jayadev-bhawan-pandita-nilamani-bidyaranta-nka-rajyastariya-jayanty-ku-mantri-debi-prasad-mishra-udghtan-karuchanti-1

ସାକ୍ଷରତାର ଜନକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ

37

ଭୁବନେଶ୍ୱର, (ବୁ୍ୟରୋ): ଓଡ଼ିଶାରେ ସାକ୍ଷରତା ଓ ପ୍ରୌଢ଼ଶିକ୍ଷାର ଜନକ ଥିଲେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ । ନୀଳମଣିଙ୍କ ଯୋଗୁଁ ଆମେମାନେ ଶିକ୍ଷିତ ହୋଇପାରିଛୁ । ସେ ଓଡ଼ିଶାର ପ୍ରଥମ ନୈଶ୍ୟ ବିଦ୍ୟାଳୟ ଗୋପିନାଥପୁରଠାରେ ସ୍ଥାପନ କରିଥିଲେ ବୋଲି ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦ ପକ୍ଷରୁ ବୁଧବାର ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ ରଥୀ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟ ମାଧ୍ୟମରେ ଚେତନାର ପ୍ରକାଶ ଓ ଭାଷା ଦ୍ୱାରା ଲୋକମାନଙ୍କୁ ଏକତ୍ରିତ କରିବାର ମୁଖ୍ୟପୁରୋଧା ସ୍ୱର୍ଗତ ନୀଳମଣି ଥିଲେ ବୋଲି ପ୍ରକାଶ କରିବା ସହ ଆସନ୍ତାବର୍ଷ ବିଦ୍ୟାରତ୍ନଙ୍କ ୧୫୦ ବର୍ଷର ଜୟନ୍ତୀକୁ ଅସ୍ମିତାର ପର୍ବଭାବେ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ଏହାସହ ନୀଳମଣିଙ୍କ ଉପରେ ଏକ ନାଟକ ପ୍ରସ୍ତୁତ କରି ଆସନ୍ତାବର୍ଷ ପ୍ରଦର୍ଶିତ କରିବାକୁ ଶ୍ରୀ ମିଶ୍ର ପ୍ରସ୍ତାବ ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ସ୍ମୃତି ସଂସଦର ସମ୍ପାଦକ ଡା. କୃଷ୍ଣକେଶବ ଷଡ଼ଙ୍ଗୀ ଯୋଗଦେଇ କହିଲେ, ପଣ୍ଡିତ ବିଦ୍ୟାରତ୍ନ ନିଜର କୃତୀ ଓ କୀର୍ତ୍ତିରେ ଉପକୂଳ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ଉଜ୍ୱଳ କରିଥିଲେ । ତାଙ୍କ ସମ୍ପାଦନାରେ ପ୍ରକାଶିତ ହେଉଥିବା ସମ୍ବଲପୁର ହିତେଇସିଣୀ ସେସମୟରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଥିଲା । ଏଥିସହ ଅନାଲୋଚିତ ପ୍ରତିଭାମାନଙ୍କର ଲେଖାମାନ ସେ ପ୍ରକାଶ କରି ସେମାନଙ୍କୁ ଲୋକଲୋଚନକୁ ଆଣିଥିଲେ ।
ବିଭାଗୀୟ କମିଶନର ତଥା ଶାସନସଚିବ ସୁରେନ୍ଦ୍ର କୁମାର ଏଠାରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିଦେ୍ର୍ଦଶକ ସୁଶୀଲ୍ ଦାସ ଧନ୍ୟବାଦ ଦେଇଥିଲେ । କୃତୀ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସଭା ପରେ ଭଜନ ଓ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା । ସୂଚନାଥାଉକି, ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜୟନ୍ତୀକୁ ଚଳିତବର୍ଷଠାରୁ ପ୍ରଥମଥର ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳନ କରାଯାଇଛି । ପୂର୍ବାହ୍ନରେ ବିଦ୍ୟାରତ୍ନଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଜୟଦେବ ବିହାରଠାରେ ଉନ୍ମୋଚିତ କରାଯାଇଛି ।




Powered by odothemes.com