍ଥାନ ଏବେ ପ୍ରେମୀଯୁଗଳଙ୍କ କବ୍ଜାରେ । ପାର୍କ, ମଲ୍, ସିନେମା ହଲ୍ ହେଉ କି ରେସ୍ତୁରାଣ୍ଟ, କାଫେ ହେଉ, ସବୁଠି ପ୍ରେମର ଛାପ । ସ୍ମାର୍ଟ ସିଟିର କିଛି ସ୍ମାର୍ଟ ରୋଡ୍ ପ୍ରେମୀଯୁଗଳଙ୍କ ଆଳାପ ସ୍ଥାନ ପାଲଟିଛି ।
ରାହାଗିରିରୁ ପଥୋସôବ
ପ୍ରଥମେ ରାହାଗିରି ଓ ପରେ ପଥୋସôବ ରାଜଧାନୀବାସୀଙ୍କୁ ଏକାଠି କରିବାକୁ ଦେଇଛି ଏକ ସୁନ୍ଦର ସୁଯୋଗ । ରବିବାର ସକାଳୁ ସକାଳୁ ଜନପଥ ପାଲଟିଯାଉଛି ଜନସମୁଦ୍ର । ନାଚଗୀତ, ଖେଳକୁଦ ସାଙ୍ଗକୁ ଡିଜେରେ ମତୁଆଲା ହୁଅନ୍ତି ଯୁବପିଢ଼ି । ଏକତ୍ର ହୋଇ ଉସôବ ମନାଉଛନ୍ତି ସହରବାସୀ ।
ଫରେନ୍ ଡ୍ରେସିଂ ଶୈଳୀ
ପୋଷାକ ପରିଧାନକୁ ନେଇ ଭୁବନେଶ୍ୱରବାସୀ ବେଶ୍ ସଜାଗ୍ । ବିଶେଷକରି ପାଶ୍ଚାତ୍ୟ ଡ୍ରେସିଂ ଶୈଳୀ ଏବେ ଯୁବପିଢ଼ିଙ୍କୁ ଆକୃଷ୍ଟ କରିଛି । ନିଜର ଡ୍ରେସିଂ ଷ୍ଟାଇଲରେ କିପରି ସମସ୍ତଙ୍କ ନଜରରେ ରହିପାରିବେ ତାକୁ ନେଇ ଲାଗିଛି ପ୍ରତିଯୋଗୀତା । ସେଥିପାଇଁ ଡିଜାଇନର୍ ଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ଡ୍ରେସ୍, ବ୍ରାଣ୍ଡେଡ୍ ପୋଷାକ ଓ ଷ୍ଟାଇଲିସ୍ ପୋଷାକ ପିନ୍ଧିବାକୁ ବେଶୀ ପସନ୍ଦ କରୁଛନ୍ତି । ବିବାହ, ପାର୍ଟି, ପିକ୍ନିକ୍, ବଜାର ଗଲା ବେଳେ ଭିନ୍ନ ଭିନ୍ନ ଡ୍ରେସିଂ ନେବାରେ ସହରବାସୀ ମାହିର ।
ବଦଳୁଛି ଭୁବନେଶ୍ୱର । ବଦଳୁଛି ଭୁବନେଶ୍ୱରିଆ ଙ୍କୁ ଜୀବନଶୈଳୀ । ପାଶ୍ଚାତ୍ୟ ସଂସ୍କୃତି ସହ ତାଳ ନେଇ ଆଗେଇ ଚାଲିଛନ୍ତି ସହରବାସୀ । ଗତ ଦଶନ୍ଧିର ଭୁବନେଶ୍ୱରର ଓ ଆଜିର ଭୁବନେଶ୍ୱର ଭିତରେ ଆକାଶ ପାତାଳ ଫରକ୍ କୁ ସ୍ପଷ୍ଟ ଦର୍ଶାଉଦେଉଛି ।