ହାଇସ୍କୁଲ ଶିକ୍ଷକ ନିଯୁକ୍ତି ଲାଗି ଓଏସ୍ଏସ୍ଟିଇଟି

ଭୁବନେଶ୍ୱର, ୨୨ା୯(ବୁ୍ୟରୋ): ରାଜ୍ୟରେ ଉଚ୍ଚ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ନିମନ୍ତେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି । ଏଥିନିମନ୍ତେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ (ଓଏସ୍ଏସ୍ଟିଇଟି) ମାଧ୍ୟମରେ ଶିକ୍ଷକ ନିଯୁକ୍ତି କରାଯିବ । ଏହି ମର୍ମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସଂକଳ୍ପ ପ୍ରକାଶିତ ହୋଇଛି । ଏଥିରେ ଇଲିଜିବିଲିଟି ଟେଷ୍ଟର ବିଶଦ ମାର୍ଗଦର୍ଶିକା ପ୍ରକାଶ ପାଇଛି । ଏହି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ପକ୍ଷରୁ ପ୍ରତିବର୍ଷ କରାଯିବ । ଏହି ପରୀକ୍ଷା ମାଧ୍ୟମରେ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଛନ୍ତି । ଏଥିପୂର୍ବରୁ ମନ୍ତ୍ରୀ ଶ୍ରୀ ମନ୍ତ୍ରୀ ଏବଂ ବିଭାଗୀୟ ଶାସନ ସଚିବ ରଞ୍ଜନା ଚୋପ୍ରା ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅନ୍ୟାନ୍ୟ ବିଷୟ ସହିତ ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀ ସମ୍ବନ୍ଧରେ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ତେବେ ଓଡ଼ିଶାରେ ପ୍ରାୟ ୭ ହଜାର ଶିକ୍ଷକ ପଦବୀ ଖାଲିଥିବାର ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ସେଥିପାଇଁ ଅର୍ଥ ବିଭାଗର ସହମତି ଅଣାଯାଉଛି । ତାଲିମପ୍ରାପ୍ତ ବିଇଡି ଡିଗ୍ରୀଧାରୀମାନେ ଏହି ପରୀକ୍ଷା ନିମନ୍ତେ ଆବେଦନ କରିପାରିବେ । ଅନ୍ଲାଇନ୍ ମାଧ୍ୟମରେ ଦରଖାସ୍ତ ଗ୍ରହଣ କରାଯିବ । ଆବେଦନକାରୀ ଦଶମ ଶ୍ରେଣୀ ଷ୍ଟାଣ୍ଡାର୍ଡ଼ର ଓଡ଼ିଆ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆବଶ୍ୟକ । ତେବେ ହିନ୍ଦୀ, ସଂସ୍କୃତ ଏବଂ ଅନ୍ୟ ଭାଷାର ଶିକ୍ଷକ ନିମନ୍ତେ ସପ୍ତମ ଶ୍ରେଣୀ ଷ୍ଟାଣ୍ଡାର୍ଡ଼ର ଓଡ଼ିଆରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ । ଇଲିଜିବିଲିଟି ଟେଷ୍ଟର ତୁରନ୍ତ କ୍ୟାଲେଣ୍ଡର କରିବା ପାଇଁ ମନ୍ତ୍ରୀ ଶ୍ରୀ ମିଶ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।