ଖୁବ୍‌ଶୀଘ୍ର ୧୧୨ ନମ୍ବର ବିଶିଷ୍ଟ ଏସ୍‌ଇଆର୍‌ସି

34

ଭୁବନେଶ୍ୱର, ୧୪ା୧୨(ତଥ୍ୟ): ଜରୁରୀ ସମୟରେ ଲୋକଙ୍କୁ ତକ୍ରାଳ ସେବା ଯୋଗାଇ ଦେବାପାଇଁ ଖୁବ୍‌ଶୀଘ୍ର ରାଜ୍ୟରେ ୧୧୨ ଟେଲିଫୋନ୍‌ ନମ୍ବର ସଂଯୋଗ ଥିବା ରାଜ୍ୟ ଜରୁରୀକାଳିନ ସହାୟତା କେନ୍ଦ୍ର(ଏସ୍‌ଇଆର୍‌ସି) ପ୍ରତିଷ୍ଠା ହେବ । ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅସହାୟ ଲୋକମାନଙ୍କୁ ଜରୁରୀକାଳିନ ସେବା ଯୋଗାଇ ଦେବା ପାଇଁ ଏଭଳି କେନ୍ଦ୍ର ପ୍ରତିଷ୍ଠା କରିବାକୁ କହିଛନ୍ତି । ଜାତୀୟ ଜରୁରୀକାଳିନ ସହାୟତା କେନ୍ଦ୍ର ଭଳି ରାଜ୍ୟ ସ୍ତରରେ ଏସ୍‌ଇଆର୍‌ସି ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି କରିଛନ୍ତି । ଭାରତୀୟ ଟେଲିକମ୍‌ ପ୍ରାଧିକରଣ କର୍ତ୍ତୃପକ୍ଷ (ଟ୍ରାଇ) ସମଗ୍ର ଦେଶ ପାଇଁ ଜରୁରୀ ସମୟରେ ଉଭୟ ଲ୍ୟାଣ୍ଡଲାଇନ୍‌ ଓ ମୋବାଇଲ୍‌ରୁ ଯୋଗାଯୋଗ ଲାଗି ୧୧୨ ନମ୍ବର ଯୋଗାଇ ଦେଇଛନ୍ତି । ଅନ୍ୟପକ୍ଷରେ ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ବିନା ‘ପ୍ୟାନିକ୍‌ ବଟନ୍‌’ରେ କୌଣସି ମୋବାଇଲ୍‌ ନିର୍ମାଣ କିମ୍ବା ବିକ୍ରି କରାଯାଇପାରିବ ନାହିଁ ବୋଲି ଟେଲି ଯୋଗାଯୋଗ ବିଭାଗ ବିଜ୍ଞପ୍ତି ଜାରି କରିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଜରୁରୀ ସମୟରେ ସହାୟତା ଲାଗି ମୋବାଇଲ୍‌ ବ୍ୟବହାରକାରୀମାନେ ଏହି ପ୍ୟାନିକ୍‌ ବଟନ୍‌କୁ ଦବାଇଲେ ତାହା ସିଧାସଳଖ ସହାୟତା କେନ୍ଦ୍ର ପାଇଁ ଉଦ୍ଦିଷ୍ଟ ୧୧୨ ନମ୍ବର ସହ ସଂଯୁକ୍ତ ହେବ ।
ଏବେ ଜରୁରୀକାଳିନ ସହାୟତା ପାଇଁ ବିଭିନ୍ନ ପ୍ରକାର ନମ୍ବରକୁ ଡାକିବାକୁ ପଡ଼ୁଛି । ପୁଲିସ୍‌କୁ ୧୦୦ ନମ୍ବରରେ ଡାକିବାକୁ ପଡ଼ୁଥିବା ବେଳେ ଆମ୍ବୁଲାନ୍ସକୁ ୧୦୮ ଓ ୧୦୨ ଏବଂ ଅଗ୍ନିଶମ ବିଭାଗକୁ ୧୦୧ରେ ଯୋଗାଯୋଗ କରିବାକୁ ପଡ଼ୁଛି । କିନ୍ତୁ ଜରୁରୀ ସମୟରେ ଏହି ସମସ୍ତ ସଂସ୍ଥାଠାରୁ ଏକ ସଙ୍ଗେ ସହାୟତା ଆବଶ୍ୟକ ପଡ଼ୁଥାଏ । ତେଣୁ ଏହା ଯେଭଳି ଲୋକଙ୍କ ଉପରେ ବୋଝ ନ ହୁଏ ସେଥିପାଇଁ ଦୃଷ୍ଟି ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାର ଏସ୍‌ଇଆର୍‌ସି ପ୍ରତିଷ୍ଠା ସହିତ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ନିଦେ୍ର୍ଦଶାବଳୀ ଅନୁଯାୟୀ ରାଜ୍ୟ ଗୃହ ବିଭାଗ ଏହାକୁ ପରିଚାଳନା କରିବ ।
ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ପୁଲିସ ମହାନିଦେ୍ର୍ଦଶକ ଏସ୍‌ଇଆର୍‌ସି ଦ୍ୱାରା କିଭଳି ଜରୁରୀକାଳିନ ଟେଲିଫୋନ୍‌ ଗ୍ରହଣ ଓ ସେବା ପ୍ରଦାନ କରାଯାଇପାରିବ ସେ ଦିଗରେ ଦୃଷ୍ଟି ଦେବେ । ଏସ୍‌ସିଆର୍‌ସି ୧୧୨ ନମ୍ବର ସହିତ ୧୦୦ ନମ୍ବରରୁ ଆସୁଥିବା କଲ୍‌କୁ ମଧ୍ୟ ଗ୍ରହଣ କରିବ ଏବଂ ଏହି ସହାୟତା କେନ୍ଦ୍ର ରାଜ୍ୟ ମୁଖ୍ୟାଳୟରେ ପ୍ରତିଷ୍ଠା ହେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଜରୁରୀ ନମ୍ବରରୁ ଆସୁଥିବା ଟେଲିଫୋନ୍‌ ଏବଂ ପ୍ୟାନିକ୍‌ ବଟନ୍‌ରୁ ଆସୁଥିବା ମେସେଜ୍‌ଗୁଡ଼ିକ ଗ୍ରହଣ କରିବା ସହିତ ସେଗୁଡ଼ିକୁ ଜରୁରୀସେବା ଯୋଗାଇବାପାଇଁ ରାଜ୍ୟ ଓ ଜିଲ୍ଲାସ୍ତରୀୟ ସଂସ୍ଥା ଯଥା ପୁଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସଗୁଡ଼ିକୁ ପଠାଇବା ପାଇଁ ଏସ୍‌ସିଆର୍‌ସିରେ ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ରହିବ । ଏସ୍‌ଇଆର୍‌ସିରେ କଲ୍‌ ସେଣ୍ଟର ଭଳି ଜିପିଏସ୍‌, ସିଏଡି, ଏବଂ ଅନ୍ୟାନ୍ୟ ବୈଷୟିକ ଜ୍ଞାନକୌଶଳ ରହିବ ଯାହାକି ଜରୁରୀ ସମୟରେ ତୁରନ୍ତ ସେବା ଯୋଗାଇପାରିବ । ସହାୟତା କେନ୍ଦ୍ରରେ ଟେଲିଫୋନ୍‌ କଲ୍‌ ଏବଂ ମେସେଜ୍‌ ଗ୍ରହଣ କରୁଥିବା କର୍ମଚାରୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍‌ ପ୍ରୋସିଡିଓର୍‌(ଏସ୍‌ଓପି) ଜାରି ହେବ । ଏସ୍‌ଇଆର୍‌ସି କାର୍ଯ୍ୟର ନିୟମିତ ସମୀକ୍ଷା ଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ ସହିତ ଅତିରିକ୍ତ ପୋଲିସ ମହାନିଦେ୍ର୍ଦଶକ ପାହ୍ୟାର ଜଣେ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ।




Powered by odothemes.com