ଫେବ୍ରୁଆରୀ ପ୍ରଥମ ସପ୍ତାହରୁ  ହେବ ଜଗମୋହନ ମରାମତି

18

ଭୁବନେଶ୍ୱର/ପୁରୀ, ୨୮ା୧୨ (ବୁ୍ୟରୋ): ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଜଗମୋହନ ମରାମତି କାମ ଆରମ୍ଭ ହେବ । ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଜି ଭୁବନେଶ୍ୱର ସର୍କିଟ ହାଉସ୍ରେ ଜଗମୋହନ ମରାମତି ନେଇ ବସିଥିବା ବୈଷୟିକ କମିଟି ବୈଠକରେ ନିଆଯାଇଛି ଏହି ନିଷ୍ପତ୍ତି । ବୈଠକରେ ମୁଖ୍ୟ ପ୍ରଶାସକଙ୍କ ସମେତ ପୂର୍ତ୍ତ ସଚିବ, ଏଏସ୍ଆଇ ଯୁଗ୍ନ ନିଦେ୍ର୍ଦଶକ ଓ କୋର୍ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ । ବୈଠକ ପରେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ପୂର୍ତ୍ତ ବିଭାଗ, ଏଏସ୍ଆଇ ଓ ମନ୍ଦିର ପ୍ରଶାସନ ତତ୍ତ୍ୱାବଧାନରେ ଜଗମୋହନ ମରାମତି କରାଯିବ । ପୂର୍ତ୍ତ ବିଭାଗର ପୋର୍ଟାଲ ଷ୍ଟିଲ୍ ଫ୍ରେମ୍କୁ ଅନୁମୋଦନ ମିଳିଛି । ପ୍ରତ୍ନତତ୍ତ୍ୱ ବିଭାଗ ଏହି ଅନୁମୋଦନ ଦେଇଛି । ପୋର୍ଟାଲ୍ ଫ୍ରେମ୍ ସ୍ଥାପନ ପାଇଁ ନିଅଁ ଖୋଳାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।  ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଜଗମୋହନ ମରାମତି ବେଳେ ଶ୍ରୀଜୀଉଙ୍କ ଭଣ୍ଡାର ଘର ଓ ଖଟଦେଶ ଘରର ଆଂଶିକ ଭାବେ ଭାଙ୍ଗିବା ଆବଶ୍ୟକ ହୋଇଥିବାରୁ ଏସଂପର୍କରେ ସେବାୟତଙ୍କ ପରାମର୍ଶ ଲୋଡ଼ାଯାଇଛି । ଏସଂପର୍କରେ ୧୩ଟି ସେବକ ନିଯୋଗ ସହ ଗତ ମଙ୍ଗଳବାର ଦିନ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ । ଷ୍ଟେନଲେସ୍ ଷ୍ଟିଲ୍ ଫ୍ରେମ୍ ଜାକେଟିଂ ମାଧ୍ୟମରେ ପିଲର ଗୁଡିକର ମରାମତି କରାଯିବ । ବିପଦସଂକୁଳ ଅବସ୍ଥାରେ ଥିବା ଚାରି ପିଲର ମରାମତି ବେଳେ ଭଣ୍ଡାର ଘର ଏବଂ ଖଟଦେଶ ଘରର ଆଂଶିକ ଭାଗ ଭାଙ୍ଗିବାକୁ ପଡିବ ବୋଲି କୁହାଯାଇଛି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲେ ଶ୍ରୀଜୀଉଙ୍କ ପହଣ୍ଡି ରାସ୍ତା ସମେତ ଅନବସର ସ୍ଥାନ ସଂକୁଚିତ ହେବାର ସମ୍ଭାବନା ରହିଛି । ତେବେ ସେବାୟତମାନେ ଭଣ୍ଡାର ଘର ଭାଙ୍ଗିବା ନିଷ୍ପତ୍ତିକୁ ସମର୍ଥନ କରିଥିବା ଜଣାପଡିଛି । ଆଗାମୀ ବର୍ଷ ମଇ ଏବଂ ଜୁନ୍ ମାସରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପଡ଼ୁଥିବାରୁ ତାହା ପୂର୍ବରୁ ଜଗମୋହନ ମରାମତି ଶେଷ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି । ଶ୍ରୀଜୀଉଙ୍କ ଅନବସର ନୀତିରେ ଯେପରି ବାଧା ସୃଷ୍ଟି ନହୁଏ ତାହାକୁ ଦୃଷ୍ଟିରେ ରଖି ଅନବସର ପିଣ୍ଡି ସୁରକ୍ଷିତ ରଖିବାକୁ ବୈଠକରେ ମତ ପ୍ରକାଶ ପାଇଛି । ଜଗମୋହନ ମରାମତି କାର୍ଯ୍ୟର ସହଯୋଗ କରିବାକୁ ସେବାୟତ ନିଯୋଗ ଗୁଡିକ ପ୍ରତିଶ୍ରୁତି ଦେଇଛନ୍ତି । ଜଗମୋହନ ମରାମତି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପ୍ରଶାସନ ପକ୍ଷରୁ ସେବକଙ୍କୁ ସୂଚନା ଦିଆଯାଇଛି । ଏଏସ୍ଆଇ ଭୁବନେଶ୍ୱର ମଣ୍ଡଳ ଅଧିକ୍ଷକ ଡଃ ହେମସାଗର ଅଭୟ ନାୟକ, ଶ୍ରୀମନ୍ଦିର ପ୍ରଶାସକ ପ୍ରସନ୍ନ କୁମାର ହୋତା, ଅତିରିକ୍ତ ଜିଲ୍ଲାପଳ ବିଭୂତି ଭୂଷଣ ଦାସ, ଉପଜିଲ୍ଲାପାଳ ମଧୁସୂଦନ ଦାଶ, ଅତିରିକ୍ତ ଏସ୍ପି ବନବିହାରୀ ସାହୁ, କୋର କମିଟ୍ ସଭ୍ୟ ଇଂ ଏନ୍ସି ପାଲ୍ ଏହି ବୈଠକରେ ଉପସ୍ଥିତ ଥିଲେ ।




Powered by odothemes.com