polavaram

ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ ଏନ୍ଜିଟିରେ ରାଜ୍ୟ ସରକାରଙ୍କ ସତ୍ୟପାଠ

39

ଭୁବନେଶ୍ୱର, ୧୪ା୧୦(ବୁ୍ୟରୋ): ପୋଲାଭରମ୍ ପ୍ରକଳ୍ପ ହେଲେ ଓଡିଶାର କ’ଣ କ୍ଷତି ହେବ ଓ କିଭଳି ଭାବେ ସୁପ୍ରିମ୍ କୋର୍ଟରେ ମାମଲା ଥିବାବେଳେ ପ୍ରକଳ୍ପ ପାଇଁ ଅନୁମତି ଦିଆଯାଇଛି ଆଦି ସମସ୍ତ ପ୍ରସଙ୍ଗକୁ ଉଲ୍ଲେଖ କରାଯାଇ ଓଡିଶା ସରକାରଙ୍କ ପକ୍ଷରୁ ଜାତୀୟ ଗ୍ରୀନ୍ ଟ୍ରିବୁ୍ୟନାଲ୍ (ଏନ୍ଜିଟି)ରେ ସତ୍ୟପାଠ ଦାଖଲ କରାଯାଇଛି । ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବା ଲାଗି ସରକାର ସତ୍ୟପାଠରେ ଉଲ୍ଲେଖ କରିଥିବା ଜଣାପଡିଛି । ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ସତ୍ୟପାଠ ଦାଖଲ ହୋଇଛି । ପୋଲାଭରମ୍ ପ୍ରକଳ୍ପ ନେଇ ଆନ୍ଧ୍ରର ଏକ ସ୍ୱେଚ୍ଛାସେବୀ ସଂଗଠନ ଏନ୍ଜିଟିରେ ଜନସ୍ୱାର୍ଥ ସମ୍ବଳିତ ମାମଲା ଦାଏର କରିଥିଲା । ଏହି ମାମଲାର ଶୁଣାଣି କରି ସତ୍ୟପାଠ ଦାଖଲ କରିବାକୁ ଏନ୍ଜିଟି ଓଡିଶା, ଆନ୍ଧ୍ର ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଥିଲେ । ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ ସୁପ୍ରିମ୍ କୋର୍ଟରେ ଏ ସମ୍ପର୍କରେ ମାମଲା ଦାଏର କରାଯାଇଛି । କାମ ବନ୍ଦ କରିବାକୁ ନିଦେ୍ର୍ଦଶ ଥିବା ସତ୍ତ୍ୱେ କେନ୍ଦ୍ର ସରକାର ଦୁଇ ଥର ଏହାର ଅବଧି ବୃଦ୍ଧି କରିଛନ୍ତି । ପୋଲାଭରମ୍ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଜନଶୁଣାଣି କରିବାକୁ ଯେଉଁ ପ୍ରସ୍ତାବ ଦେଇଛନ୍ତି, ତାହା ସୁପ୍ରିମ୍ କୋର୍ଟର ବିନା ଅନୁମତିରେ ହୋଇପାରିବନାହିଁ । ଆସନ୍ତା ୧୫ କି ୧୬ ତାରିଖରେ ପରବର୍ତ୍ତି ଶୁଣାଣି ହୋଇପାରେ ବୋଲି ସେ କହିଛନ୍ତି ।
ପୋଲାଭରମ୍ ପ୍ରକଳ୍ପକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ସୁପ୍ରିମ୍ କୋର୍ଟରେ ଏ ସମ୍ପର୍କରେ ମାମଲା ହୋଇଥିବାବେଳେ ଓଡିଶାରେ ଜନଶୁଣାଣି କରାଯାଇନାହିଁ । ବିନା ଜନଶୁଣାଣିରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହାସହ ପ୍ରକଳ୍ପର ବେଆଇନ ନିର୍ମାଣ କାର୍ଯ୍ୟ ନେଇ କେନ୍ଦ୍ର ସରକାର ପରୋକ୍ଷ ସହଯୋଗ କରୁଥିବା ରାଜ୍ୟ ପକ୍ଷରୁ ମଧ୍ୟ ସତ୍ୟପାଠରେ ଦର୍ଶାଯାଇଛି । ବିନା ଜନଶୁଣାଣିରେ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ କାର୍ଯ୍ୟ ବନ୍ଦ କରିବା ଲାଗି କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇନାହାନ୍ତି । ଦିଆଯାଇଥିବା ମଞ୍ଜୁରୀକୁ ପ୍ରତ୍ୟାହାର କରିନେଇଥିବାବେଳେ ଏହାକୁ ପାଲଟା ବଢାଇ ବଢାଇ ଚାଲିଛନ୍ତି । ପୋଲାଭରମ୍କୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦେଲା ପରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି । ଏହି ପ୍ରକଳ୍ପ ପାଇଁ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି । ୨୦୧୪-୧୫ ଆର୍ଥôକ ବର୍ଷରେ କେନ୍ଦ୍ର ସରକାର ୨୫୦ କୋଟି ଟଙ୍କା ଦେଇଥିବାବେଳେ ଏବେ ନିକଟରେ ୬୦୦ କୋଟି ଟଙ୍କା ନାବାର୍ଡରୁ ପ୍ରଦାନ କରିଛନ୍ତି । ୨୦୧୬-୧୭ରେ ଅତିରିକ୍ତ ୩,୩୦୫ କୋଟି ଟଙ୍କା ଯୋଗାଇ ଦେବାକୁ ଯୋଜନା କରିଛନ୍ତି । ବେଆଇନଭାବେ ଆନ୍ଧ୍ର ଏହି ପ୍ରକଳ୍ପ ନିର୍ମାଣ କରୁଥିବାବେଳେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ପୋଲାଭରମ୍ ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ ଆନ୍ଧ୍ର ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଆସନ୍ତା ମାସରେ ଏହାର ପରବର୍ତ୍ତୀ ଶୁଣାଣି ସୁପ୍ରିମ୍ କୋର୍ଟରେ ହେବ । ରାଜ୍ୟ ପକ୍ଷରୁ ତୁରନ୍ତ କାମ ବନ୍ଦ ପାଇଁ ଆନ୍ଧ୍ରକୁ ନିଦେ୍ର୍ଦଶ ଦେବା ଲାଗି ଓଡିଶା ମାମଲା ରୁଜୁ କରିଛି । ପ୍ରକଳ୍ପ ବିରୋଧରେ ରାଜ୍ୟରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି । ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ବହୁ ଆଦିବାସୀ ଗାଁ ବୁଡିବାର ସମ୍ଭାବନା ଥିବାବେଳେ ଅନେକ ଜଙ୍ଗଲ ଜମି ମଧ୍ୟ ବୁଡିବ । ଏହା ବିରୋଧରେ ବିଜେଡି ପକ୍ଷରୁ ନିକଟରେ ଦକ୍ଷିଣ ଓଡିଶାର ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ଅକ୍ଟୋବର ପହିଲାରେ ଏହି ଜିଲ୍ଲାରେ ହରତାଳ କରାଯାଇଥିଲା । ସମସ୍ତ ବିରୋଧ ସତ୍ତ୍ୱେ ପ୍ରକଳ୍ପ କାର୍ଯ୍ୟ ଆନ୍ଧ୍ର ସରକାର କେନ୍ଦ୍ର ସହଯୋଗରେ ଜାରି ରଖିଛନ୍ତି ।




Powered by odothemes.com