ବିମୁଦ୍ରୀକରଣରେ ପର୍ଯ୍ୟଟନ ଶିଳ୍ପ ବେହାଲ୍

46

ଭୁବନେଶ୍ୱର, ୧୮ା୧୨(ତଥ୍ୟ): ବିମୁଦ୍ରୀକରଣର ପ୍ରତ୍ୟକ୍ଷ ପ୍ରଭାବ ଏବେ ଓଡିଶାର ପର୍ଯ୍ୟଟନଶିଳ୍ପ ଉପରେ ପଡିଛି । ରାଜ୍ୟକୁ ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଏଥିଯୋଗୁଁ ହ୍ରାସ ପାଇଥିବାବେଳେ ଓଡିଶାର ପର୍ଯ୍ୟଟନସ୍ଥଳୀଗୁଡିକୁ ଆସିବାପାଇଁ ଢେର ପୂର୍ବରୁ ହୋଟେଲ ସଂରକ୍ଷଣ କରିଥିବା ବହୁପର୍ଯ୍ୟଟକ ଇତି ମଧ୍ୟରେ ସେମାନଙ୍କ ଗସ୍ତକାର୍ଯ୍ୟକ୍ରମ ବାତିଲ କରିସାରିଲେଣି । ଏଥିଯୋଗୁଁ ପର୍ଯ୍ୟଟନଶିଳ୍ପ ସହ ଜଡିତ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ମୁଣ୍ଡବିନ୍ଧା ବୃଦ୍ଧିପାଇବାରେ ଲାଗିଛି । ୨୦୧୪ରେ ଓଡିଶାକୁ ୭୧,୪୨୬ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ୨୦୧୫ ବର୍ଷରେ ଏହିସଂଖ୍ୟା ୬୬,୯୭୧ କୁ ହ୍ରାସ ପାଇଥିଲା । ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଆମ ରାଜ୍ୟକୁ ମାତ୍ର ୫୩,୨୦୮ ପର୍ଯ୍ୟଟକ ଆସିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଗତ ପାଞ୍ଚବର୍ଷ ମଧ୍ୟରେ ଭାରତକୁ ଯେତେ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି କୌଣସିବର୍ଷ ତାହାର ଏକ ପ୍ରତିଶତ ବି ଓଡିଶାମାଟି ମାଡିନାହାନ୍ତି । କେବଳ ସେତିକି ନୁହେଁ ବର୍ଷକୁ ବର୍ଷ ଏହି ହାର କମି କମି ଆସୁଛି । ଗତ ନଭେମ୍ବର ଆଠ ତାରିଖରେ କେନ୍ଦ୍ର ସରକାର ପୁରୁଣା ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ନିଷିଦ୍ଧ କରିବା ସହିତ ବ୍ୟାଙ୍କ୍‌ ଓ ଏଟିଏମ୍‌ ଗୁଡିକରୁ ଟଙ୍କା ଉଠାଣ ଉପରେ କଟକଣା ଜାରିକରିଛନ୍ତି । ଏହାଛଡା ପୁରୁଣା ଟଙ୍କା ବଦଳ ଉପରେ ମଧ୍ୟ କଟକଣା ରହିଛି । ଏଥିରେ ବହୁ ବିଦେଶୀ ପର୍ଯ୍ୟଟକ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ଏମିତିକି ବ୍ୟାଙ୍କ୍‌ଆକାଉଣ୍ଟରେ ଟଙ୍କା ଥିଲେ ମଧ୍ୟ ସେମାନେ ଖୁଚୁରା ଉଠାଇ ନପାରି ଖାଦ୍ୟ ସାମଗ୍ରୀ ସଂଗ୍ରହ କରିବାରେ ସମସ୍ୟା ଭୋଗିଛନ୍ତି । ଏଭଳି ଖବରମାନ ଗଣମାଧ୍ୟମରେ ବାରମ୍ବାର ପ୍ରଚାରିତ ହେବାଫଳରେ ବହୁ ପୂର୍ବରୁ ଓଡିଶା ଆସିବାପାଇଁ ଯୋଜନା ପ୍ରସ୍ତୁତକରି ହୋଟେଲ ବୁକିଂ ସହିତ ବିମାନ ଓ ରେଳଟିକଟ କରିଥିବା ଅନେକ ପର୍ଯ୍ୟଟକ ତାହା ବାତିଲ କରିସାରିଲେଣି । ଏଥିଯୋଗୁଁ ହୋଟେଲ, ପରିବହନ ସମେତ ପର୍ଯ୍ୟଟନଶିଳ୍ପ ସହ ଜଡିତ ଅନ୍ୟ ବ୍ୟବସାୟରେ ମାନ୍ଦାଅବସ୍ଥା ଦେଖାଦେଇଛି ।
କେବଳ ବିଦେଶୀ ନୁହନ୍ତି ଅନ୍ୟ ରାଜ୍ୟରୁ ଓଡିଶାକୁ ବଡଦିନଛୁଟି କଟାଇବାପାଇଁ ଆସିବାକୁ ଗୋଡଟେକି ବସିଥିବା ବହୁ ଦେଶୀୟ ପର୍ଯ୍ୟଟକ ମଧ୍ୟ ବିମୁଦ୍ରାକରଣ ମାଡରେ ଘାଏଲ ହୋଇ ସେମାନଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ କରିବାରେ ଲାଗିଛନ୍ତି । ଏମିତିକି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକୁ ଡିସେମ୍ବର ମାସର ଛୁଟିଦିନ ଗୁଡିକରେ ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯେତେଲୋକ ଯାଆନ୍ତି ସେ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଏଠାରେ ଉଲ୍ଲେଖନୀୟ ଯେ ୨୦୧୫ ବର୍ଷରେ ଓଡିଶାକୁ ରାଜ୍ୟ ବାହାରର ୪୭,୧୪,୭୫୦ ଦେଶୀୟ ପର୍ଯ୍ୟଟକ ଆସିଥିବାବେଳେ ରାଜ୍ୟ ଭିତରର ଅନୁ୍ୟନ ୭୦ ଲକ୍ଷରୁ ଅଧିକ ଲୋକ ଏକ ପର୍ଯ୍ୟଟନସ୍ଥଳୀ ଗୁଡିକୁ ଯାଇଥିଲେ । ଏବେ ପୁରୀ, କୋଣାର୍କ, ଗୋପାଳପୁର, ଚାନ୍ଦିପୁର, ଲଳିତଗିରି, ଉଦୟଗିରି, ଖଣ୍ଡଗିରି, ଧଉଳି, ନନ୍ଦନକାନନ, ଚିଲିକା, ଭିତରକନିକା, ସାତକୋଶିଆ, ଅଂଶୁପା ସମେତ ରାଜ୍ୟର ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କ ସଂଖ୍ୟା ଖୁବ୍‌ ପତଳା । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବଣ ପାହାଡଘେରା ଇକୋ-ଟୁରିଜିମ୍‌ ସ୍ଥାନ ଗୁଡିକ ଏକ ପ୍ରକାର ଜନମାନବଶୂନ୍ୟ ଭଳି ଲାଗୁଛି ।




Powered by odothemes.com