kaheya

ବିରୋଧ କଲେ ଦେଶଦ୍ରୋହୀ: କହ୍ନେୟା

41

ଭୁବନେଶ୍ୱର, ୩ା୧୦(ବୁ୍ୟରୋ): ବାମପନ୍ଥୀ ଛାତ୍ର ସାମ୍ମୁଖ୍ୟ ଏଆଇଏସ୍ଏଫ୍ର ୮୦ତମ ପୂର୍ତ୍ତି ଅବସରରେ ଆୟୋଜିତ ସମାବେଶରେ ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାରଧାରାକୁ ତୀବ୍ର ସମାଲୋଚନା କରିଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆଭିମୁଖ୍ୟକୁ ସ୍ୱାଗତ କରିଛନ୍ତି । ଏନ୍ଡିଏରୁ ଓହରି ଆସିବା ଏକ ଶୁଭ ସଙ୍କେତ ବୋଲି ସେ କହିଛନ୍ତି । ଓଡିଶା ଆସିଥିବା କହ୍ନେୟା କୁମାର ଆଜି ରାଷ୍ଟ୍ରଭାଷା ପ୍ରଚାର ସମିତି ପରିସରରେ ଆୟୋଜିତ ସମାବେଶରେ ଯୋଗଦେଇ କହ୍ନେୟା କୁମାର କହିଥିଲେ, ସ୍ୱାଧୀନତା ପୂର୍ବରୁ ଦେଶରେ ଯେଉଁ ପରିସ୍ଥିତି ଥିଲା ଏବେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ୱାଧୀନତା ଆନେ୍ଦାଳନରେ ଯେଉଁମାନେ ସାମିଲ ହେଉଥିଲେ, ତାଙ୍କୁ ଇଂରେଜମାନେ ଦେଶଦ୍ରୋହୀ ବୋଲି ଆଖ୍ୟା ଦେଉଥିଲେ । ତେବେ ଇଂରେଜ ଚିନ୍ତାଧାରାର ବ୍ୟକ୍ତି ଦେଶକୁ ଶାସନ କରୁଛନ୍ତି । ଯେଉଁମାନେ ସରକାରକୁ ବିରୋଧ କରୁଛନ୍ତି, ସେମାନଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଉଛି । ବିଦ୍ୟାର୍ଥୀମାନଙ୍କୁ ମଧ୍ୟ ଛଡାଯାଉନାହିଁ । ଯେଉଁ ସମ୍ବିଧାନ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ହେବାର କ୍ଷମତା ଦେଇଛି, ସେହି ସମ୍ବିଧାନ ମଧ୍ୟ ଗଣତାନ୍ତ୍ରିକ ଉପାୟରେ ବିରୋଧ ପ୍ରଦର୍ଶନ ପାଇଁ ଆମକୁ କ୍ଷମତା ଦେଇଛି । ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଏବେ କେବଳ ନିଜ ଚିନ୍ତାଧାରାକୁ ଅନ୍ୟ ଉପରେ ଲଦିବାକୁ ଚେଷ୍ଟା କରିଛନ୍ତି । ନରେନ୍ଦ୍ର ମୋଦିଙ୍କ ସରକାର ଅମ୍ବାନୀ ଓ ଆଦାନୀ ଭଳି କର୍ପୋରେଟ୍ ହାଉସ୍ଙ୍କୁ ସନ୍ତୁଷ୍ଟ କରିବାରେ ଲାଗିଛନ୍ତି । ନିର୍ବାଚନ ସମୟରେ ସେମାନଙ୍କଠାରୁ ବିମାନ ଯାତ୍ରାର ସୁବିଧା ନେଇଥିବାରୁ ଏଭଳି କରିଛନ୍ତି । ଏବେ ଦେଶଭକ୍ତି ଇଜି ରିଚାର୍ଜ ହୋଇଯାଇଛି । ଭାରତ-ପାକିସ୍ତାନ ମ୍ୟାଚ୍ରେ କିଏ ତାଳି ମାରିଲା, କିଏ ନମାରିଲା