ବ୍ଲକ୍ସ୍ତରୀୟ କୃଷକ ସମ୍ପର୍କ ମେଳା

brahmagiri-2

ବ୍ରହ୍ମଗିରି (ଆପ୍ର): ବ୍ରହ୍ମଗିରିରେ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମଗିରି ବ୍ଲକ୍ର ରାୟବିଧାର ପଞ୍ଚାୟତର ଲାୟଡିଧାର ଛକଠାରେ ଏହି କୃଷକ ସମ୍ପର୍କ ମେଳା ଆୟୋଜନ କରାଯାଇଥିଲା । ଏହି ସଭାରେ ବ୍ରହ୍ମଗିରି ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ କିଶୋର ପାଟ୍ଟଶାଣୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଯୋଗ ଦେଇ ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଇଥିଲେ । ଜଳସେଚନର ସୁବିଧା ଦୃଷ୍ଟିରୁ କେନାଲରୁ ଦଳ ସଫା କରାଯିବା ପାଇଁ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସବର୍ମା ସଭାରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଉପକୃଷି ନିଦେ୍ର୍ଦଶକ ପୁରୀ ମଣ୍ଡଳର ଏସ. ଚନ୍ଦ୍ରଶେଖର ରାଓ, ମୁଖ୍ୟ ବକ୍ତା ଭାବେ ବ୍ଲକ୍ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟଙ୍କ ସହ ଭାସ୍କର ଚନ୍ଦ୍ର ବାରିକ, ଡ. ଅନିଲ କୁମାର ସ୍ୱାଇଁ, ପ୍ରସନ୍ନ କୁମାର ବରାଳ, ବିରଞ୍ଚି ନାରାୟଣ ଦାସ, ମାନସ ରଞ୍ଜନ ରାୟ ଓ ଆତ୍ମା ସଭ୍ୟ ସୁକାନ୍ତ କୁମାର ନାୟକ ପ୍ରମୁଖ ଏହି କୃଷକ ସମ୍ପର୍କ ମେଳାରେ ଉପସ୍ଥିତ ଥିଲେ । ଆଜିର ଏହି ମେଳାରେ ଫସଲ ଉତ୍ପାଦନ ବୃଦ୍ଧି, ଉନ୍ନତ ପ୍ରଣାଳୀରେ ଚାଷ ଏବଂ ରୋଗପୋକ ନିୟନ୍ତ୍ରଣ ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଯାଇଥିଲା । ସାଧାରଣତଃ କେଉଁ ଚାଷ ପାଇଁ କେଉଁ କୀଟନାଶକ ଔଷଧ କିପରି ପ୍ରୟୋଗ କରିବେ ଓ କେଉଁ ସମୟରେ କରିବେ ତାହା ଚାଷୀଙ୍କୁ କୃଷି ଅଧିକାରୀମାନେ ବୁଝାଇଥିଲେ । ବିଭିନ୍ନ ସାର କମ୍ପାନୀର ଷ୍ଟଲ୍ ଏହି ମେଳାରେ ଲାଗିଥିଲା ଏବଂ ନିଜ ନିଜ କମ୍ପାନୀର ଔଷଧର ଗୁଣାବଳୀ ଓ ପ୍ରୟୋଗ ବିଷୟରେ କମ୍ପାନୀ ଅଧିକାରୀ ଚାଷୀଙ୍କୁ ବୁଝାଉଥିବା ଦେଖାଯାଇଥିଲା ।