ଓଡ଼ିଶା ପ୍ରତି ବିପଦ ଟଳିଲା

45

ଆନ୍ଧ୍ରମୁହାଁ ୱାର୍ଦା
ଭୁବନେଶ୍ୱର, ୮ ।୧୨(ବୁ୍ୟରୋ): ଓଡ଼ିଶା ପ୍ରତି ବିପଦ ଟଳିଲା । ଆନ୍ଧ୍ର ମୁହାଁ ହୋଇଛି ‘ୱାର୍ଦା’ । ଏହି ଅବପାତ ଉତ୍ତର-ପଶ୍ଚିମ ଦିଗ ଦେଇ ଅନ୍ଧ୍ର ପ୍ରଦେଶର ନେଲୋର ଓ କାକିନଡ୍ଡା ଉପକୂଳରେ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଘନୀଭୂତ ହୋଇ ଡିପ୍ଡିପ୍ରେସନ ରୂପ ନେଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଦିଗରେ ଗତି କରି ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆନ୍ଧ୍ର ଉପକୂଳ ସ୍ଥାନଗୁଡ଼ିକରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ରହିପାରେ । ଏହା କ୍ରମଶଃ ୧୧୦ କିମି ପର୍ଯ୍ୟନ୍ତ ବଢ଼ିପାରେ । ତେବେ ଏହି ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁଇଥିବାରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଗତ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୂଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ତାମିଲନାଡ଼ୁ, ପଣ୍ଡିଚେରୀ, କେରଳ ଓ ରୟାଲ ସୀମାରେ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । ଆନ୍ଧ୍ରପ୍ରଦେଶରେ ୧୨ରୁ ୧୩ତାରିଖ ପର୍ଯ୍ୟନ୍ତ ଉପକୂଳ ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ଏହି ଘୂର୍ଣ୍ଣିଝଡ଼ ପୂର୍ବ-ଦକ୍ଷିଣପୂର୍ବ ଆନ୍ଧ୍ର ପ୍ରଦେଶର ମଚ୍ଛଲିପଟନମ୍ଠାରୁ ୧୧୩୫ କିଲୋମିଟର ଦୂରରେ ରହିଥିବାବେଳେ ବିଶାଖାପାଟଣାରୁ ୧୦୪୦ କିମି ପୂର୍ବ-ଦକ୍ଷିଣପୂର୍ବ ଦିଗରେ ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବନ୍ଦରରେ ୨ ନମ୍ବର ସର୍ତକ ସୂଚନା ଦିଆଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମସô୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି । ଯେଉଁମାନେ ସମୁଦ୍ର ମଧ୍ୟକୁ ଯାଇଛନ୍ତି ଯଥାଶୀଘ୍ର ଫେରି ଆସିବାକୁ କୁହାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରାରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ । ସାରାରାଜ୍ୟରେ ଜାଡ଼ ବଢ଼ିବା ଯୋଗୁ ଲୋକେ ଘରୁ ବାହାରୁ ନାହାନ୍ତି । ଶୀତ ଜୋରରେ ଅନୁଭୂତ ହେଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଜାରି ରହିଛି । ତେବେ ୫ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ତାପମାତ୍ରା ସର୍ବନିମ୍ନ ୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ପାରଦ ୭.୬ ଡିଗ୍ରୀରେ ରହିଛି । ସେହିପରି ଅନୁଗୁଳରେ ୯ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ୩ଟି ସ୍ଥାନରେ ପାରଦ ୧୧ ଡିଗ୍ରୀ ରହିଛି । ତେବେ ଭୁବନେଶ୍ୱରରେ ପାରଦ ୧୪.୮ ଡିଗ୍ରୀ ରହିଛି । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ ଆଞ୍ଚଳିକ ପାଣିପାଗ ବିଭାଗ କହିଛି । ରାଜ୍ୟର କେତେକ ଅଞ୍ଚଳର ତାପମାତ୍ରା ଆହୁରି ୩ ରୁ ୪ ଡିଗ୍ରୀ ହ୍ରାସ ପାଇବ । ଏହାର ପ୍ରଭାବରେ ସାରା ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ଲହାରୀ ଅନୁଭୂତ ହେବ । ଆଗାମୀ ଦିନରେ ଅସହ୍ୟ ଶୀତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି ।




Powered by odothemes.com