hotel-may-fair-re-odisha-dakhyata-bikas-kartupakshya-nkn-pakhyaru-skiill-in-indiia-karjyakrama-re-manchasina-atiithibrunda-2

ପ୍ରତି ପଞ୍ଚାୟତରୁ ୧୫୦ ଯୁବପିଢ଼ିଙ୍କୁ କୁଶଳୀ ଲକ୍ଷ୍ୟ

86

ସ୍କିଲ୍ ଇନ୍ ଓଡ଼ିଶା କର୍ମଶାଳା
ଭୁବନେଶ୍ୱର,(ବୁ୍ୟରୋ): ଓଡ଼ିଶାରେ କର୍ମନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ରାଜ୍ୟରେ ୭୫ ପ୍ରତିଶତ ନୁତନ କୁଶଳୀ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି । କୁଶଳୀ ଯୁବପିଢ଼ିଙ୍କ ଉନ୍ନତି ଓ ସଶକ୍ତିକରଣ ପାଇଁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଦିଆଯିବ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି ।  ଆୟୋଜିତ ‘ସ୍କିଲ୍ ଇନ୍ ଓଡ଼ିଶା’ କର୍ମଶାଳାରେ ‘ଭବିଷ୍ୟ କୁଶଳୀ ପ୍ରଶିକ୍ଷଣରେ ଭାଗୀଦାର ଓ ନିଯୋକ୍ତା ସୃଷ୍ଟି’ ଶୀର୍ଷକ କର୍ମଶାଳାରେ ଯୋଗଦେଇ ଶ୍ରୀ ଦାସବର୍ମା କହିଛନ୍ତି, ରାଜ୍ୟରେ ୫ ବର୍ଷ ମଧ୍ୟରେ ୧୧ଲକ୍ଷ ଯୁବପିଢ଼ିଙ୍କୁ କୁଶଳୀ ତାଲିମ୍ ଦିଆଯିବ । ଆର୍ଥିକ ବର୍ଷ ୨୦୧୪-୧୫ରୁ ୨୦୧୮-୧୯ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ୧୫୦ ଯୁବପିଢ଼ିଙ୍କୁ ଏଥିରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି । ଗତ ଦୁଇ ବର୍ଷ ମଧ୍ୟରେ ୩ଲକ୍ଷ ୪୬୭ ହଜାର ୯୧୭ ବ୍ୟକ୍ତିଙ୍କୁ କୁଶଳୀ ତାଲିମ ଦିଆଯାଇଛି । ଆଗାମୀ ତିନି ବର୍ଷ ମଧ୍ୟରେ ୮ଲକ୍ଷ କୁଶଳୀ ମାନବ ସୃଷ୍ଟି କରାଯିବ । ଦକ୍ଷତା ଶିକ୍ଷା କ୍ଷେତ୍ରରେ ବୈଷୟିକ ଶିକ୍ଷାର ଉତ୍ତମ ଗୁଣବତ୍ତା ଉପରେ ପ୍ରାଧାନ୍ୟ ଦିଆଯାଉଛି । ଏଥିପାଇଁ ୧୦୫୧ କୋଟି ଟଙ୍କା ବିନିଯୋଗ କରାଯିବ । ପାଞ୍ଚ ବର୍ଷ ଭିତରେ ରାଜ୍ୟରେ ୮ଟି ଦକ୍ଷତା ପ୍ରଶିକ୍ଷଣ ଶିକ୍ଷାକେନ୍ଦ୍ର, ୩୦ଟି ସରକାରୀ ଅନୁଦାନ ପ୍ରାପ୍ତ ଆଟିଆଇ ମାଧ୍ୟମରେ ୧୨ଟି କ୍ଷେତ୍ରରେ ୨ଲକ୍ଷ ଯୁବପିଢ଼ିଙ୍କୁ କୁଶଳୀ କରାଯିବ । ଓଡିଶାରେ ୭୪ଟି ସ୍ଥାନରେ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଛି । ଏଥପାଇଁ ୫୫.୫୦ କୋଟି ଅର୍ଥ ବ୍ୟୟ ହୋଇଛି । କୁଶଳୀ ମାନବ ଗଠନରେ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦେବା ନିମନ୍ତେ ବ୍ୟବସ୍ଥା କରାଯାଉଛି । ଯୁବକ ଯୁବତୀମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉପସ୍ଥାପନା କରିବା ପାଇଁ ଚେଷ୍ଟା ଚାଲିଛି । ଓଡ଼ିଶାର ପ୍ଲମ୍ବର ସାରା ବିଶ୍ୱରେ ନାଁ କରିଛନ୍ତି । ସେମାନଙ୍କୁ କୁଶଳୀ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାସବର୍ମା କହିଛନ୍ତି । ଏହି କର୍ମଶାଳାରେ ପଞ୍ଚାୟତରାଜ ଓ ଆଇନ୍ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଯେଉଁ ଦେଶରେ କୁଶଳୀ ମାନବ ଅଛନ୍ତି ସେହି ଦେଶ ଉନ୍ନତି ଆଡ଼କୁ ଅଗ୍ରସର ହେଉଛନ୍ତି । କୋରିଆରେ ୯୬% କୁଶଳୀ ଥିବାବେଳେ ଜର୍ମାନୀରେ ୭୬ %, ଜାପାନରେ ୭୫%, ଅମେରିକାରେ ୧୨% ଏବଂ ଭାରତରେ ୨.୫% କୁଶଳୀ ମାନବ ସମ୍ବଳ ଅଛନ୍ତି । ତେବେ ୨୦୨୧ ମସିହା ସୁଦ୍ଧା ଏହା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ରାଜ୍ୟର ୮ଟି ଜିଲ୍ଲାରେ ଦକ୍ଷତା ତାଲିମ୍ କେନ୍ଦ୍ର ଖୋଲାଯିବ । ରାଜ୍ୟର ୧୮ଟି ବିଭାଗ ଏହି କୁଶଳୀ ମାନବ ଗଠନ କ୍ଷେତ୍ରରେ ସହଯୋଗ କରିବେ । କୁଶଳୀ ତାଲିମ୍ କେନ୍ଦ୍ରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ୬୩ ଟି ସଂସ୍ଥାକୁ ଭାଗୀଧାରୀ ରଖାଯାଇଥିବା ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି । ଚଳିତ ଆର୍ଥିର୍କ ବର୍ଷରେ ଦକ୍ଷତା ତାଲିମ୍ କେନ୍ଦ୍ରକୁ ତଦାରଖ କରାଯିବ । ସମ୍ପୂର୍ଣ୍ଣରୂପେ ଶ୍ରମିକଙ୍କ ସୂଚନା ୱବ୍ସାଇଟ୍ରେ କାର୍ଯ୍ୟକାରୀ ହେବ । ଓଡ଼ିଶାରେ କୁଶଳୀ ବ୍ୟକ୍ତିଙ୍କୁ ଉତ୍ତମ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତିି । ଏହି କାର୍ଯ୍ୟକ୍ରମକୁ ଦକ୍ଷତା ଓ ବୈଷୟିକ ବିଭାଗର ଅଧ୍ୟକ୍ଷ ସୁବ୍ରୋତୋ ବାଗ୍ଚି ପରିଚାଳନା କରିଥଲେ ।

ସେଆର କରନ୍ତୁ:



Powered by odothemes.com