divisional-collectors-conference-6

କେନ୍ଦ୍ରାଞ୍ଚଳସ୍ତରୀୟ ଧାନ ସଂଗ୍ରହ ପାଇଁ ସମୀକ୍ଷା

43

୩ ଲକ୍ଷ ଚାଷୀଙ୍କଠାରୁ ୭.୫୦୦ କୋଟି ଟଙ୍କାର ଖରିଫ ଧାନ କ୍ରୟ କରାଯିବ: ମନ୍ତ୍ରୀ ଶ୍ରୀ ଦାସବର୍ମା
କଟକ (ବୁ୍ୟରୋ): ଧାନ ସଂଗ୍ରହରେ ସମଗ୍ର ଭାରତବର୍ଷରେ ଓଡ଼ିଶା ରାଜ୍ୟ ୩ୟ ସ୍ଥାନ ଅଧିକାର କରିଛି । ତେବେ ୨୫ ପ୍ରତିଶତ ଧାନ କେବଳ ରାଜ୍ୟର କେନ୍ଦ୍ରୀୟ ରାଜସ୍ୱ ଅଞ୍ଚଳରୁ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ରହିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି । ଚଳିତ ଖରିଫ ଧାନ ସଂଗ୍ରହ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ ମଣ୍ଡଳ ଅନ୍ତର୍ଗତ ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ମୟରଭଞ୍ଜ, ନୟାଗଡ଼, ପୁରୀ ଆଦି ଜିଲ୍ଲାପାଳମାନଙ୍କର ସମ୍ମିଳନୀ ମଙ୍ଗଳବାର ପୂର୍ବାହ୍ନରେ କଟକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି । ଏଥିରେ ମନ୍ତ୍ରୀ ଶ୍ରୀ ବର୍ମା ଯୋଗଦେଇ ୩ ଲକ୍ଷ ଚାଷୀଙ୍କଠାରୁ ୭,୫୦୦ କୋଟି ଟଙ୍କାର ଧାନ କିଣାଯିବ । ୨୯୪ଟି ବ୍ଲକରେ ପି-ପାସ୍ ବ୍ୟବସ୍ଥା କରାଯାଇଥିବା ବେଳେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଅନ୍ଲାଇନ୍ରେ ପ୍ରଦାନ ସୁନିଶ୍ଚିତ କରାଯିବ ବୋଲି କହିଛନ୍ତି । ଚଳିତ ବର୍ଷ ସାଧାରଣ ଧାନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୧୪୭୦ ଟଙ୍କା ଓ ଗ୍ରେଡ୍-ଏ ଧାନ ପାଇଁ ୧୫୧୦ ଟଙ୍କା ରଖାଯାଇଛି । ଧାନ ବିକ୍ରି କରିବାର ୩/୪ ଦିନ ମଧ୍ୟରେ ଚାଷୀମାନଙ୍କୁ ଅନ୍ଲାଇନ୍ରେ ମୂଲ୍ୟ ପ୍ରଦାନ କରାଯିବ । ୧୩୭୭ ସୋସାଇଟି ଅଧୀନରେ ୧୩୬୭ ଧାନକ୍ରୟ କେନ୍ଦ୍ର ଖୋଲାଯିବ । ଚାଷୀ ପଞ୍ଜିକରଣକୁ ଶତ ପ୍ରତିଶତ ନିର୍ଭୁଲ କରିବା ପାଇଁ ଭୂଲେଖ ଡାଟା ବେସ୍କୁ ବ୍ୟବହାର କରାଯାଉଛି । ଏହାଦ୍ୱାରା ଅସାଧୁ ବ୍ୟବସାୟୀମାନଙ୍କୁ ଏଥିରୁ ବାଦ୍ ଦିଆଯାଇ ପାରିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।
କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅଖିଳ ବିହାରୀ ଓତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବୈ÷ଠକରେ ଯୋଗଦେଇ ଧାନ ସଂଗ୍ରହ ପ୍ରକି୍ରୟାକୁ ସୁବ୍ୟବସ୍ଥିତ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ଚଳିତ ମାସ ୩୦ ତାରିଖ ସୁଦ୍ଧା ଅତି କମ୍ରେ ୨ଟି ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈ÷ଠକ ଅନୁଷ୍ଠିତ କରାଇବା, ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଜିଲ୍ଲାସ୍ତରରେ କୃଷି ଏବଂ ସମବାୟ ଅଧିକାରୀଙ୍କୁ ନେଇ ସ୍କ୍ୱାଡ୍ ଗଠନ, ଭୂଲେଖ ଡାଟାବେସ୍ ମେଳ ନଖାଇଲେ ଆର୍ଆଇଙ୍କ ଦ୍ୱାରା ସଂଶୋଧନ ଇତ୍ୟାଦି ପାଇଁ ମଧ୍ୟ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ଆବଶ୍ୟକ ହେଲେ ପ୍ରାଥମିକ କୃଷି ସେବା ସମବାୟ ସମିତି ଅଧୀନରେ ଅଧିକ ମଣ୍ଡି ଖୋଲିବା, ଧାନ ମହଜୁଦ ପାଇଁ ବ୍ୟବସ୍ଥା ପାଇଁ ସେ ପରାମର୍ଶ ଦେଇଥିଲେ । ଏହି ସମ୍ମିଳନୀରେ ଯୋଗାଣ ନିଗମ ପରିଚାଳନା ନିଦେ୍ର୍ଦଶକ ନିରଞ୍ଜନ ନାୟକ, ସମବାୟ ନିବନ୍ଧକ ଡଃ. ଶଶୀଭୂଷଣ ପାଢୀ, ଓଡିଶା ଷ୍ଟେଟ୍ ମାର୍କେଟିଂ ଫେଡେରେସନ ବୋର୍ଡ ପରିଚାଳନା ନିଦେ୍ର୍ଦଶକ ପ୍ରେମାନନ୍ଦ ଖୁଣ୍ଟିଆ, କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ସମେତ କେନ୍ଦ୍ରାଞ୍ଚଳ ଅନ୍ତର୍ଗତ ୧୦ ଜିଲ୍ଲାର ଜିଲ୍ଲାପାଳ ଓ ସେମାନଙ୍କ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com