scb

ଏସ୍ସିବି ବିପଦସଙ୍କୁଳ ବହିର୍ବିଭାଗ କୋଠାରେ ରୋଗୀ ସେବା

60

କଟକ,(ବୁ୍ୟରୋ): ସମଗ୍ର ରାଜ୍ୟରେ ଚିକିତ୍ସା ପାଇଁ ଖ୍ୟାତି ଅର୍ଜନ କରିଥିବା ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଅଫ୍ କଲେଜର ବହିର୍ବିଭାଗ କୋଠାଘର ଏବେ ଅସୁରକ୍ଷିତ । କେତେ ବେଳେ କଣ ଯେ ଅଘଟଣ ଘଟିବ ତାହା କହିବା ମୁସ୍କିଲ । ତେବେ ଏଠାରେ ଚିକିତ୍ସା କରୁଥିବା ଡାକ୍ତର, ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ଜୀବନ ପ୍ରତି ବିପଦ ଥିବା କୁହାଯାଉଛି । ଏ ନେଇ ମଧ୍ୟ ପୂର୍ତ୍ତ ବିଭାଗ କୋଠାଘର ଅନୁଧ୍ୟାନ କରିବା ପରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଚରମବାଣୀ ଶୁଣାଇସାରିଛି । ତଥାପି ଚାଲିଛି ଏଠାରେ ରୋଗୀ ସେବା । ମେଡିକାଲ ପରିସରରେ ଥିବା ବହିର୍ବିଭାଗ କୋଠାଘର ଶହେବର୍ଷର ପୁରୁଣା । ଏବେ ଏହାର ଛାତ ଫାଟି ମେଲା ହୋଇଯାଇଥିବା ବେଳେ ସେଥିରେ ଲାଗିଥିବା କାଠରେ ଉଈ ମଧ୍ୟ ଲାଗି ଗଲାଣି । ପମ୍ପରା ହୋଇଗଲାଣି ଶହଶହବର୍ଷର କାଠ । ତେବେ କେଉଁ ମୁହୂର୍ତ୍ତିରେ କାଠ ଖସିବ, ଜୀବନହାନୀର କାରଣ ହେବ ତାହା କହିବା ଅସମ୍ଭବ । ନିକଟରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକ ଉକ୍ତ କୋଠାଘର ଅନୁଧ୍ୟାନ କରି ଏହାକୁ ଅସୁରକ୍ଷିତ ବୋଲି ଘୋଷଣା କରିଥିଲେ । ଏହି ବିଲ୍ଡିଂ ପରିସରରେ ଥିବା ସମସ୍ତ ବିଭାଗ ଗୁଡିକ ଖାଲି କରିବା ସହ ଏହାକୁ ମରାମତି କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଏକ ଚିଠି କରାଯାଇ ଥିବା ସୂଚନା ମିଳିଛି । ତେବେ ମେଡିକାଲ କର୍ତ୍ତୃପକ୍ଷ ଚିଠି ପାଇବା ପରେ ନୀରବରେ ବସିଯିବା ଘଟଣା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଏସ୍ସିବି ମେଡିକାଲ ଅଧିକ୍ଷକ ପ୍ରଫେସର ଡାକ୍ତର ପ୍ରତାପ ମିଶ୍ରଙ୍କ କହିବା ଅନୁଯାୟୀ ପୂର୍ତ୍ତ ବିଭାଗ ଦେଇଥିବା ମରାମତି ପ୍ରସ୍ତାବକୁ ସରକାରଙ୍କୁ ଚିଠି ଦ୍ୱାରା ଅବଗତ କରାଯାଇଛି । ଏତେ ବଡ ବିଲ୍ଡିଂ ହୋଇଥିବାରୁ ହଠାତ୍ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ସମ୍ଭବପର ନୁହେଁ । ସରକାର ନିଷ୍ପତ୍ତି ନେବା ପରେ ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାର ବିକଳ୍ପ ବ୍ୟବସ୍ଥା କରାଗଲେ ଯାଇ ଏହି ବିଲ୍ଡଂର ବିଭାଗଗୁଡିକ ସ୍ଥାନାନ୍ତରିତ କରାଯିବ ବୋଲି ଅଧିକ୍ଷକ ପ୍ରଫେସର ଶ୍ରୀ ରଥ ସୂଚନା ଦେଇଛନ୍ତି । ବହିର୍ବିଭାଗ ବିଲ୍ଡିଂ ଏକ ଶହ ବର୍ଷ ପୁରୁଣା ହେଇଥିବାରୁ ଏଥିରେ ଥିବା ୩୦ରୁ ଊଦ୍ଧ୍ୱର୍ ପ୍ରକୋଷ୍ଠର ଗୁଡିକରେ ଛାତ ଫାଟି ଆଁ କଲାଣି ତ ଆଉ କେଉଁଠି କାଠରେ ଉଈ ଖାଇ ନଷ୍ଟ ହୋଇଗଲାଣି । ମେଡିକାଲର ମୁଖଶାଳା କୁହାଯାଉଥିବା ବହିର୍ବିଭାଗ ଏପରି ଅବ୍ୟବସ୍ଥା ମଧ୍ୟରେ ଗତି କରିଥିବାରୁ ସେଠାରେ ଚିକିତ୍ସିତ ହେଉଥିବା ରୋଗୀ ଏବଂ ଡାକ୍ତର ମାନେ ନିଜ ଜୀବନକୁ ଅସୁରକ୍ଷିତ ମଣୁଛନ୍ତି । ଏହି ବିଲ୍ଡିଂର ବାହାରୁ ପଟୁ ଚିକ୍କଣ ଓ ଚକାଚକ ଦିଶୁଥିଲେ ମଧ୍ୟ ଏହାର ଭିତରେ ସବୁ ଜିନିଷପତ୍ର ନଷ୍ଟ ହେବାକୁ ବସିଲାଣି । ତେବେ ଏହି କେଠାର ସମସ୍ତ ଗୃହ ଗୁଡିକ ଖାଲି କରାଗଲେ, ତା ପରେ କୋଠା ମରାମତି କରାଯିବ ବୋଲି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ କରିଛନ୍ତି । ସକାଳଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏଠାରେ କୋଳାହଳ ରୁହେ । ଦିନକୁ ପ୍ରାୟ ୫ଶହରୁ ଊଦ୍ଧ୍ୱର୍ ରୋଗୀ ଏଠାକୁ ଆସୁଛନ୍ତି । ଏହି ରୋଗୀମାନଙ୍କ ଅବସ୍ଥା କ’ଣ ଯେ ହେବ ତାହା ଏବେ ଠାରୁ ଚର୍ଚ୍ଚା ଜୋର ଧରିବାକୁ ଲାଗିଲାଣି । ସୂଚନାଯୋଗ୍ୟ ଯେ, ୧୨ ବର୍ଷ ପୂର୍ବେ ଅନୁରୂପ ଭାବେ ବହିର୍ବିଭାଗ କୋଠା ଅସୁରକ୍ଷିତ ବୋଲି ପୂର୍ତ୍ତ ବିଭାଗ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଚିଠି କରିଥିଲା । ତେବେ କୋଠାର ଛାତ ଫାଟି ଆଁ କରିଥିବା ବେଳେ କୋଠାକୁ ଭାଙ୍ଗି ନୂତନ କୋଠା କରିବା ବଦଳରେ ସେହି ବିଲ୍ଡିଂକୁ ମରାମତି କରାଯାଇଥିଲା । ସେହି ସମୟରେ ଏକ ବୈଷୟିକ ବିଶେଷଜ୍ଞ ଦଳ ଏହାର ନୀରିକ୍ଷଣ କରି ରାସାୟନ ପଦ୍ଧତିରେ ମରାମତି କରି ବିଭାଗକୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରିଥିଲା । କୋଲକତାରୁ ଆସିଥିବା ଏହି ବିଶେଷଜ୍ଞ ଦଳ ପ୍ରଥମେ ବିଲି୍ଲଂ ମଧ୍ୟରେ ଫାଟିଯାଇଥିବା ସ୍ଥାନ ଗୁଡିକ ଚିହ୍ନଟ କରିଥିଲେ । ସେହି ସ୍ଥାନ ଗୁଡିକରେ ରସାୟନ ପଦ୍ଧତିରେ ମରାମତି କରିଥିଲେ । ଫଳରେ ଏହି କୋଠା ଅଧିକ ଦିନ ମଜବୁତ ହୋଇ ରହିବ ବିଶେଷଜ୍ଞ ମାନେ ମତ ଦେଇଥିଲେ । ତେବେ ଏହି ବିଲ୍ଡିଂ ପରିସରରେ ଛୋଟ ମୋଟ ମରାମତି ହେଉ ଥିଲେ ମଧ୍ୟ ଏହା ବଡ ଧରଣରେ ବିପଦ ଦେଖାଯାଇଛି ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି କୋଠାଘରକୁ ତୁରନ୍ତ ବନ୍ଦ କରିବା ଆବଶ୍ୟକ ରହିଛି । ଯଦି ଅଘଟଣ ଘଟେ, ଦାୟୀ କିଏ ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ ସରକାର ତୁରନ୍ତ ଧ୍ୟାନ ଦେବା ଜରୁରୀ ।




Powered by odothemes.com