ତାହାକୁ ଦେଖି ଦେଶଭକ୍ତର ସାର୍ଟିଫିକେଟ୍ ଦିଆଯାଉଛି । କହ୍ନେୟା କହିଛନ୍ତି, ତାଙ୍କର ଜଣେ ଭାଇ ସେନାବାହିନୀରେ ଚାକିରି କରି ସହିଦ୍ ହୋଇଛନ୍ତି । ଏବେ ବି ତାଙ୍କର ଭାଇମାନେ ସେନାବାହିନୀରେ ଯୋଗଦେଇ ସୀମାରେ ଲଢେଇ କରୁଛନ୍ତି । ମାତ୍ର ମୋତେ ଦେଶଦ୍ରୋହୀ କୁହାଯାଉଛି । ଯଦି ପ୍ରକୃତରେ ଦେଶଭକ୍ତ ସୀମାରେ ଯାଇ ଭାରତ ପତାକା ଉଡାଅ । ସେଠି ଉତ୍ସବ ମନାଅ । ଭାରତରେ ଗୋଟିଏ ରଙ୍ଗରେ ପତାକା ଚାଲିପାରିବନାହିଁ । ଜାତୀୟ ପତାକା ସେଥିପାଇଁ ୩ ରଙ୍ଗର ହୋଇଛି । ଅଢେଇ ବର୍ଷ ମଧ୍ୟରେ ମୋଦି ସରକାର କିଛି କରିନାହାନ୍ତି । ଛାତ୍ର ଓ ଯୁବ ସମାଜର ଉନ୍ନତି କରିବାର କେବଳ ଦ୍ୱାହି ଦିଅନ୍ତି । ୨ କୋଟି ନିଯୁକ୍ତି ଦେବେ ବୋଲି ଘୋଷଣା କରିଥିଲେ । ଦୁଇବର୍ଷ ମଧ୍ୟରେ କେତେ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଖାଲି ଟ୍ୱିଟ୍ କରିଦେଲେ ଦେଶରେ ପରିବର୍ତ୍ତନ ଆସିବନାହିଁ । ‘ଆଚ୍ଛେ ଦିନ୍’ ଟ୍ୱିଟ୍ ମାଧ୍ୟମରେ ବି ଆସେନାହିଁ । ଲୋକଙ୍କୁ ରୋଜଗାର ମିଳିଲେ ଦେଶର ବିକାଶ ହେବ । ଦେଶକୁ ବିପଦ ମଧ୍ୟକୁ ବିଜେପି ସରକାର ଠେଲି ଦେଉଛି ବୋଲି ସେ କହିଥିଲେ । ସେ କହିଲେ ଯେ କନ୍ଧମାଳ ଦଙ୍ଗା ପରେ ନବୀନ ପଟ୍ଟନାୟକ ବିଜେପିର ହାତ ଛାଡିଥିଲେ । ଯାହା ଏକ ସ୍ୱାଗତଯୋଗ୍ୟ । ସେହିଭଳି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନ୍ଡିଏ ଛାଡି ନିଜ ସାଧୁତାର ପରିଚୟ ଦେଇଛନ୍ତି । ମୋଦିଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ । ମାତ୍ର ତାଙ୍କ ବିଚାରଧାରା ଉପରେ ସେ ସହମତ ନୁହନ୍ତି । ଏଥିପାଇଁ ସେ ଖୋଲା ବିତର୍କ ଲାଗି ପ୍ରସ୍ତୁତ ବୋଇ କହ୍ନେୟା କହିଛନ୍ତି ।
କହ୍ନେୟା କୁମାର ସଭାକୁ ଏବିଭିପିର କର୍ମକର୍ତ୍ତାମାନେ ବିରୋଧ କରିଥିଲେ । ସେମାନେ ତାଙ୍କୁ କଳା ପତାକା ଦେଖାଇବା ସହ ସଭାପୂର୍ବରୁ ମଞ୍ଚକୁ ଭାଙ୍ଗିଥିବା ଅଭିଯୋଗ ହୋଇଛି । ବିରୋଧ ପ୍ରଦର୍ଶନ ଅଭିଯୋଗରେ ପୁଲିସ୍ ପକ୍ଷରୁ ୫୦/୬୦ ଏବିଭିପି କର୍ମକର୍ତ୍ତାଙ୍କୁ ଅଟକ ରଖାଯାଇଛି ।




Powered by odothemes.com