ଆଦିବାସୀ ଛାତ୍ରୀଙ୍କ ଅନୁଦାନ ହରିଲୁଟ୍!

ghatagaon_dehuripashi

ଘଟଗାଁ (ଆପ୍ର): ଆଦିବାସୀ ହରିଜନ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ଶିକ୍ଷା ଯୋଗାଇ ଦେବା ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି । ଆଶ୍ରମ ସ୍କୁଲ ନିର୍ମାଣ କରି ବିନାମୂଲ୍ୟରେ ଉନ୍ନତମାନର ଖାଦ୍ୟପେୟ, ପୋଷାକ, ଶିକ୍ଷା ଉପକରଣ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଉଛନ୍ତି । ସରକାର ଏ ବାବଦରେ ବ୍ୟୟ କରୁଥିବା କୋଟି କୋଟି ଟଙ୍କାରୁ ବିଭିନ୍ନ ଉପାୟରେ ଦାୟିତ୍ୱରେ ଥିବା ଅଫିସର, କର୍ମଚାରୀ ମୋଟା ଅଙ୍କର ଲାଭ କମାଉଥିବା ବହୁ ସସମୟରେ ଅଭିଯୋଗ ହେଉଛି । ଘଟଗାଁ ବ୍ଲକ ଦେହୁରିପଶି ଆଶ୍ରମ ବାଳିକା ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ନେଇ ଅଭିଯୋଗ ହୋଇଛି । ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ୪୦୦ରୁ ଉଦ୍ଧ୍ୱର୍ ଛାତ୍ରୀଙ୍କ ରହିବା ବ୍ୟବସ୍ଥା ଥିବା ଏହି ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଅତ୍ୟନ୍ତ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଓ ଅସ୍ୱାସ୍ଥ୍ୟକର ପରିବେଶରେ ରଖାଯାଉଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସ୍କୁଲ ପରିସରରେ ଇଟା, ମାଟି ଓ ଅଳିଆ ଗଦା ହୋଇ ଥିବା ବେଳେ ବିଭିନ୍ନ ସମୟରେ ଛାତ୍ରୀମାନେ ଅସୁସ୍ଥ ହେଉଛନ୍ତି । ସେହିପରି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ବେଳେ ନିମ୍ନମାନର ସାମଗ୍ରୀର ମୁଲ୍ୟ ବଢ଼ାଇ ବିଲ କରାଯାଇ କମିଶନି ନିଆଯାଉଛି । ସ୍କୁଲ ପରିବେଶରେ ଫିନାଇଲ ଓ ବ୍ଲିଚିଙ୍ଗ ପକା ନଯାଇ ପ୍ରତ୍ୟେକ ଦିନ ଏସବୁ ବ୍ୟବହାର କରାଯାଉଥିବା ଦର୍ଶାଯାଉଛି । ଏକ ଉଚ୍ଚ ସ୍ତରୀୟ କମିଟି ମାଧ୍ୟମରେ ଏସବୁର ଯାଞ୍ଚ କରାଗଲେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।