baramunda-padi-are-hindu-adhyatmika-o-seba-mela-re-gurupujan-2

ଗୁରୁମନ୍ତ୍ରରେ କମ୍ପିଲା ପରିବେଶ

53

ଆଇଏମ୍ସିଟି ପକ୍ଷରୁ ସାମୂହିକ ଗୁରୁପୂଜନ
ଭୁବନେଶ୍ୱର, (ବୁ୍ୟରୋ): ଗୁରୁଙ୍କ ଆଶିର୍ବାଦ ବିନା ମନୁଷ୍ୟର ଜ୍ଞାନ ଉଦୟ ହେବା ଅସମ୍ଭବ । ତେଣୁ ଗୁରୁ ହିଁ ହେଉଛନ୍ତି ଜୀବନର ପ୍ରଧାନ ମାର୍ଗଦର୍ଶକ । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୁରୁଙ୍କୁ ଶ୍ରେଷ୍ଠ ସ୍ଥାନ ଦିଆଯାଇଛି । ଶନିବାର ‘ଗୁରୁଃବ୍ରହ୍ମା ଗୁରୁଃବିଷ୍ଣୁ ଗୁରୁଃର୍ଦେବ ମହେଶ୍ୱର, ଗୁରୁଃ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ’ ଏହି ମନ୍ତ୍ର ଧ୍ୱନୀରେ ବରମୁଣ୍ଡା ପଡିଆଠାରେ ଅନୁଷ୍ଠିତ ହେଉଥିବା ହିନ୍ଦୁ ଆଧ୍ୟାତ୍ମ ଓ ସେବାମେଳା ପରିସର ପ୍ରକମ୍ପିତ ହୋଇଉଠିଥିଲା । ପାଞ୍ଚଶହରୁ ଉଦ୍ଧ୍ୱର୍ ଗୁରୁଙ୍କ ପାଦତଳେ ଶିଷ୍ୟମାନେ ବସି ସେମାନଙ୍କର ପାଦଧୌତ କରି ଫୁଲ, ଚନ୍ଦନ, ଦୀପ, ଧୂପ ନୈବେଦ୍ୟ ଦେଇ ଏକ ମନ୍ତ୍ର, ଏକ ଲକ୍ଷ, ଏକ ସ୍ୱରରେ ସାମୂହିକ ଭାବେ ପୂଜନ କରିଥିଲେ ବୋଲି କାର୍ଯ୍ୟକ୍ରମର ଗଣମାଧ୍ୟମ ସଂଯୋଜକ ଗୋଲଖ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି । ପରିବେଶ ଏପରି ସୃଷ୍ଟି ହୋଇଥିଲା ଯେ ମନେ ପକାଇଦେଇଥିଲା ସେହି ଗୁରୁ ଶିଷ୍ୟ ପରମ୍ପରାକୁ । ଆଇ.ଏମ୍.ସି.ଟି ପକ୍ଷରୁ ଅନୁଷ୍ଠିତ ହେଉଥିବା ଏହି ହିନ୍ଦୁ ଆଧ୍ୟାତ୍ମ ଓ ସେବାମେଳାର ଆଜି ହେଉଛି ତୃତୀୟ ଦିବସ । ତୃତୀୟ ଦିବସର ପ୍ରଥମ ପର୍ଯ୍ୟାୟରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସମାଜସେବୀ ସର୍ବେଶ୍ୱର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜଗତ୍ଗୁରୁ ସ୍ୱାମୀ ଅରୁପାନନ୍ଦଜୀ ମହାରାଜ, ଗୋପାଳ ପ୍ରସାଦ ମହାପାତ୍ର, ଡ. ଅର୍ଜୁନ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ଦୀପକ ରାଉତ ଧନ୍ୟବାଦ ଦେଇଥିଲେ । ସେହିପରି ଜୀତେନ୍ଦ୍ର ଗୁପ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ଅନ୍ୟଏକ ସତ୍ରର ପ୍ରବଚନ ସଭାରେ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ, ସ୍ୱାମୀ ବଂଶୀବାଦନଜୀ ମହାରାଜ ଆଶୀର୍ବଚନ ପ୍ରଦାନ କରିଥିବା ବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁନୀଲପଦ ଗୋସ୍ୱାମୀ ମୁଖ୍ୟବକ୍ତାରୂପେ ଯୋଗଦେଇ ମାର୍ଗଦର୍ଶନ କରିଥିଲେ ।




Powered by odothemes.com