ମା’ଙ୍କୁ ବିଦାୟ…

kuakhai-nadi-re-maa-durga-nku-bisarjan-karuchanti-shradhalu-mane-3

ଭୁବନେଶ୍ୱର, ୧୨ା୧୦(ବୁ୍ୟରୋ) ସୁସଜ୍ଜିତ ଦେବୀ ମଣ୍ଡପରେ ଗତ ପାଞ୍ଚଦିନ ଧରି ମନ୍ତ୍ରପାଠ, ହୋମ, ଯଜ୍ଞ ତଥା ବିଧି ମୁତାବକ ପୂଜାର୍ଚ୍ଚନା କରିବା ପରେ ଜଗତଜନନୀ ମା ଦୁର୍ଗାଙ୍କୁ ମେଲାଣି ଦେଇଛନ୍ତି ଭକ୍ତମାନେ । ମହିଷା ମର୍ଦ୍ଦିନୀ ଦୁର୍ଗା ଧରାବତରଣ କରିବା ପରେ ଆରମ୍ଭ ହୋଇଥିବା ପୂଜା ଉପଚାରର ଶେଷ ପର୍ବ ହେଉଛି ବିସର୍ଜନ । ଏଥିପାଇଁ ବୁଧବାର ଦିନ ଆୟୋଜିତ ହୋଇଥିଲା ଭସାଣି ଉତ୍ସବ । କଟକ, ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହରଗୁଡିକରେ ଏଥିପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଦୁର୍ଗାପୂଜା ଓ ଭସାଣୀ ଉତ୍ସବ ପାଇଁ ପ୍ରସିଦ୍ଧ କଟକ ସହରରେ ସକାଳ ୮ଟାରୁ ଏଥିପାଇଁ ଆରମ୍ଭ ହୋଇଯାଇଥିଲା ପ୍ରସ୍ତୁତି । ସହରର ବିଭିନ୍ନ ସାହି ଓ ଗଳିରୁ ଦେବୀ ମେଢଗୁଡିକ ଶୋଭାଯାତ୍ରାରେ ବାହାରିଥିଲେ । ଦେବୀଗଡାରେ ବିସର୍ଜନ ପାଇଁ କୃତ୍ରିମ ପୋଖରୀ କରାଯାଇଥିଲା । ସକାଳୁ ଆରମ୍ଭ ହୋଇଥିବା ଭସାଣୀ ଯାତ୍ରା ପାଇଁ ସାରା ଦିନ ଓ ରାତି ଚଳଚଞ୍ଚଳ ହୋଇଉଠିଥିଲା କଟକ ସହର । ରାତିତମାମ ଉଜାଗର ରହି ଲୋକେ ଜଗତଜନନୀ ମା’ଙ୍କୁ ବିଦାୟ ଦେଇଥିଲେ । ପାରମ୍ପରିକ ବାଦ୍ୟ, ଲୋକନୃତ୍ୟ ସାଙ୍ଗକୁ ରଙ୍ଗବେରଙ୍ଗୀ ଆଲୋକମାଳା ଭିତରେ ଭସାଣି ଉତ୍ସବକୁ ଲୋକେ ବେଶ୍‌ ଉପଭୋଗ କରିଥିଲେ । ଏଥିପାଇଁ କଟକ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେହିପରି ଭୁବନେଶ୍ୱରରେ ଦେବୀ ବିସର୍ଜନ ପାଇଁ ଦୟା, ଭାର୍ଗବୀ ଓ କୁଆଖାଇ ନଦୀ କୂଳରେ କୃତ୍ରିମ ପୋଖରୀ କରାଯାଇଥିଲା । ଅପରାହ୍ନ ୪ଟାରୁ ଆରମ୍ଭ ହୋଇଥିଲା ଭସାଣି ଯାତ୍ରା । ସହିଦନଗର ପୂଜାମଣ୍ଡପ ନିକଟରେ ଏକତ୍ର ହୋଇଥିବା ଦେବୀ ମେଢଗୁଡିକ ଶୋଭାଯାତ୍ରା ରାଜମହଲ ଛକ ଦେଇ ବିସର୍ଜନ ପାଇଁ ଯାଇଥିବା ବେଳେ ନୂଆପଲ୍ଲୀ ମଣ୍ଡପରୁ ମେଢଗୁଡିକ ସୁସଜ୍ଜିତ ଟ୍ରକରେ ସିଆରପି ଛକ ଦେଇ ଭସାଣି ଶୋଭାଯାତ୍ରାରେ ଯାଇଥିଲେ । ଚଳିତ ବର୍ଷ କଟକ ସହରରେ ୧୫୭ ଓ ସଦର ଅଞ୍ଚଳରେ ୬୩ଟି ଦେବୀ ମୂର୍ତ୍ତି ପୂଜା ପାଇଥିବାବେଳେ ଭୁବନେଶ୍ୱରରେ ୧୭୪ଟି ମଣ୍ଡପରେ ମୃଣମୟୀ ମୂର୍ତ୍ତିଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ବ୍ରହ୍ମପୁର, ବାଲେଶ୍ୱର, ରାଉରକେଲା, ସମ୍ବଲପୁର ପ୍ରମୁଖ ସହରରେ ଶାନ୍ତିଶୃଙ୍ଖଳା ଭିତରେ ଭକ୍ତମାନେ ଦେବୀଙ୍କୁ ବିଦାୟ ଦେଇଥିଲେ ।