damodar-rout

ଚୋର କହୁଛି ଚୋର ପଳାଇଲା: ଦାମ

46

ଭୁବନେଶ୍ୱର (ବୁ୍ୟରୋ): ବିଜେଡି ସୁଆଙ୍ଗ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉକ୍ତି ‘ଚୋର କହୁଛି, ଚୋର ପଳାଇଲା’ ଭଳି ମନେ ହେଉଛି । ପୂର୍ବର କେନ୍ଦ୍ର ସରକାର ଏବର ନରେନ୍ଦ୍ର ମୋଦିଙ୍କ ସରକାର ଓଡିଶାର ମାଟି ଏବଂ ୪ କୋଟି ୧୯ ଲକ୍ଷ ଓଡିଆଙ୍କ ସ୍ୱାର୍ଥ ବିରୋଧରେ ଷଡଯନ୍ତ୍ର ଭଳି କାର୍ଯ୍ୟ କରୁଛନ୍ତି ବୋଲି ରାଜ୍ୟ ସମବାୟ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଦାମୋଦର ରାଉତ କହିଛିନ୍ତି । ଏକ ପ୍ରେସ୍ ବିବୃତିରେ ଶ୍ରୀ ରାଉତ କହିଛନ୍ତି ଯେ ପୋଲାଭରମ୍ ପ୍ରକଳ୍ପରେ ଓଡିଶାର ପାହାଡ ପର୍ବତରୁ ପାଣି ଯାଇ ମିଶୁଛି । ଓଡିଶା ଓ ଛତିଶଗଡର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଆନ୍ଧ୍ରର କଂଗ୍ରେସ ସରକାର ଏକତରଫାଭାବେ ଏହି ପ୍ରକଳ୍ପ ଆରମ୍ଭ କଲେ । ୨୦୦୩ ମସିହାରେ ଓଡିଶା ସରକାର ଏହା ଜାଣିଲା ପରେ ପ୍ରତିବାଦ କରିଚାଲିଛନ୍ତି । ସୁପ୍ରିମ୍ କୋର୍ଟରେ ମାମଲା ବିଚାରାଧୀନ ଥିଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପ୍ରକଳ୍ପ ଘୋଷଣା କରି ନିର୍ମାଣ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତି । ଏବେ ମହାନଦୀ ପାଣିକୁ ନେଇ ଛତିଶଗଡର ବିଜେପି ରାଜ୍ୟ ସରକାର ଖେଳ ଖେଳୁଛି । ୨୦୦୬ ମସିହାରୁ ଛତିଶଗଡ ସରକାର ଏକତରଫା ପ୍ରକଳ୍ପ ଆରମ୍ଭ କଲେ, ହେଲେ କେନ୍ଦ୍ରର ଉପା ସରକାର ଚୁପ୍ବସିଲେ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୋଲା ସମର୍ଥନରେ ଛତିଶଗଡର ବିଜେପି ସରକାର ପ୍ରକଳ୍ପ ପରେ ପ୍ରକଳ୍ପ ନିର୍ମାଣ କରିଚାଲିଛନ୍ତି । ନଦୀର ଧର୍ମ ଉପରମୁଣ୍ଡରୁ ପ୍ରବାହିତ ହୋଇ ସମୁଦ୍ରରେ ଲୀନ ହେବା । ତାହା ଧର୍ମେନ୍ଦ୍ରବାବୁ ନିଶ୍ଚୟେ ବୁଝିଥିବେ । ଓଡିଶା ସୀମା ଭିତରେ ମହାନଦୀର ଅବସ୍ଥିତି ହେଉଛି ପ୍ରାୟ ୪୩୦ କି.ମି. । ଅବଶିଷ୍ଟ ଅଂଶ ହେଉଛି ମଧ୍ୟପ୍ରଦେଶ ଓ ଛତିଶଗଡର । ଏହାର ସମୁଦାୟ ଜଳସ୍ରୋତ ଛତିଶଗଡ କିମ୍ବା ଓଡିଶାର ନୁହେଁ । ଏହା ଏକ ଜାତୀୟ ସମ୍ପଦ । ଜାତୀୟ ସମ୍ପଦକୁ କିଭଳି ବିନିଯୋଗ କରାଯିବ, ସଂଘୀୟ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଅଛନ୍ତି ନିଷ୍ପତ୍ତି ନେବା ପାଇଁ ସଂଘୀୟ ସରକାରର ଏହା ସାମ୍ବିଧାନିକ ଓ ନୈତିକ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳରୁ ନିର୍ବାଚିତ ହେଲେ ମଧ୍ୟ ଓଡିଶା ଜନସାଧାରଣଙ୍କର ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ବିରୋଧରେ କିଛି ଘଟିଲେ । ତା’ର ପ୍ରତିରୋଧ ଓ ପ୍ରତିବାଦ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କର । ଛତିଶଗଡର ସାମୁହିକ ସ୍ୱାର୍ଥର ଦ୍ୱାହି ଦେଇ ପଡୋଶୀ ରାଜ୍ୟ ଓଡିଶାର ଯେଉଁ କ୍ଷତି ଘଟାଉଛି, ତାକୁ ଦିଲ୍ଲୀର ସଂଘୀୟ ସରକାରର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ କଲାବେଳେ ଦଳମତ ନିର୍ବିଶେଷରେ ଛତିଶଗଡ ଜନସାଧାରଣ ସମର୍ଥନ କରୁଛନ୍ତି । ଓଡିଶାରେ ଜନ୍ମ ହୋଇ ବିହାରରୁ ବିଜେପି ଟିକଟରେ ରାଜ୍ୟସଭାକୁ ଗଲା ପରେ ଧର୍ମେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି । ଜନ୍ମମାଟି କଥା ଭୁଲିଯାଇ ଓଡିଶା ବିରୋଧୀ କାର୍ଯ୍ୟରେ ମୋଦି ଓ ରମଣଙ୍କୁ ସମର୍ଥନ କରୁଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରୁଛନ୍ତି । ତାଙ୍କର ଏ ଭାଷା ଗୁଞ୍ଜାରୁଅ ଓ ପୋଷିଆଁ ପୁଅ ଚରିତ୍ର ଭଳି ଜଣାପଡୁଛି । ୧୬ ବର୍ଷର ଓଡିଶାର ବିକାଶ ହୋଇଛି କି ନାହିଁ, ତାହା ଧର୍ମେନ୍ଦ୍ର ବେଶ୍ ଜାଣିଛନ୍ତି । ତାହା ନହୋଇଥିଲେ ଜନ୍ମମାଟିରେ ନିର୍ବାଚିନରେ ପ୍ରତ୍ୟାଖ୍ୟାତ ହେଲାପରେ ବିହାରରୁ ରାଜ୍ୟସଭାକୁ ଯାଇନଥାନ୍ତେ । କେମିତି ଏବେ ସେ କହିବେ- ‘ଆଗ ମାଟି, ପରେ ପାର୍ଟି’ । ମାଟି ଆମର ମା’, ପାର୍ଟି ଆମର ରାହା । ପାର୍ଟି ନ୍ୟାୟରେ ମାଟି କୋଳରେ ଜନ୍ମ ନେଇଥିବା ମଣିଷମାନଙ୍କ ତଣ୍ଟି କାଟନାହିଁ ବୋଲି ଶ୍ରୀ ରାଉତ କହିଛନ୍ତି ।




Powered by odothemes.com