udala_dhanghera-college-photo

ଅଧ୍ୟକ୍ଷାଙ୍କ ବଦଳି ଦାବି: ଦ୍ୱିତୀୟ ଦିନରେ ଛାତ୍ରଛାତ୍ରୀଙ୍କ ଧାରଣା

17

ଉଦଳା (ଆ.ପ୍ର) -ଖୁଣ୍ଟା ବ୍ଲକ ଧାନଘେରା ଠାରେ ଥିବା ଧାନଘେରା ଯୁକ୍ତ ୨ ମହାବିଦ୍ୟାଳୟରେ ଏବେ ଛାତ୍ରଛାତ୍ରୀ ଅଶାନ୍ତି ତୀବ୍ର ରୂପ ଧାରଣ କରିଛି । ଗୋଟିଏ ଦିନ ଧାରଣା ହେବା ପରେ ବି ଦାବି ପୂରଣ ନ ହେବାରୁ ଆଜି ଦ୍ୱିତୀୟ ଦିନରେ ପୁଣି ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି । ଏହା ସହିତ କଲେଜ ଅଧ୍ୟକ୍ଷାଙ୍କ ବଦଳି ଦାବି ଜୋର ଧରିଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ପରିସ୍ଥିତ ଅସମ୍ଭାଳ ହେବ ବୋଲି ଛାତ୍ରଛାତ୍ରୀମାନେ ଖୋଲାଖୋଲି ଚେତାବନୀ ଦେଇଛନ୍ତି । ଯାହା ଏବେ କଲେଜ ପରିସରରେ ଏକ ଅଶାନ୍ତ ବାତାବରଣକୁ ଜନ୍ମ ଦେଇଛି । ହେଲେ ଏ ନେଇ ନାଁ କଲେଜ ଅଧ୍ୟକ୍ଷା ମହୋଦୟ ଲକ୍ଷ୍ମୀପ୍ରିୟା ବେହେରା ନା କୌଣସି ଅଧିକାରୀଙ୍କର କୌଣସି ପ୍ରତିକ୍ରୟା ଦେଖିବାକୁ ମିଳୁଛି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ରହିଛି ଧାନଘେରା ଯୁକ୍ତ ୨ ମହାବିଦ୍ୟାଳୟ । ଏହି ବିଦ୍ୟାଳୟରେ ଅର୍ଦ୍ଧାଧିକ ଛାତ୍ରଛାତ୍ରୀ ଆଦିବାସୀ ଅଟନ୍ତି । ସରକାର ଆଦିବାସୀଙ୍କ ଉନ୍ନତି ନିମନ୍ତେ ଯୋଜନା କରୁଛନ୍ତି, ବିଶେଷକରି ପାଠପଢାକୁ ନେଇ । ହେଲେ ଏହି ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପ୍ରତି କଲେଜ ଅଧ୍ୟକ୍ଷାଙ୍କ ବ୍ୟବହାର ଏପରି ରହୁଛି ଯାହା କହିବା ଅତ୍ୟନ୍ତ ଲଜ୍ଜାକର ବିଷୟ । ଯାହାକି କଲେଜ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା କଲେଜରେ ନିଜର କରିତକରମା ଦେଖାଉଛନ୍ତି । ଯାହାଫଳରେ ଶେଷରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁହୁଳି ରହିଥିବା ଅସନ୍ତୋଷ ଏବେ ଉଗ୍ରରୂପ ଧରିଛି । ଫଳରେ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ଗୁରୁବାର ଦିନ ତାଲା ପକାଇ ଧାରଣାରେ ବସିଥିଲେ । ଏହା ପରେ ମଧ୍ୟ ତାଙ୍କ ସମସ୍ୟାର କୌଣସି ସମଧାନ ନ ହେବାରୁ ଶେଷରେ ଆଜି ଛାତ୍ରଛାତ୍ରୀମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ । ୧୮ ଦଫା ଦାବି ରଖି ଏହି ଆନେ୍ଦାଳନ କରିଥିବା ବେଳେ ସେଥିମଧ୍ୟରୁ ମୁଖ୍ୟ ଦାବି ରହିଛି କଲେଜ ଅଧ୍ୟକ୍ଷାଙ୍କର ବଦଳି ଦାବି । କଲେଜ ଅଧ୍ୟକ୍ଷା ନିଜର ବେପରୁଆ ତଥା ମନମୁଖୀ ଶାସନ ଚଳାଇଥିବା ବେଳେ ଏ ନେଇ ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହେଲେ କଲେଜ ଅଧ୍ୟକ୍ଷା ସେ ନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି । ଯାହାକି କଲେଜରୁ ଏହି ଅଧ୍ୟକ୍ଷାଙ୍କ ବଦଳି କରାଯିବା ଜିଦିରେ ଅଡି ବସିଛନ୍ତି କଲେଜ ଛାତ୍ରଛାତ୍ରୀମାନେ । ମିଳିଥିବା ସୂଚନା ଆଧାରରେ କଲେଜର ଅନେକ ଅଭିଜ୍ଞ ଅଧ୍ୟାପକ, ଏବଂ କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କ ଏହି ଦାବିକୁ ସମର୍ଥନ ଜଣାଇଛନ୍ତି । ତେବେ ଗୋଟିଏପଟେ ଏପରି ଚାଲିଥିବା ବେଳେ ଅନ୍ୟ ପଟେ ଅଧ୍ୟକ୍ଷା କିନ୍ତୁ ନିଜେ ଅରୁଆ ଚାଉଳ ଏବଂ ଛାତ୍ରଛାତ୍ରୀମାନେ ଉଷୁନା ବୋଲି ଦେଖାଇ ହେଉଛନ୍ତି । ତେବେ ପିଲାଙ୍କ ଷ୍ଟାଇଫେଣ୍ଡ ଟଙ୍କା, ଡେଭଲପମେଣ୍ଟ ଫି ବୃଦ୍ଧି, ରିଆଡମିଶନ ଫି ବୃଦ୍ଧି ଆଦିରେ ଅଧ୍ୟକ୍ଷା ଅନେକ ଚଞ୍ଚକତା କରିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଏପରିକି କିଛି ଛାତ୍ରଛାତ୍ରୀଙ୍କ ନିକଟରୁ ଏଡମିଶନ ନିମନ୍ତେ ଧାର୍ଯ୍ୟ ଫି ଠାରୁ ବହୁତ ଅଧିକ ଟଙ୍କା ଅଧ୍ୟକ୍ଷା ନେଇଥିବା କିଛି ଛାତ୍ରୀ ଅଭିଯୋଗ କରୀଛନ୍ତି । ତେବେ କେବେ ଏହି ମହାବିଦ୍ୟାଳୟର ସମସ୍ୟା ସମାଧାନ ହେଉଛି ଏବଂ ଛାତ୍ରଛାତ୍ରୀଙ୍କ ଦାବି ପୂରଣ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।




Powered by odothemes.com