jayadeb-bhaban-re-panchayat-raj-bibhaga-pakhyaru-alochana-chakra-3

ଓଡ଼ିଶାର ସବୁ ପଞ୍ଚାୟତ ସ୍ମାର୍ଟ ହେଉ

18

ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜୁ ଜନ୍ମଶତବାର୍ଷିକୀ ଆଲୋଚନାଚକ୍ର
ଭୁବନେଶ୍ୱର, (ବୁ୍ୟରୋ): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ସବୁବେଳେ ଆଗୁଆ ଚିନ୍ତା କରୁଥିଲେ । ଓଡ଼ିଶାର ଲୋକଙ୍କ ବିକାଶ ଲାଗି ସେ ସତତ ଚେଷ୍ଟିତ ଥିଲେ । ସେ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାର ଅନ୍ୟତମ କର୍ଣ୍ଣଧାର ଥିଲେ ବୋଲି କହିଛନ୍ତି ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ । ବିଜୁବାବୁଙ୍କ ଜନ୍ମଶତବାର୍ଷିକୀ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୦ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ଜୟଦେବ ଭବନଠାରେ ପଞ୍ଚାୟତିରାଜ ବିଭାଗ ଆନୁକୂଲ୍ୟରେ ଆୟୋଜିତ ‘ଆଧୁନିକ ଓଡ଼ିଶାର ବିକାଶ ଓ ଭାରତରେ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢୀକରଣରେ ବିଜୁ ପଟ୍ଟନାୟକଙ୍କ ଅବଦାନ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ପଟ୍ଟନାୟକ କହିଥିଲେ, ବିଜୁବାବୁଙ୍କର କାର୍ଯ୍ୟକାଳକୁ ୬୦ ଦଶକ ଓ ୯୦ ଦଶକ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ସେ ୬୦ ଦଶକରେ ଶିଳ୍ପୋନ୍ନତ ଓଡ଼ିଶା ପାଇଁ ସ୍ୱପ୍ନ ଦେଖୁଥିବା ବେଳେ ଏହାକୁ ସାକାର କରିବା ଲାଗି ଚେଷ୍ଟା କରୁଥିଲେ । ସେ ଭାବୁଥିଲେ, ଶିଳ୍ପର ବିକାଶରେ ଓଡ଼ିଶାର ବିକାଶ ସମ୍ଭବ । ମାତ୍ର, ୯୦ ଦଶକରେ ସେ ପଞ୍ଚାୟତିରାଜ ବ୍ୟବସ୍ଥା, ମହିଳା ସଶକ୍ତିକରଣ, ଲୋକଙ୍କୁ କ୍ଷମତା ହସ୍ତାନ୍ତର ଆଦି ଯୁଗୋପଯୋଗୀ ପଦକ୍ଷେପ ନେଇ ତାଙ୍କର ପ୍ରତୁ୍ୟତ୍ପନ୍ନମତିତାର ପରିଚୟ ଦେଇଥିଲେ ବୋଲି ଜଷ୍ଟିସ୍ ପଟ୍ଟନାୟକ କହିଥିଲେ ।
ପଞ୍ଚାୟତିରାଜ ଓ ଆଇନ ବିଭାଗ ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାରେ ସ୍ୱତନ୍ତ୍ର ଅତିଥି ଭାବେ ନୂଆଦିଲ୍ଲୀର ସମାଜ ବିଜ୍ଞାନ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ଜର୍ଜ ମାଥୁ୍ୟ ଯୋଗେଦେଇ କହିଲେ, ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟ ସିଟି ତାଲିକାରେ ୧ ନମ୍ବର ମାନ୍ୟତା ମିଳିଛି । କେବଳ ଭୁବନେଶ୍ୱର ଏକ ନମ୍ବର ହୋଇରହିଲେ ଚଳିବନି, ଓଡ଼ିଶାର ସମସ୍ତ ଗ୍ରାମପଞ୍ଚାୟତ ସ୍ମାର୍ଟ ଗ୍ରାମ ପଞ୍ଚାୟତରେ ପରିଣତ ହେବା ଆବଶ୍ୟକ । ମାତ୍ର, ଏହା ସହଜସାଧ୍ୟ ନୁହେଁ । ଏହାକୁ ଏକ ଆହ୍ୱାନ ଭାବେ ନିଆଯାଇ କାର୍ଯ୍ୟ କରାଗଲେ ସଫଳତା ମିଳିବ ଏବଂ ବିଜୁବାବୁଙ୍କ ସ୍ୱପ୍ନ ସାକାର ହେବ ବୋଲି ଡ. ମାଥୁ୍ୟ କହିଥିଲେ । ସେ ଆହୁରି କହିଲେ, ଭାରତରେ ଜରୁରୀକାଳୀନ ପରିସ୍ଥିତି ଜାରିଥିବା ସମୟରେ ଯେଉଁ କେତେଜଣ ଆଗଧାଡ଼ିର ନେତା ଲୋକମାନଙ୍କ ପାଇଁ ଲଢେଇ କରିଥିଲେ ସେମାନଙ୍କ ମଧ୍ୟରେ ବିଜୁବାବୁ ଥିଲେ ଅନ୍ୟତମ । ଦେଶର ୭୦ ପ୍ରତିଶତରୁ ଅଧିକ ଲୋକ ଗ୍ରାମାଞ୍ଚଳରେ ବାସ କରୁଥିବାରୁ ସେମାନଙ୍କୁ କିପରି କ୍ଷମତା ଦିଆଯାଇପାରିବ ସେଥିପାଇଁ ସେ ଯତ୍ନବାନ ଥିଲେ । ଜଣେ ଦୁରଦ୍ରଷ୍ଟା ନେତା ଭାବରେ ବିଜୁବାବୁ ତାଙ୍କ ସମୟରୁ ବହୁତ ଆଗରେ ଥିଲେ । ୭୩ତମ ସମ୍ବିଧାନ ସଂଶୋଧନ ହେବା ପୂର୍ବରୁ ସେ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ଭାରତବର୍ଷର ବିଭିନ୍ନ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସମୟରେ ହିଂସା ଯୋଗୁଁ ୨ ହଜାର ଲୋକଙ୍କର ପ୍ରାଣହାନୀ ଘଟୁଛି । ମାତ୍ର, ବିଜୁବାବୁ ପଞ୍ଚାୟତସ୍ତରରେ ସୃଷ୍ଟି କରିଥିବା ଉତ୍ତମ ବାତାବରଣ ପାଇଁ ଓଡ଼ିଶାରେ ଏହି ହିଂସା ଦେଖିବାକୁ ମିଳୁନି ବୋଲି ଡ. ମାଥୁ୍ୟ କହିଛନ୍ତି ।
ଡ. ଅରୁଣ ସାହୁ ସ୍ମାର୍ଟ ଗ୍ରାମପଞ୍ଚାୟତ ପାଇଁଥିବା ଆହ୍ୱାନକୁ ଦୃଷ୍ଟିରେ ରଖି କହିଥିଲେ, ଓଡ଼ିଶାରେ ଅଧିକାଂଶ ଲୋକ ଗ୍ରାମାଞ୍ଚଳରେ ବାସ କରୁଥିବାରୁ ସେମାନଙ୍କର ଜୀବନଜୀବିକା ଓ ଭିତ୍ତିଭୂମିର ସମ୍ପୂର୍ଣ୍ଣ ବିକାଶ ହେଲେ ସ୍ମାର୍ଟ ଗ୍ରାମ ପଞ୍ଚାୟତର ସ୍ୱପ୍ନ ବାସ୍ତବତାର ରୂପ ନେଇପାରିବ ବୋଲି ପ୍ରକାଶ କରିଥିଲେ । ବିଜୁବାବୁଙ୍କ ଶାସନରେ ଭାଗୀଦାରିତା, ମହିଳା ସଶକ୍ତିକରଣ ଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଫଳ କରିବା ସହ ପ୍ରଶାସନକୁ ଲୋକାଭିମୁଖୀ କରିପାରିଥିଲେ । ଆଦିବାସୀଙ୍କ ବିକାଶ ଲାଗି ସେ ସର୍ବଦା ଚେଷ୍ଟିତ ଥିଲେ । ତାଙ୍କର ଏହି ପ୍ରଗତିଶୀଳ ପଦକ୍ଷେପ ଯୋଗୁଁ ସେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ ମଧ୍ୟ ବିଜ ଜିଦ୍ରେ ଅଟଳ ଥିଲେ । ସେ ଥିଲେ ଝଡ଼ର ଇଗଲ୍ ଓ ଧରଣୀର କୃଷ୍ଣସାର । ତାଙ୍କ ଆଦର୍ଶରେ ପ୍ରେରିତ ହୋଇ ତାଙ୍କର ସ୍ୱପ୍ନ ଓ ଚିନ୍ତାଧାରାକୁ ସାକାର କଲେ ବିଜୁବାବୁଙ୍କ ପ୍ରତି ଏହା ପ୍ରକୃଷ୍ଟ ଶ୍ରଦ୍ଧାଞ୍ଜଳି ହେବ ବୋଲି ଡ. ସାହୁ କହିଥିଲେ ।
ଏହି ଅବସରରେ ବିଭାଗୀୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ ବିଜୁ ଜନ୍ମଶତବାର୍ଷିକୀ ଅବସରରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱତନ୍ତ୍ର ପ୍ରକଳ୍ପ ନିଦେ୍ର୍ଦଶକ ଏସ୍ଏନ୍ ଗିରୀଶ୍ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଭାଗୀୟ ନିଦେ୍ର୍ଦଶକ ହେମନ୍ତ ପାଢୀ ଧନ୍ୟବାଦ ଦେଇଥିଲେ । ପଞ୍ଚାୟତିରାଜ ବିଭାଗ ଦ୍ୱାରା ପ୍ରକାଶିତ ବିଜୁବାବୁଙ୍କ ଜୀବନୀ ପୁସ୍ତିକା ‘ସ୍ମୃତିରୁ ଚେନାଏ’ ଏଠାରେ ଉନ୍ମୋଚିତ କରାଯାଇଥିଲା । ପରେପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଲୋଚନାଚକ୍ରରେ ଓଡ଼ିଶା ଜୀବିକା ମିଶନ୍ ନିଦେ୍ର୍ଦଶକ ପ୍ରଣବଜ୍ୟୋତି ନାଥଙ୍କ ସମେତ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି, ଛାତ୍ରଛାତ୍ରୀ, ଶିକ୍ଷାବିତ୍, ଗବେଷକ, ସମାଜସଂଗଠକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।




Powered by odothemes.com