ସିଏମ୍ସିରୁ ହଟିବେ ଜାଲ୍ କର୍ମଚାରୀ

କଟକ,୩୦ା୩(ବୁ୍ୟରୋ): କଟକ ମହାନଗର ନିଗମ(ସିଏମସି)ରେ ବର୍ଷ ବର୍ଷ ଧରି ପୋଷାଯାଇଥିବା ବେଆଇନ୍ କର୍ମଚାରୀଙ୍କୁ ହଟାଇବା କଷ୍ଟସାଧ୍ୟ ବ୍ୟାପାର ହୋଇପାରେ । କିଛି ଜାଲ୍ କର୍ମଚାରୀ ସିଏମ୍ସି କାର୍ଯ୍ୟାନୁଷ୍ଠାନ ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହେବା ସମ୍ଭାବନା ଦେଖାଦେଇଛି । ଏହି କର୍ମଚାରୀଙ୍କୁ କାର୍ଯ୍ୟାନ୍ତର କରିବା ପାଇଁ ସିଏମସି ପକ୍ଷରୁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଜାଲିଆତି କରି ନିଯୁକ୍ତି ପାଇଥିବା ଶତାଧିକ କର୍ମଚାରୀଙ୍କୁ ବ୍ୟକ୍ତିଗତ ଭାବେ କମିଟି ନିକଟରେ ହାଜର ହୋଇ ମତାମତ ରଖିବାକୁ ନିର୍ଦ୍ଧେଶନାମା ଜାରି ହୋଇଛି । ଅନ୍ୟପକ୍ଷରେ ଏହି ଜାଲ କର୍ମଚାରୀଙ୍କ ନିଯୁକ୍ତି ଘଟଣାରେ ସିଏମସିରେ ସ୍ୱତନ୍ତ୍ର ଅଡିଟ୍ ଆରମ୍ଭ ହୋଇଛି । ନିଗମରେ ପ୍ରାୟ ୨୭୪ କର୍ମଚାରୀଙ୍କୁ ବେଆଇନ ଭାବରେ ଥଇଥାନ କରାଯାଇଥିଲା । ଏ ସମ୍ପର୍କରେ ସିଏମ୍ସିର ପରବର୍ତ୍ତୀ କମିଶନରମାନେ ଅବଗତ ଥିଲେ ମଧ୍ୟ ଜାଲ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ଦର୍ଶାଇ ସାମ୍ବାଦିକ ପ୍ରଦୀପ ସାହୁଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ଏହାର ଶୁଣାଣି କରି କୋର୍ଟ ୨୦୧୪ ଏପ୍ରିଲ ୩ରେ ଏପରି ଏକ ସ୍ପର୍ଶକାତର ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଧେଶ ଦେଇଥିଲେ । ତଦନୁଯାୟୀ ରାଜ୍ୟ ପୌର ପ୍ରଶାସନର ନିର୍ଦ୍ଧେଶକ ତଥା ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ସଞ୍ଜୀବ ମିଶ୍ରଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ନିଗମରେ ବେଆଇନ ନିଯୁକ୍ତି ଦିଆଯାଇଥିବା ୨୭୪ ନାଳକୁଲି, ରାସ୍ତାକୁଲି, ସୁଇପର, କିରାଣି ଓ ଶିକ୍ଷକଙ୍କ ନିଯୁକ୍ତିକୁ ରାଜ୍ୟ ସରକାର ରଦ୍ଧ କରି ଦେଇଛନ୍ତି । ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ ଅର୍ଥ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଅଡିଟ୍ କରିବାକୁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସଚିବ ଚିଠି ଲେଖିଥିଲେ ।